ଗାୟତ୍ରୀ ଦାସ

ଓଡ଼ିଶା କହିଲେ ପ୍ରଭୁ ଜଗନ୍ନାଥଙ୍କୁ ବୁଝାଯାଇଥାଏ। ଓଡ଼ିଆର ପରିଚୟ ସ୍ୱୟଂ ଜଗନ୍ନାଥ। ଜଗନ୍ନାଥଙ୍କୁ ନେଇ ଆମର ପର୍ବପର୍ବାଣୀ। ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ। ତା’ ମଧ୍ୟରୁ ପ୍ରଥମାଷ୍ଟମୀ ଗୋଟିଏ। ଘରର ବଡ଼ପୁଅ ବା ଝିଅ ଏମାନଙ୍କୁ ପୋରୁହାଁ କୁହାଯାଏ। ପ୍ରଥମାଷ୍ଟମୀ ଅପଭ୍ରମ ହୋଇ ଗ୍ରାମ୍ୟ ବୋଲିରେ ପଢ଼ୁଆଁଷ୍ଟମୀ ହୋଇଛି। ଏହି ଦିନ ଏଣ୍ଡୁରି ପିଠା ଓ ଘାଣ୍ଟ ହୋଇଥାଏ। ଓଡ଼ିଶାରେ ପର୍ବପର୍ବାଣୀ ଯେମିତି ସ୍ୱତନ୍ତ୍ର ପର୍ବପର୍ବାଣୀରେ ଖାଦ୍ୟ ମଧ୍ୟ ସେମିତି ସ୍ୱତନ୍ତ୍ର। ପ୍ରତ୍ୟେକ ପର୍ବରେ କିଛି ନୂଆ ଓ ଭିନ୍ନ ଧରଣର ପିଠା ଓ ମିଠା ପ୍ରସ୍ତୁତ କରାଯାଇଥାଏ।

ପ୍ରଥମାଷ୍ଟମୀ ପିଠାର ମଧ୍ୟ ସେମିତି କିଛି ସ୍ୱତନ୍ତ୍ରତା ରହିଛି। ଏହା ହଳଦୀ ପତ୍ରରେ ପ୍ରସ୍ତୁତ ହୋଇଥାଏ। ପିଠା ପାଇଁ ଏକ ଉଷୁଆଁ ଚାଉଳ ସ୍ୱତନ୍ତ୍ର ଭାବେ ତିଆରି କରାଯାଏ। ଏହାକୁ ଚୂନା କରି ନୂଆ ବିରିରେ ପ୍ରସ୍ତୁତ ପିଠଉରେ ଗୋଳାଇ ଆଣ ତିଆରି କରାଯାଏ। ତା’ପରେ ପତ୍ରକୁ ପରିଷ୍କାର କରି ଥୋଇ ଛୋଟ ଆକାରରେ କଟାଯାଏ। ପିଠଉକୁ ୬/୮ ଘଣ୍ଟା ଖାଇବା ସୋଡ଼ା ଓ ଲୁଣ ପକାଇ ଛାଡ଼ି ଦିଆଯାଏ ଫୁଲିବା ପାଇଁ। ନଡ଼ିଆ କୋରାରେ ଗୁଡ଼, ଛେନା, ଗୁଜୁରାତି, ଗୋଲମରିଚ ପକାଇ ଭଲ ଭାବେ କରେଇରେ ବସାଯାଏ। ତା’ପରେ ଅଥାର ଗଢ଼ାଯାଏ।

ପିଠା ସହିତ ଘାଣ୍ଟର ସ୍ୱାଦ ଅତି ନିଆରା। ବିଭିନ୍ନ ପରିବା ସହିତ ମୂଳା ଓ ନୂଆ ବିରିରେ ପ୍ରସ୍ତୁତ ବଡ଼ି ମୁଖ୍ୟ ହୋଇଥାଏ। ଏହି ଦିନ ପ୍ରଥମ ଛୁଆମାନେ ନୂଆ କରି ମୂଳାର ସ୍ୱାଦ ଚାଖନ୍ତି। ଘାଣ୍ଟ ଓ ପିଠା ହୋଇଗଲା ପରେ ପିଲାମାନେ ମାମୁ ଘରୁ ଆସିଥିବା ନୂଆ ଲୁଗାପଟା, ଡ୍ରେସ୍‌ ଆଦି ପିନ୍ଧିଥାନ୍ତି। ବଡ଼ ବଡ଼ୁଆଙ୍କ ପାଖରେ କଳସ ବସିଥାଏ। ବଡ଼ ପିଲାମାନେ ସେଠି ଆସନରେ ବସନ୍ତି। ଘରର ବୟସ୍କ ସ୍ତ୍ରୀଲୋକ ତାଙ୍କୁ ବନ୍ଦାପନା କରନ୍ତି ଓ ଲମ୍ବା ଆୟୁଷ ଆଶୀର୍ବାଦ ଦିଅନ୍ତି। ପିଲାମାନେ ପୂଜା ହୋଇସାରିବା ପରେ ଗୁରୁଜନଙ୍କ ଆଶୀର୍ବାଦ ନେଇଥା’ନ୍ତି।

Comment