ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧର୍ମ ହେଉଛି ମୁସଲିମ୍‌। ମସଜିଦ୍‌ରେ ନମାଜ ପଢ଼ିବା ସହ ରୋଜା ବି ପାଳିଥାନ୍ତି। କିନ୍ତୁ ଜଣେ ହିନ୍ଦୁ ସଂପ୍ରଦାୟର ସମ୍ପର୍କୀୟଙ୍କ ପାଇଁ ଧର୍ମ ଓ ଜାତିଭେଦକୁ ପଛରେ ପକାଇ ଦେଇଛନ୍ତି ଅହମ୍ମଦାବାଦର ମୁସଲିମ୍‌ ପରିବାର। ଭାନୁଶଙ୍କର ପାଣ୍ଡ୍ୟା (ହିନ୍ଦୁ ବ୍ରାହ୍ମଣ)ଙ୍କ ଦେହାନ୍ତ ପରେ ଏହି ମୁସଲିମ୍ ପରିବାର ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର କରିଛନ୍ତି। ଏପରିକି ଧୋତି ପିନ୍ଧିବାକୁ ପଛାଇ ନାହାନ୍ତି।

ସମ୍ପର୍କ ଆଗରେ ଧର୍ମ ଓ ଜାତିଭେଦକୁ ପଛ କରିଦେଇଛନ୍ତି ଅହମ୍ମଦାବାଦର ଏହି ମୁସଲିମ ତିନି ଭାଇ। ସେମାନେ ହେଉଛନ୍ତି ଅବୁ, ନସିର୍‌ ଏବଂ ଜୁବେର କୁରେସି।

ଏହି ତିନି ଭାଇଙ୍କ ବାପାଙ୍କର ଜଣେ ହିନ୍ଦୁ ବନ୍ଧୁ ଥିଲେ। ତାଙ୍କ ନାଁ ହେଉଛି ଭାନୁଶଙ୍କର ପାଣ୍ଡ୍ୟା। ୪୦ ବର୍ଷ ତଳେ ଏହି ମୁସଲିମ୍ ପରିବାର ସହିତ ଭାନୁଶଙ୍କରଙ୍କର ବନ୍ଧୁତା ବଢ଼ିଥିଲା। ଧିରେ ଧିରେ ସମ୍ପର୍କ ନିବିଡ଼ ହୋଇଥିଲା। ଭାନୁଶଙ୍କରଙ୍କ ଆତ୍ମୀୟ କେହି ନଥିବାରୁ ଏହି ମୁସଲିମ ତିନି ଭାଇ ହିଁ ତାଙ୍କର ଦେଖାଶୁଣା କରୁଥିଲେ। ବାପାଙ୍କୁ ବନ୍ଧୁ ହୋଇଥିବାରୁ ତାଙ୍କୁ ସେମାନେ ଚାଚା ଡାକୁଥିଲେ।

ହେଲେ ଭାନୁଶଙ୍କରଙ୍କର ଦେହାନ୍ତ ହୋଇଛି। ଭାନୁଶଙ୍କର ହିନ୍ଦୁ ବ୍ରାହ୍ମଣ ହୋଇଥିବାରୁ ତାଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତି ଅନୁସାରେ ପାଳନ କରିଛନ୍ତି ଏହି ମୁସଲିମ୍ ତିନି ଭାଇ। ଅନ୍ତିମ ସଂସ୍କାର ବେଳେ ସେମାନେ ଧୋତି ପିନ୍ଧିବା ଦେଖିବାକୁ ମିଳିଛି।

ଏହାସହ ଭାନୁଶଙ୍କରଙ୍କ ଶ୍ରାଦ୍ଧ କରିବା ପାଇଁ ବି ଏମାନେ ନିଷ୍ପତ୍ତି ନେଇଛନ୍ତି। ଶୁଦ୍ଧିକ୍ରିୟାରେ ଏହି ତିନି ଭାଇ ଲଣ୍ଡା ହେବା ସହ ବ୍ରାହ୍ମଣ ଭୋଜନ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ମୁସଲିମ୍‌ ତିନି ଭାଇ କହିଛନ୍ତି, ‘‘ଯେତେବେଳେ ମୃତ୍ୟୁ ଶଯ୍ୟାରେ ଭାନୁଶଙ୍କା ଚାଚା ପଡ଼ିଥିଲେ ଆମେ ତାଙ୍କ ମୁହଁରେ ଗଙ୍ଗା ପାଣି ଦେଇଥିଲୁ। ଯେତେବେଳେ ତାଙ୍କର ଦେହାନ୍ତ ହୋଇଗଲା ଆମେ ତାଙ୍କ ଅନ୍ତ୍ୟଷ୍ଟିକ୍ରୀୟା ବ୍ରାହ୍ମଣ ପରିବାରର ରୀତିନୀତି ଅନୁସାରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲୁ। ଏ ସମ୍ପର୍କରେ ଆମେ ଆମ ସମାଜରେ ଜଣାଇଛୁ।’’

ହିନ୍ଦୁ-ମୁସଲିମଙ୍କ ଭିତରେ ବିଭେଦ ସୃଷ୍ଟି କରାଯାଉଛି। ଏହି ନକରାତ୍ମକ ଚିନ୍ତାଧାରା ବନ୍ଦ କରିବା ପାଇଁ ଆମେ ଭଲ ବାର୍ତ୍ତା ଦେବାକୁ ଚାହୁଁଛୁ ବୋଲି ମୁସଲିମ୍ ତିନି ଭାଇ କହିଛନ୍ତି।

Comment