ଜ୍ଞାନରଞ୍ଜନ ଦାଶ 

୧୯୪୯ ମସିହା ପର୍ଯ୍ୟନ୍ତ ମୟୁରଭଞ୍ଜ ଗୋଟିଏ ସ୍ଵତନ୍ତ୍ର ଦେଶ ଥିଲା। ଭାରତ ପରି ତାର ସବୁକିଛି ନିଜସ୍ଵ ଥିଲା। ପଡ଼ୋଶୀ ବିହାର, ପଶ୍ଚିମବଙ୍ଗ ଏବଂ ଓଡିଶା ସହିତ ତାର ସୁସମ୍ପର୍କ ରହିଥିଲା।

ଓଡିଶାର ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିବାରେ ମୟୁରଭଞ୍ଜ ମହାରାଜାମାନେ ବେଶ୍ ସାହାଯ୍ୟ ସହଯୋଗ କରୁଥିଲେ। ସେତେବେଳେ ବ୍ରିଟିଶ ସହିତ ମୟୁରଭଞ୍ଜର ସମ୍ପର୍କ  ଏତେ ଗାଢ଼ ଥିଲା ଯେ, ମୟୂରଭଞ୍ଜର ନିଜସ୍ଵ ହାଇକୋର୍ଟ, ଷ୍ଟେଟବ୍ୟାଙ୍କ, ଭୂମିଆଇନ ଥିବା ସତ୍ଵେ ଶିକ୍ଷାକୁ ମହାରାଜାମାନେ ସଂକୁଚିତ କରିନଥିଲେ।

ଓଡିଶାରେ ସେତେବେଳେ ବିଜୁଳିବତୀ ଜଳିନଥାଏ। ଏଣୁ ଓଡିଶାରେ ବିଜୁଳିବତୀ ଜଳିବା ନିଷ୍ପତ୍ତି ହେଲା। ନିଷ୍ପତ୍ତି ସଭାରେ ମୟୁରଭଞ୍ଜ ମହାରାଜା ଉପସ୍ଥିତ ଥିଲେ। ସିଦ୍ଧାନ୍ତ ହେଲା ଓଡିଶାର ପୁରୁଣା ରାଜଧାନୀ କଟକ ସହରରେ ବିଜୁଳିବତୀ ଜଳିବ। ସେତେବେଳକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ପାଇଁ ମହାରାଜା ସହାୟତା ଦେଇସାରିଥାନ୍ତି। ରୋଗୀ ସେବା ପାଇଁ ବିଜୁଳିବତୀର ଆବଶ୍ୟକତାକୁ ମହାରାଜା ଉପଲବ୍ଧି କରିପାରିଥିଲେ। ଏଣେ ପ୍ରଶ୍ନ ଉଠିଲା ନିଜ ରାଜଧାନୀ ଅନ୍ଧାର ରହିବ କେମିତି? ତେଣୁ ଏକ ସଙ୍ଗରେ ବାରିପଦା ଓ କଟକ ସହରରେ ବିଜୁଳୀ କାମ ଚାଲିଲା। ସବୁକିଛି ବେଶ ସୁରୁଖୁରୁରେ ସରିଲା। ଏବେ ଉଦଘାଟନର ସମୟ। ତାହା ବି ସ୍ଥିର ହେଲା। ପ୍ରଥମ ଦିନ କଟକ ଓ ତା ପରଦିନ ବାରିପଦାରେ ବିଜୁଳିବତୀ ଜଳିବ।

ଏତିକି ବେଳେ ଗୋଟିଏ ମଜାଦାର କଥା ଘଟିଲା। ପଣ୍ଡିତ ଗୋପବନ୍ଧୁ ଦାସ ସେତେବେଳେ ମୟୁରଭଞ୍ଜ ରାଜାଙ୍କ ପାଖରେ ଚାକିରି କରୁଥାନ୍ତି। ବାରିପଦାରେ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ଆରମ୍ଭ ହୋଇସାରିଥାଏ। ଗୋପବନ୍ଧୁ ଥାଆନ୍ତି ଉପନଗରପାଳ। ନିଜେ ମହାରାଜା ନଗରପାଳ। ସନ୍ଧ୍ୟାରେ ଗୋପବନ୍ଧୁ ମହାରାଜାଙ୍କୁ ଚିଠି ଟିଏ ଲେଖିଲେ “ଦୀପ ତଳ ଅନ୍ଧାର”।

ଏତିକି କଥାରୁ ମହାରାଜା ବୁଝିଗଲେ ଓ ତା’ପରଦିନ ରାଜସଭାରେ ନିଜ ନିଷ୍ପତ୍ତି ଘୋଷଣା କଲେ ପ୍ରଥମଦିନ ବାରିପଦା ଓ  ପରଦିନ କଟକରେ ବିଜୁଳିବତୀ ଜଳିବ।

ବାରିପଦା ବିଜୁଳିବତୀ ଜଳିବାରେ ଓଡିଶାର ପ୍ରଥମ ସହର। ଖାଲି ସେତିକି ନୁହେଁ, ମୟୂରଭଞ୍ଜ ଯୋଗୁଁ କଟକ ସହରବାସୀ ବିଜୁଳିବତୀର ସୁଖ ଭୋଗ କରିଥିଲେ।

(ଜ୍ଞାନ ରଞ୍ଜନ ଦାଶ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଓ ଜଣେ ଲେଖକ ମଧ୍ୟ)

Comment