ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀର ତବଲିଗୀ ଜମାତ ମର୍କଜ ସହିତ ଯୋଡ଼ି ହୋଇଥିବା ଲୋକଙ୍କ ଦ୍ୱାରା କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଶ ଏବେ ଉଠୁଛି ପଡୁଛି। ଦିଲ୍ଲୀରୁ ଆଣ୍ଡାମାନ ଓ ଏପରିକି ଓଡ଼ିଶା ପର୍ଯ୍ୟନ୍ତ ଏହି ସଂସ୍ଥାର ସଦସ୍ୟମାନେ କରୋନା ବ୍ୟାପିବାର ମୁଖ୍ୟ କାରଣ ପାଲଟିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଜମାତ କ’ଣ ଓ ଏହି ସଂସ୍ଥା କି କାମ କରେ।

ଏଇଠୁ ଆରମ୍ଭ

ପ୍ରକୃତରେ ମୋଗଲ ରାଜତ୍ୱ କାଳରେ କିଛି ହିନ୍ଦୁ ଲୋକ ମୁସଲିମ ଧର୍ମ ଗ୍ରହଣ କରିଥିଲେ। ତା’ସତ୍ତ୍ୱେ ସେମାନେ ହିନ୍ଦୁ ପରମ୍ପରା ଓ ରୀତି ରିବାଜ ନେଇ ଚାଲିଥିଲେ। ଭାରତରେ ବ୍ରିଟିଶ ଶାସନ ଆରମ୍ଭ ହେବା ପରେ ଆର୍ଯ୍ୟ ସମାଜ ପକ୍ଷରୁ ସେହି ଲୋକମାନଙ୍କୁ ପୁଣି ହିନ୍ଦୁ ଧର୍ମରେ ସାମିଲ କରାଗଲା। କିନ୍ତୁ ଏହି ସମୟରେ ମୌଲାନା ଇଲିୟାସ ନାମକ ଜଣେ ବ୍ୟକ୍ତି ଇସଲାମ ଶିକ୍ଷା ଦେବା ଆରମ୍ଭ କରନ୍ତି। ସେ ହିଁ ଏହି ସଂସ୍ଥାର ମୂଳ ଲୋକ। ଇଲିୟାସ ୧୯୨୬ -୨୭ରେ ଦିଲ୍ଲୀର ନିଜାମୁଦ୍ଦିନଠାରେ ଥିବା ଏକ ମସଜିଦରେ କିଛି ଲୋକଙ୍କ ସହ ମିଶି ତବଲିଗୀ ଜମାତ ଗଠନ କରନ୍ତି। ଏହି ସଂସ୍ଥାର ଅସଲ ଉଦ୍ଦେଶ୍ୟ ହେଲା ମୁସଲମାନମାନେ ଯେମିତି ନିଜର ଧର୍ମକୁ ବଜାୟ ରଖିବେ ଓ ଇସଲାମ ଧର୍ମର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟ କରିବେ।

ତବଲିଗୀ ଅର୍ଥ କ’ଣ?

ତବଲିଗୀର ଅର୍ଥ ହେଉଛି ଆଲ୍ଲାଙ୍କ କୁହାଯାଇଥିବା କଥା ଓ ଉପଦେଶଗୁଡ଼ିକୁ ପ୍ରଚାର କରିବା। ଜମାତର ଅର୍ଥ ହେଉଛି ସମୂହ ବା ଗୋଷ୍ଠୀ। ଯେଉଁମାନେ ନିଷ୍ଠାର ସହିତ ଆଲ୍ଲାଙ୍କ ବାଣୀ ପ୍ରଚାର କରନ୍ତି ସେମାନେ ହିଁ ଏହି ସଂସ୍ଥାର ସଦସ୍ୟ। ମର୍କଜର ଅର୍ଥ ହେଉଛି ସଭା ବା ସମ୍ମେଳନ। ତବଲିଗୀର ସଦସ୍ୟ ମାନେ ମୂଳ ଇସଲାମର ସବୁ ନୀତି ନିୟମକୁ କଠୋର ଭାବେ ପାଳିଥାନ୍ତି ଓ ଏହାକୁ ଆଗେଇ ନେଇଥାନ୍ତି। ଦିଲ୍ଲୀର ନିଜାମୁଦ୍ଦିନ ଅଂଚଳରେ ଏହି ସଂସ୍ଥାର ମୁଖ୍ୟାଳୟ ରହିଛି।
ପ୍ରଥମ ଜମାତ

ହରିୟାଣାର ମେବତ ତବଲିଗୀର ପ୍ରଥମ ପ୍ରଚାର ସ୍ଥାନ। ଏହି ମେବତୀ ସମୁଦାୟ ନମାଜ, କଲିମା ସହିତ ଇସଲାମ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥାନ୍ତି। ତବଲିଗୀ ଜମାତର କାର୍ଯ୍ୟକ୍ରମ ଆଜି ବିଶ୍ୱର ୨୧୩ ଦେଶ ପର୍ଯ୍ୟନ୍ତ ବ୍ୟାପି ପାରିଛି।

ମୁଖ୍ୟ ଉଦ୍ଦେଶ୍ୟ

ତବଲିଗୀ ଜମାତର ମୁଖ୍ୟ ଉଦ୍ଦେଶ୍ୟ ଛଅଟି ବିଭାଗରେ ବିଭାଜିତ। ସେଗୁଡ଼ିକ ହେଲା କଲିମା, ସଲାତ, ଇଲ୍ମ, ଇକ୍ରମ -ଏ- ମୁସଲିମ, ଇଖଲାସ -ଏ -ନିୟତ, ଦାୱତ -ଓ -ତବଲିଗ। ଏହି ସବୁ ଉଦ୍ଦେଶ୍ୟକୁ ନେଇ ତବଲିଗୀ ଜମାତ ସହ ଜଡ଼ିତ ବ୍ୟକ୍ତିମାନେ ବିଭିନ୍ନ ଦେଶକୁ ଯାଇଥାନ୍ତି ଓ ଇସଲାମ ଧର୍ମର ପ୍ରଚାର କରିଥାନ୍ତି। ସବୁଠାରୁ ବଡ଼ କଥା ହେଲା ଏହି ସଂସ୍ଥା କାହାଠାରୁ ଆର୍ଥିକ ସହାୟତା ନିଏ ନାହିଁ। ସଂସ୍ଥାର ସଦସ୍ୟମାନେ ନିଜ ହାତରୁ ସମସ୍ତ ଖର୍ଚ୍ଚ ବହନ କରିଥାନ୍ତି।

କେମିତି ହୁଏ ପ୍ରଚାର

ତବଲିଗୀ ଜମାତର ମର୍କଜଠାରୁ ବିଭିନ୍ନ ଦିଗକୁ  ଜମାତମାନ ବାହାରିଥାଏ। ତିନି ଦିନ, ପାଞ୍ଚ ଦିନ, ଦଶ ଦିନ ଓ ଏପରିକି ଏକ ମାସ ପର୍ଯ୍ୟନ୍ତ ଜମାତ ବାହାରେ। ତବଲିଗୀ ଜମାତରେ ନିହାତି କମରେ ୧୦ ଜଣ ସଦସ୍ୟ ଥାଆନ୍ତି। ଏଥି ମଧ୍ୟରୁ ଦୁଇ ଜଣ ଖାଦ୍ୟ ଯୋଗାଣ ଆଦି ସେବା କରିବା ପାଇଁ ନିୟୋଜିତ ହୋଇଥାନ୍ତି। ଅନ୍ୟମାନେ ସକାଳୁ ସନ୍ଧ୍ୟା ଯାଏଁ  ସହରର ଗଳି କନ୍ଦି ବୁଲି  ସ୍ଥାନୀୟ ଲୋକ ଓ  ଦୋକାନୀମାନଙ୍କୁ ମସଜିଦ ଆସିବା ପାଇଁ  କହିଥାନ୍ତି। ତବଲିଗୀ ଜମାତର ସଦସ୍ୟମାନେ ସକାଳ ୧୦ଟାରେ ହଦିସ ପଢ଼ନ୍ତି। ନମାଜ ପଢିବା ଓ ରୋଜା ରଖିବା ଉପରେ ଏହି ସଂସ୍ଥା ଗୁରୁତ୍ୱ ପ୍ରଦାନ କରିଥାଏ।

ପ୍ରଥମ ଜଲସା

ତବଲିଗୀ ଜମାତର ପ୍ରଥମ ଧାର୍ମିକ କାର୍ଯ୍ୟକ୍ରମ ଭାରତରେ ୧୯୪୧ ମସିହାରେ ଆରମ୍ଭ ହୋଇଥିଲା। ଏଥିରେ ୨୫ ହଜାର ଲୋକ ସାମିଲ ହୋଇଥିଲେ। ପରବର୍ତ୍ତୀ ଦଶ ବର୍ଷ ଯାଏଁ ଏହି ସଂସ୍ଥାର କାର୍ଯ୍ୟ ଭାରତରେ ହିଁ ସୀମିତ ଥିଲା। କିନ୍ତୁ ପରେ ଏହାର ଶାଖା ପାକିସ୍ତାନ ଓ ବଙ୍ଗଳାଦେଶରେ ଖୋଲିଥିଲା। ତବଲିଗୀ ଜମାତ ପ୍ରତିବର୍ଷ ଭାରତରେ ଏକ ବଡ଼ କାର୍ଯ୍ୟକ୍ରମ କରିଥାଏ ଓ ଦେଶ ବିଦେଶରୁ ହଜାର ହଜାର ମୁସଲମାନ ଯୋଗ ଦେଇଥାନ୍ତି।

ଚଳିତ ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ ଦିଲ୍ଲୀରେ ଏହି ସମ୍ମିଳନୀ ହୋଇଥିଲା ଯେଉଁଠାରୁ କରୋନା ଭୂତାଣୁ ବ୍ୟାପିଥିବା କୁହାଯାଉଛି।

Comment