ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାରକୁ ଘୁଞ୍ଚିଲା ମହାରାଷ୍ଟ୍ର ମାମଲାର ଶୁଣାଣି। ସୋମବାର ସକାଳ ସାଢ଼େ ୧୦ଟାରେ ଏହି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ୨୪ ଘଣ୍ଟା ଭିତରେ ସମସ୍ତ ପ୍ରମାଣପତ୍ର ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାରଙ୍କୁ ନୋଟିସ୍‌ ଦେଇଛନ୍ତି। ରାଜ୍ୟପାଳଙ୍କ ନିର୍ଦ୍ଦେଶନାମା ଦାଖଲ କରିବା ପାଇଁ  ସୁପ୍ରିମକୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ପକ୍ଷ ଉତ୍ତର ଦେବା ପରେ ମହାରାଷ୍ଟ୍ର ମାମଲାର ରାୟ ଶୁଣାଇବେ ସର୍ବୋଚ୍ଚ ନ୍ୟାୟାଳୟ।

ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ୍‌ନାଭିସ୍‌ ମୁଖ୍ୟମନ୍ତ୍ରୀ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସୁପ୍ରିମକୋର୍ଟ ଯାଇଥିଲା ମାମଲା। ଶିବେସନା, କଂଗ୍ରେସ ଏବଂ ଏନ୍‌ସିପି ପିଟିସନ ଦାଖଲ କରିଥିଲେ। ସ୍ୱତନ୍ତ୍ର ସେସନ୍‌ ଡାକି ମାମଲାର ବିଚାର କରିବା ପାଇଁ ଦାବି କରିଥିଲେ। ଫଡ୍‌ନାଭିସ୍‌ ସରକାରଙ୍କୁ ତୁରନ୍ତ ଫ୍ଲୋର ଟେଷ୍ଟ ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ପିଟିସନରେ ଦର୍ଶାଯାଇଥିଲା।

ଏହି ପିଟିସନକୁ ଗ୍ରହଣ କରି ରବିବାର କୋର୍ଟ ବସିଥିଲା। ସାଢ଼େ ୧୧ଟାରୁ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଜଷ୍ଟିସ୍‌ ଏନ୍‌ ବି ରମ୍‌ନା, ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ସଞ୍ଜୀବ ଖନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିଥିଲେ। ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ୍‌ ଜାରି କରିଥିଲେ।

Comment