ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲିଯାତ୍ରା ଭିଡ଼ ସାଙ୍ଗକୁ ଯୁବ ପିଢ଼ିଙ୍କୁ ଆକର୍ଷିତ କରୁଛି ଓଡ଼ିଆ କ୍ୟାପସନ୍‌ ଟି-ସାର୍ଟ। ସେଥିପାଇଁ ବାଲିଯାତ୍ରା ଯିବାକୁ ଯୁବ ପିଢିଙ୍କ ମନରେ ପ୍ରବଳ ଆଗ୍ରହ।

‘ଶହେ ଶହେରେ ଖେଳ’, ‘ସର୍ବ ଗୁଣ ସଂପର୍ଣ୍ଣ’, ‘ନଙ୍ଘା ଟୋକା’, ‘କଣ ସବୁ ଭଲତ’, ‘ଆଇ ଲଭ୍‌ କଟକ’, ‘ମତେ କାଇଁ କମଫର୍ଟ ଲାଗୁନି’, ‘ଇସ୍‌ କି କଥା ଏଗୁଡ଼ା’, ‘ଭାରି ଜିଦିଆ’, ‘ପୋଗ୍ରାମ ଟିକେ ହଉ’, ‘ଅନୁଭବ ଫ୍ୟାନ’ ଏହା କୌଣସି ଫିଲ୍ମର ଡାଇଲଗ୍‌ ନୁହେଁ, ଏହା ହେଉଛି ଟି-ସାର୍ଟର କ୍ୟାପସନ୍‌। ବର୍ତ୍ତମାନ ଏହାକୁ ନେଇ ଆକର୍ଷିତ ହେଉଛନ୍ତି ଯୁବପିଢ଼ି। ଏହା କୌଣସି ଦୋକାନ ବଜାରରେ ବିକ୍ରି ହେଉନି, ବିକ୍ରି ହେଉଛି କଟକ ବାଲିଯାତ୍ରାରେ।

ବାଲିଯାତ୍ରା ଭିଡ଼ ଭିତରେ ତଳ ପଡ଼ିଆରେ ଗୋଟିଏ ଷ୍ଟଲରେ ଜମୁଛି ଯୁବପିଢ଼ିଙ୍କ ପ୍ରବଳ ଭିଡ଼। କାରଣ ସେଠାରେ ମିଳୁଛି ଓଡ଼ିଆ କ୍ୟାପସନ୍‌ ଥିବା ଟି-ସାର୍ଟ। ଯାହାକୁ କିଣିବା ପାଇଁ ବଢୁଛି ଯୁବ ପିଢ଼ିଙ୍କ ଆଗ୍ରହ। ଟି-ସାର୍ଟରେ କଟକୀ ଲୋକାଲ୍‌ ଭାଷା ସହ ଖାଣ୍ଟି ଓଡ଼ିଆ ଭାଷାର କ୍ୟାପସନକୁ ସ୍ଥାନ ଦିଆଯାଇଛି। ଏହା ଲୋକଙ୍କ ଇମୋସନ ସହ ଏକଦମ ଜଡ଼ିତ।

ସଞ୍ଜ ନଇଁ ଗଲେ କଟକ ନଦୀକୂଳରେ ବାଲିଯାତ୍ରା ଭିଡ଼ ସାଙ୍କକୁ ନଈକୂଳିଆ ପବନ ଲୋକଙ୍କୁ ଖୁବ୍‌ ସୁହାଉଛି। ଏହାସହ ଓଡ଼ିଆ ଭାଷାର କ୍ୟାପସନ ଥିବା ଟି-ସାର୍ଟ ଓଡ଼ିଆ ଲୋକଙ୍କ ଇମୋସନ୍‌କୁ ଛୁଇଁ ଯାଉଛି। ସେଥିପାଇଁ ତଳ ପଡ଼ିଆରେ ପଡ଼ିଥିବା ଓଡ଼ି-ଟିସ୍‌ ଷ୍ଟଲରେ ଲାଗୁଛି ଯୁବପିଢ଼ିଙ୍କ ପ୍ରବଳ ଭିଡ଼।

ଏହି ଟି-ସାର୍ଟକୁ ବିକ୍ରି କରୁଛନ୍ତି ସିଲଭରସିଟି କଟକର କର୍ମକର୍ତ୍ତାମାନେ। ଟି-ସାର୍ଟ ମଧ୍ୟରେ ବିଧାୟକ ସୁର ରାଉତରାୟଙ୍କ ଭାଇରାଲ ଡାଇଲଗ୍‌ ଇସ୍‌ କି କଥା ଏଗୁଡ଼ା ଥିବା ଟି-ସାର୍ଟ ବହୁ ମାତ୍ରାରେ ବିକ୍ରି ହେଉଛି। ଅନ୍ୟଦିନରେ ଟି-ସାର୍ଟର ଦାମ୍‌ ୩୫୦ ଟଙ୍କା ରହିଥିବା ବେଳେ ବାଲିଯାତ୍ରା ପାଇଁ ଏହାକୁ ୨୯୯ କରାଯାଇଛି। ଟି-ସାର୍ଟକୁ ଓଡ଼ି-ଟିସ୍‌ ବ୍ରାଣ୍ଡରେ ବିକ୍ରି କରାଯାଉଛି। ଓଡ଼ି-ଟିସ୍‌ର ଅର୍ଥ ଓଡ଼ିଆ ଟି-ସାର୍ଟ।

ଏନେଇ ସିଲଭରସିଟି କଟକ ଚ୍ୟାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଅଭିଜିତି ପୃଷ୍ଟି କହନ୍ତି, “ହିନ୍ଦୀ କୋଟେସନରେ ବହୁତ ଟି-ସାର୍ଟ ଆସୁଛି। ତେବେ ଆମେ ଟି-ସାର୍ଟରେ ଓଡ଼ିଆ ଭାଷାକୁ ସ୍ଥାନ ଦେବା ପାଇଁ ଭାବି ଏହାକୁ ଆରମ୍ଭ କରିଥିଲୁ। ଏହାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ଆମେ କରିନୁ। ଏହାର ୨୦ ପ୍ରତିଶତ ଲାଭ ସିଲଭରସିଟି ଚ୍ୟାରିଟେବୁଲ ଟ୍ରଷ୍ଟକୁ ଯାଉଛି। ଯେଉଁଥିରେ ଆମେ ବିଭିନ୍ନ ସମାଜ କଲ୍ୟାଣ କାମ କରୁଛୁ”।

ଟି-ସାର୍ଟରେ ଓଡ଼ିଆ ଭାଷା ଥିବାରୁ ଏହାକୁ କିଣିବାକୁ ମନରେ ବହୁତ ଆଗ୍ରହ ରହିଛି। ଆଗରୁ ମଧ୍ୟ ଓଡ଼ିଆ ଟିସ୍‌ଠାରୁ ଏହି ଟି-ସାର୍ଟ କିଣିଥିଲି। ହେଲେ ବର୍ତ୍ତମାନ ଏହାର ଦାମ୍‌ କମ୍‌ ରହିଛି ବୋଲି କହଛନ୍ତି ଗ୍ରାହକ ରବିନ୍ଦ୍ର ସ୍ଵାଇଁ।

Comment