ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିସ୍‌ ବୃଦ୍ଧିକୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ରାଜନୈତିକ ମୋଡ଼ ଦିଆଯାଉଥିବା ଅଭିଯୋଗ କଲା ଏବିଭିପି। ଆନ୍ଦୋଳନରୁ ହେଲା ଅଲଗା।

ଦିଲ୍ଲୀସ୍ଥିତ ଜବାହାରଲାଲ୍ ନେହେରୁ ବିଶ୍ଵବିଦ୍ୟାଳୟରୁ କମିବାର ନାଁ ଧରୁନି ଛାତ୍ର ଅଶାନ୍ତି। ଫିସ୍‌ ବୃଦ୍ଧିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ହେଲେ ଏହି ଆନ୍ଦୋଳନରୁ ନିଜକୁ ଅଲଗା କରିଦେଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଏହି ଆନ୍ଦୋଳନ ଆଗକୁ ଜାରି ରହିବ ବୋଲି ଜେଏନ୍‌ୟୁ ଛାତ୍ରସଂଘ ପକ୍ଷରୁ କୁହାଯାଇଛି।

ଆନ୍ଦୋଳନରୁ ଅଲଗା ହେବା ନେଇ ଏବିଭିପି କହିଛି, “ଆମେ ଆନ୍ଦୋଳନରେ ବାମପନ୍ଥୀ ଛାତ୍ର ସଂଗଠନର ସାଙ୍ଗରେ ରହିଥିଲୁ। ହେଲେ ସେମାନେ ସଂଘ ଓ ଏବିଭିପି ବିରୋଧରେ ଲଗାତାର ପ୍ରଚାର କରୁଛନ୍ତି। ଆନ୍ଦୋଳନକୁ ଛାତ୍ରଙ୍କ ସମସ୍ୟାରୁ ହଟାଇ ରାଜନୈତିକ ଦିଗ ଦିଆଯାଉଛି।”

ଫିସ୍‌ ବୃଦ୍ଧି ପାଇଁ ହୋଇଥିବା ଏହି ଆନ୍ଦୋଳନ ଜାରି ରହିବ। ଏହାକୁ ଆମେ ଅନ୍ୟ ରୂପରେ କରିବୁ। ହେଲେ ବର୍ତ୍ତମାନ ପାଇଁ ଆମେ ବାମପନ୍ଥୀ ଛାତ୍ରଙ୍କ ସହ ଆନ୍ଦୋଳନ କରିବୁ ନାହିଁ ବୋଲି ଏବିଭିପି ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଜବାହାରଲାଲ ନେହେରୁ ବିଶ୍ଵବିଦ୍ୟାଳୟରେ ଫିସ୍‌ ବୃଦ୍ଧିକୁ ନେଇ କିଛି ଦିନ ହେବ ଛାତ୍ର ଅଶାନ୍ତି ଦେଖା ଦେଇଛି। ପୂର୍ବରୁ ଫିସ୍‌ ୧୦ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହାକୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାକୁ ଜେଏନ୍‌ୟୁ ଛାତ୍ର ସଂଗଠନ ପକ୍ଷରୁ ବିରୋଧ କରାଯାଇଛି। ତେବେ ଏହି ଆନ୍ଦୋଳନକୁ ବର୍ତ୍ତମାନ ରାଜନୈତିକ ମୋଡ଼ ଦିଆଯାଉଥିବା ଏବିଭିପି ପକ୍ଷରୁ ଅଭିଯୋଗ ହୋଇଛି।

Comment