ଓଡ଼ିଶାଲାଇଭ୍ ବ୍ୟୁରୋ

କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ଏସ୍‌ଆଇଟି ତଦନ୍ତ ଆରମ୍ଭ।

‘‘ମୁଁ ଚାହୁଁଛି ମତେ ନ୍ୟାୟ ମିଳୁ। ମୋ’ ଝିଅ ନ୍ୟାୟକୁ ଚାହିଁ ଚାହିଁ ଜୀବନ ହାରିଦେଲା। ମୁଁ ଏବେ ନ୍ୟାୟ ଚାହୁଁଛି। ନ୍ୟାୟ ନମିଳିଲେ ମୁଁ ବି ଝିଅ ଭଳି ଜୀବନ ହାରିଦେବି’’, ଏହା ହେଉଛି କୁନ୍ଦୁଲି ପୀଡ଼ିତା ମା’ଙ୍କ ବୟାନ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲର ତଦନ୍ତ ଆରମ୍ଭ କରିଛି ଏସ୍‌ଆଇଟି। ଡିଆଇଜି ସଫିକ୍ ଅହମ୍ମଦ କେ, ସତ୍ୟବ୍ରତ ଭୋଇ ଏବଂ ହିମାଂଶୁ ଲାଲ୍‌ଙ୍କୁ ନେଇ ଗଠିତ ତିନି ଜଣିଆ ଏସ୍‌ଆଇଟି ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

କୋରାପୁଟସ୍ଥିତ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଅଫିସରେ ଏସ୍‌ଆଇଟି ବୈଠକ ବସିଥିଲା। ଏହି ବୈଠକରେ ହାଜର ହୋଇଥିଲେ କୁନ୍ଦୁଲି ପୀଡ଼ିତାଙ୍କ ମା’ ଏବଂ ଭାଇ। ଏସ୍‌ଆଇଟି ଆଗରେ ସେମାନେ ସେମାନଙ୍କ ବୟାନ ରଖିଥିଲେ। ପଟ୍ଟାଙ୍ଗୀ ଥାନାର ତତ୍କାଳୀନ ଆଇଆଇସି ଦେବ କୁମାର ଗମାଙ୍ଗଙ୍କୁ ମଧ୍ୟ ଡାକି ପଚରା ଉଚରା କରିଛି ଏସ୍‌ଆଇଟି।

‘‘ତଦନ୍ତ ମାଧ୍ୟମରେ ପୀଡ଼ିତାଙ୍କ ପରିବାରକୁ ଆମେ ନ୍ୟାୟ ଦେବାକୁ ଚେଷ୍ଟା କରିବୁ। ଘଟଣାର ସବୁ ଦିଗ ପ୍ରତି ଧ୍ୟାନ ଦିଆଯିବ। ପୀଡ଼ିତାଙ୍କ ଚିକିତ୍ସା କରିଥିବା ଡାକ୍ତରଙ୍କୁ ମଧ୍ୟ ପଚରା ଉଚରା କରାଯିବ’’, କହିଛନ୍ତି ସଫିକ୍ ଅହମ୍ମଦ କେ।

ଏପଟେ ପୀଡ଼ିତାଙ୍କ ମା’ ଏସ୍‌ଆଇଟି ବୈଠକରେ ନ୍ୟାୟ ଦାବି କରିଛନ୍ତି। ତାଙ୍କ ଝିଅ ପ୍ରତି ଯେଉଁ ଅନ୍ୟାୟ ହେଲା ତାହା ଠିକ୍‌ ହୋଇନି ବୋଲି ସେ କହିଛନ୍ତି। ତାଙ୍କୁ ନ୍ୟାୟ ନମିଳିଲେ ସେ ଜୀବନ ହାରିଦେବେ ବୋଲି କହିଛନ୍ତି।

୨୦୧୭ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା କୁନ୍ଦୁଲିର ଜନୈକା ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଥିଲା। ଘଟଣା ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ହେଲେ ପୀଡ଼ିତାଙ୍କୁ ନ୍ୟାୟ ନମିଳିବାରୁ ସେ ୨୦୧୮ ଜାନୁଆରି ୨୨ରେ ଆତ୍ମହତ୍ୟା କରିଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ କମିଶନ ବସାଇଥିଲେ। ଏହି ତଦନ୍ତ ଉପରେ ଭରସା ନକରି ବରିଷ୍ଠ ନେତା ଖାରବେଳ ସ୍ୱାଇଁ ଏବଂ ପୀଡ଼ିତାଙ୍କ ମା’ ଏସ୍‌ଆଇଟି ତଦନ୍ତ ଦାବିରେ ହାଇକୋର୍ଟ ଯାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏସ୍‌ଆଇଟି ଗଠନ ହୋଇଛି।

Comment