ଓଡ଼ିଶାଲାଇଭ୍ ବ୍ୟୁରୋ

୨୬ ନଭେମ୍ବର ୨୦୦୮ ମସିହା। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ପାଇଁ ଥିଲା ଏକ କଳାଦିନ। ଏହି ଦିନ ଆତଙ୍କବାଦୀଙ୍କ ଅମାନବୀୟ ଆକ୍ରମଣର ଶିକାର ହୋଇଥିଲା ମୁମ୍ବାଇ ସହର। ଯେଉଁଥିରେ ପୋଲିସ୍ କର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ନାଗରିକ ପର୍ଯ୍ୟନ୍ତ ସମସ୍ତେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ। ଆଜି ଏହି ଘଟଣାକୁ ୧୧ ବର୍ଷ ପୂରଣ ହୋଇଛି।

ନଭେମ୍ବର ୨୬ ଆସିଲେ ସମସ୍ତଙ୍କ ଆଖିକୁ ଆସିଥାଏ ମୁମ୍ବାଇ ତାଜ୍ ହୋଟେଲର ସେହି ଅଭାବନୀୟ ଦୃଶ୍ୟ। ଯେଉଁଥିରେ ତାଜ ହୋଟେଲର ଗୋଟିଏ ପାର୍ଶ୍ୱ ଆତଙ୍କବାଦୀଙ୍କ କବଜାରେ ରହିଥିଲା। ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀମାନେ ଏହି ତାଜ୍ ହୋଟେଲକୁ ଟାର୍ଗେଟ୍ କରିଥିଲେ। ଆତଙ୍କବାଦୀଙ୍କ ଗୁଳିଚୋଟର ଶିକାର ହୋଇଥିଲେ ତାଜ ହୋଟେଲର ଅନେକ ଅତିଥି।

ତାଜ ହୋଟେଲକୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିବା ପାଇଁ ଏନ୍ଏସଜି କମାଣ୍ଡୋ ମଧ୍ୟ ଲାଗି ପଡ଼ିଥିଲେ। ଦୀର୍ଘ ଦୁଇ ଦିନର କଠିନ ପରିଶ୍ରମ ପରେ ତାଜ ହୋଟେଲ ଆତଙ୍କବାଦୀଙ୍କ କବଳରୁ ରକ୍ଷା ପାଇଥିଲା।

କେବଳ ତାଜ ହୋଟେଲ ନୁହେଁ, ୨୬ ତାରିଖରେ ୧୦ଜଣ ଆତଙ୍କବାଦୀ ମୁମ୍ବାଇର ଏକାଧିକ ସ୍ଥାନରେ ଆକ୍ରମଣ ଜାରି ରଖିଥିଲେ। ଯେଉଁଥିରେ ମୋଟ ୧୬୨ଟି ନିର୍ଦ୍ଦୋଷ ପ୍ରାଣ ହରାଇଥିଲା।

ସେହିଦିନ ରାତିରେ ଆତଙ୍କବାଦୀମାନେ ପ୍ରଥମେ ମୁମ୍ବାଇର ଛତ୍ରପତି ଶିବାଜୀ ଷ୍ଟେସନରେ ଜନସାଧାରଣଙ୍କ ଉପରେ ଅତର୍କିତ ଭାବେ ଗୁଳିବର୍ଷଣ କରିଥିଲେ। ଯେଉଁଥିରେ ପାଖାପାଖି ୫୮ଜଣ ଲୋକ ପ୍ରାଣ ହରାଇବା ସହ ବହୁ ଲୋକ ଆହାତ ହୋଇଥିଲେ। ରେଳ ଷ୍ଟେସନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅଜମଲ ଆମିର କସାବକୁ କାବୁ କରିଥିଲା ପୋଲିସ୍। ଏହାପରେ କସାବକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ତାଜ ହୋଟେଲ, ଛତ୍ରପତି ଶିବାଜୀ ଷ୍ଟେସନ ସହ ହୋଟେଲ୍ ଓବରାୟ, ଲିୟୋପୋଲ୍ଡ କାଫେ, କାମା ହସ୍ପିଟାଲ୍ ଓ ଦକ୍ଷିଣ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହାକୁ ଭାରତୀୟ ଇତିହାସରେ ଗୋଟିଏ କଳାଦିନ ଭାବେ ସ୍ମରଣ କରାଯାଏ।

Comment