ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ଚିଟ୍‌ଫଣ୍ଡ କମ୍ପାନି ଅର୍ଥତତ୍ତ୍ୱ(ଏଟି) ଲିଙ୍କରେ ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ୍ ମାମଲାର ଶୁଣାଣି ଶେଷ ହୋଇଛି। ଗତ ଶୁଣାଣିରେ ସିବିଆଇ ଜବାବ ଦାଖଲ ଲାଗି ମହଲତ ନେଇଥିଲା। ଆଜି ସିବିଆଇ ପକ୍ଷରୁ ଜବାବ ଦାଖଲ କରାଯାଇଥିଲା। ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବବ୍ରତ ଦାସ ଉଭୟ ପକ୍ଷଙ୍କୁ ଶୁଣିବା ପରେ ମାମଲା ରାୟ ସଂରକ୍ଷିତ ରଖିଛନ୍ତି। ଅନ୍ୟପକ୍ଷରେ ଗିରଫଦାରୀ ପରେ ଶ୍ରୀ ବେହେରା ଏବେ ବି ଏସ୍‌ସିବି ମେଡିକାଲ୍ କଲେଜରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।

୨୦୧୧ ମସିହାରେ ଆୟୋଜିତ ଓଡ଼ିଶା ପ୍ରିମିୟର ଲିଗ୍ (ଓପିଏଲ୍) ପ୍ରଥମ ସଂସ୍କରଣର ମୁଖ୍ୟ ପ୍ରାୟୋଜକ ହୋଇଥିଲା ଏଟି। ଏ ବାବଦରେ କମ୍ପାନି ତରଫରୁ ୧କୋଟି ଟଙ୍କା ଦିଆଯାଇଥିଲା। ଏସବୁ ଟଙ୍କା ତତ୍କାଳୀନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ନିର୍ଦ୍ଦେଶରେ ଖର୍ଚ୍ଚ କରାଯାଇଥିଲା। ପରେ ଏଟି ମାଲିକ ପ୍ରଦୀପ ସେଠୀ ଗିରଫ ହେବା ପରେ ଆରମ୍ଭ ହୋଇଥିଲା ତନାଘନା। ଖୋଳତାଡ଼ ପରେ ପ୍ରଦୀପ ସେଠୀଙ୍କ ସହିତ ଆଶୀର୍ବାଦଙ୍କ ଲିଙ୍କ୍ ଘଟଣା ସାମ୍ନାକୁ ଆସିଥିଲା। ଏନେଇ ପୂର୍ବରୁ ସିବିଆଇ ପକ୍ଷରୁ ଓସିଏରେ ଚଢ଼ାଉ କରାଯିବା ସହ ଆଶୀର୍ବାଦଙ୍କୁ ଜେରା ମଧ୍ୟ କରାଯାଇଥିଲା।

ସେହିପରି ଓଡ଼ିଶା ରଣଜୀ ଟିମ୍ ଅଷ୍ଟ୍ରେଲିଆ ଖେଳିବାକୁ ଯାଇଥିଲେ। ଉକ୍ତ ଟିମ୍‌ ଯିବା ଆସିବା ଓ ରହିବା ଖାଇବା ବାବଦକୁ ଖର୍ଚ୍ଚ ହୋଇଥିବା ଟଙ୍କା ବି ଏଟି ବହନ କରିଥିଲା। ଏନେଇ ମଧ୍ୟ ସିବିଆଇ ଆଶୀର୍ବାଦଙ୍କୁ ବାରମ୍ବାର ଜେରା କରିଥିଲେ। ଏ ସବୁ ଘଟଣାକୁ ନେଇ ସିବିଆଇ ଚାର୍ଜସିଟ୍ ପ୍ରସ୍ତୁତ କରିବା ପରେ ଗତ ସେପ୍ଟେମ୍ବର ୧୯ ତାରିଖରେ କଟକସ୍ଥିତ ଘରୁ ଆଶୀର୍ବାଦଙ୍କୁ ଉଠାଇ ନେଇଥିଲା। ଏହାପରେ ତାଙ୍କୁ ଗିରଫ କଲା ବୋଲି ଘୋଷଣା କରାଯାଇଥିଲା। ଗିରଫ ପରେ ଆଶୀର୍ବାଦ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଏସ୍‌ସିବିରେ ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

Comment