ଗାୟତ୍ରୀ ଦାସ

ଆମ ରାଜ୍ୟ ଓଡ଼ିଶାର ଖାଦ୍ୟ ସବୁ ରାଜ୍ୟ ତୁଳନାରେ ଭିନ୍ନ। ଏଠାରେ ସମସ୍ତ ପର୍ବପର୍ବାଣୀରେ ଭିନ୍ନ ଭିନ୍ନ ଧରଣର ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ସେହିପରି ବାଲିଯାତ୍ରାର ଫେମସ୍‌ ଖାଦ୍ୟ ହେଉଛି ଠୁଙ୍କାପୁରୀ ଓ ଛେନାଆଳୁ ତରକାରୀ। ବାଲିଯାତ୍ରା ଓଡ଼ିଶା ନୌବାଣିଜ୍ୟର ଐତିହ୍ୟ ବହନ କରିଥାଏ। ଏଥିରେ ବିଭିନ୍ନ ରାଜ୍ୟରୁ ଅନେକ ପ୍ରକାରର ଲୋକ ଆସିଥା’ନ୍ତି ବେପାର କରିବା ପାଇଁ। କିଛି ଲୋକ ବାଲିଯାତ୍ରା ବୁଲିବା ପାଇଁ ଆସନ୍ତି କେବଳ ଫେମସ୍‌ ଠୁଙ୍କାପୁରୀ ଓ ଛେନା ଆଳୁ ତରକାରୀ ଖାଇବା ପାଇଁ। ଘରେ ହିଁ ପ୍ରସ୍ତୁତ କରନ୍ତୁ ବାଲିଯାତ୍ରାର ଏହି ପ୍ରସିଦ୍ଧ ଠୁଙ୍କାପୁରୀ।

ସାମଗ୍ରୀ

  • ମଇଦା
  • ତେଲ
  • ଅଳ୍ପ କଳାଜିରା
  • ଲୁଣ ସ୍ୱାଦାନୁସାରେ
  • ଓ ଖାଇବା ସୋଡ଼ା

ପ୍ରଣାଳୀ

ପ୍ରଥମେ ମଇଦାକୁ ଅଳ୍ପ ତେଲ, ଲୁଣ, ଖାଇବା ସୋଡ଼ା ଦେଇ ଚକଟି ଦେବା। ଶେଷରେ ସେଥିରେ ଅଳ୍ପ କଳାଜିରା ପକାଇ ଭଲ ଭାବେ ଚକଟିବା ଯେପରି କଳାଜିରା ସେଥିରେ ମିଶିଯିବ। ଏହି ଚକଟାକୁ ୩/୪ଘଣ୍ଟା ଘୋଡ଼ାଇ ରଖିଦେବା। କଡ଼େଇରେ ତେଲ ଗରମ କରିବା, ତେଲ ଗରମ ହୋଇଯିବା ପରେ ଚକଟା ହୋଇଥିବା ମଇଦାକୁ ବଡ଼ ବଡ଼ ସାଇଜ୍‌ର ଗୁଳା କରିବା। ଏହା ସାଧାରଣତଃ ବେଲାଯାଏନାହିଁ। ଭଲ ଭାବରେ ଗୁଳାରେ ତେଲ ଲଗାଇ ଦୁଇ ହାତରେ ଏହାକୁ ଟାଣିଟୁଣି ଗୋଲ କରାଯାଏ ବା ପତଳା କରାଯାଏ।

ବାଲିଯାତ୍ରାରେ ଏହାର କାରିଗର ୟାକୁ ଦୁଇ ହାତରେ ଏମିତି ଉପରକୁ ଉଡ଼େଇ ଉଡ଼େଇ ଗୋଲ ରୁଟି ପରି କରି ଦେଇଥା’ନ୍ତି ଦେଖିବାକୁ ଭାରି ଭଲ ଲାଗେ। ଆମେ ଏହାକୁ ଦୁଇ ହାତରେ ଟାଣି ଟାଣି ଧୀରେ ପତଳା କରିବା ଏବଂ ଏହାକୁ ଛାଣିଦେବା। ଏହା ଖୁବ୍ ସୁନ୍ଦର ଫୁଲିକି ଛାଣି ହୋଇଯାଏ। ଏହା ହୋଇଗଲା ପରେ ଏଥିରେ ଆଳୁକଷା କିମ୍ବା ଛେନା ଆଳୁ ତରକାରୀ ଓ କୋବି, ଆଳୁ ଭଜା ସହିତ ଖାଇବାର ମଜ୍ଜା ଉଠାଇପାରିବେ।

Comment