ଓଡ଼ିଶାଲାଇଭ୍ ବ୍ୟୁରୋ

ନିକଟରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ପଢ଼ାଇବା ପାଇଁ ଜଣେ ମୁସଲିମ ପ୍ରଫେସର ଫିରୋଜ ଖାଁଙ୍କୁ ନିଯୁକ୍ତି ଦିଆଯିବା ନେଇ ଢେର ହଙ୍ଗାମା ସୃଷ୍ଟି ହୋଇଥିଲା। ବିଶେଷକରି ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରିଥିଲେ। ତେବେ ଆମର ଓଡ଼ିଶାରେ ଏକ ସ୍କୁଲରେ ଯିଏ ସଂସ୍କୃତ ପଢ଼ାଉଛନ୍ତି ସେ ହେଉଛନ୍ତି ମୁସଲିମ ସମ୍ପ୍ରଦାୟର। ବିଗତ ୨୭ ବର୍ଷ ଧରି ସେ ଏଠି ସଂସ୍କୃତ ପଢ଼ାଇ ଆସିଛନ୍ତି ଓ ତାଙ୍କର ଶହ ଶହ ଛାତ୍ର ସଂସ୍କୃତରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ବି ସେ ଜଣେ ଭଲ ଶିକ୍ଷୟିତ୍ରୀ ବୋଲି କହିଛନ୍ତି। ତାଙ୍କ ନାମ ହେଉଛି ହାସନ ତାରା।

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଖଇରାପାଲି ହାଇସ୍କୁଲରେ ତାରା ହାସନ ସଂସ୍କୃତ ଭାଷାରେ ଶିକ୍ଷା ଦେଉଛନ୍ତି। ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି ଏଥିରେ କେହି କେବେ ଆପତ୍ତି ଉଠାଇ ନାହାନ୍ତି। ଖାଇରପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ଅନନ୍ତ ଶତପଥୀଙ୍କ କହିବା ଅନୁଯାୟୀ, ତାରା ଜଣେ ପରିଶ୍ରମୀ ଓ ନିଷ୍ଠ।ବାନ ଶିକ୍ଷକ। ଏଥିପାଇଁ ସେ ପ୍ରଶଂସନୀୟ ହୋଇପାରିଛନ୍ତି। ପ୍ରତି ପିଲା ଯେପରି ସଂସ୍କୃତରେ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ କରିବ ସେଥିପ୍ରତି ସେ ଦୃଷ୍ଟି ଦେଇଥାନ୍ତି। ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ପ୍ରାୟ ୧୬୦ ଛାତ୍ରଛାତ୍ରୀ ସଂସ୍କୃତ ନେଇଥିବା କଥା ଶ୍ରୀ ଶତପଥୀ କହିଛନ୍ତି।

ତାରାଙ୍କ ଘର ପ୍ରକୃତରେ ଉତ୍ତର ପ୍ରଦେଶ ଅନ୍ତର୍ଗତ ଦେଓରିଆ ଜିଲ୍ଲାରେ। ବହୁ ବର୍ଷ ଧରି ସେ ଦେବଗଡ଼ରେ ରହି ଆସୁଛନ୍ତି। ତାଙ୍କ ବାପା ଜଣେ ସିଭିଲ ଠିକାଦାର ଓ ୧୯୫୦ ବେଳକୁ ସେ ଏଠି ରିଆମାଳରେ ବସବାସ କରିବା ଆରମ୍ଭ କରିଥିଲେ। ସଂସ୍କୃତ ଭାଷା ଭଲ ଲାଗିବାରୁ ତାରା ଏଥିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ସେ ଏଥିରେ ପୋଷ୍ଟ ଗ୍ରାଜୁଏସନ କଲେ। ୧୯୯୨ ମସିହାରେ ସେ ସଂସ୍କୃତ ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତି ପାଇଥିଲେ।

ତାରା କହିଛନ୍ତି, ‘‘ଜଣେ ମୁସଲିମ ହୋଇ ସଂସ୍କୃତ ପଢ଼ାଇବାରେ କୌଣସି ବିସଙ୍ଗତି ନାହିଁ। ଭାଷା ପଢ଼ାଇବା ସହିତ ଧର୍ମର କ’ଣ ସମ୍ପର୍କ ରହିଛି? ସଂସ୍କୃତ ଏକ ପ୍ରାଚୀନ ଭାଷା ଓ ଅତି ମଧୁର ମଧ୍ୟ। ‘ମୁଁ ସଂସ୍କୃତ ପଢ଼ାଇବା ବେଳେ ଏହାର ମୌଳିକ ଦିଗ ପ୍ରତି ଦୃଷ୍ଟି ଦେଇଥାଏ ଓ ଛାତ୍ରଛାତ୍ରୀ ଯେପରି ବ୍ୟାକରଣରେ ଭଲ କରିବେ ତାହାରି ଉପରେ ନଜର ଦେଇଥାଏ, ଯାହାଫଳରେ କି ପିଲାମାନେ ଜଟିଳ ବାକ୍ୟ ଓ କଥୋପକତନକୁ ସହଜରେ ଧରି ପାରିବେ।’’

ତାରା ସେହି ସ୍କୁଲରେ ପିଲାଙ୍କୁ ଓଡ଼ିଆ ବି ପଢ଼ାଇଥା’ନ୍ତି।

Comment