ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଷ୍କର୍ମ ଅଭିଯୋଗରେ ଦେଶ ଛାଡ଼ି ପଳାଇଥିବା ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ଏବେ ଏକ ହିନ୍ଦୁ ଦେଶ ନିର୍ମାଣ କରିଛନ୍ତି। ଏହି ଦେଶର ସ୍ୱତନ୍ତ୍ର ପାସ୍‌ପୋର୍ଟ, ପତାକା, ସରକାରୀ ବିଭାଗ ଏବଂ ସ୍ୱତନ୍ତ୍ର ଭାଷା ମଧ୍ୟ ରହିଛି। ନିତ୍ୟାନନ୍ଦଙ୍କ ଏହି ଆତ୍ମଘୋଷିତ ହିନ୍ଦୁ ଦେଶର ନାଁ ହେଉଛି ‘କୈଳାଶ’।

ନିତ୍ୟାନନ୍ଦଙ୍କ ଏହି ହିନ୍ଦୁ ରାଷ୍ଟ୍ରର ଏକ ସ୍ୱତନ୍ତ୍ର ୱେବସାଇଟ୍‌ ଜାରି କରାଯାଇଛି। ୱେବସାଇଟ୍‌ରେ ଲେଖାଯାଇଛି, ନିଜ ଅଧିକାର ହରାଇଥିବା ହିନ୍ଦୁ ଲୋକମାନଙ୍କ ପାଇଁ କେବଳ ଏହି ଦେଶ ଗଠନ କରାଯାଇଛି।

ନିତ୍ୟାନନ୍ଦଙ୍କ ତଥାକଥିତ ହିନ୍ଦୁ ରାଷ୍ଟ୍ର କୈଳାଶ ଦୁନିଆର କେଉଁ କୋଣରେ ରହିଛି, ତାହା କାହାକୁ ଜଣାନାହିଁ। ହେଲେ ଇଣ୍ଟରନେଟ୍‌ରେ ଥିବା ୱେବସାଇଟ୍‌ରେ ଏହି ଦେଶ ବିଷୟରେ ବିଭିନ୍ନ ସୂଚନା ଦିଆଯାଇଛି। ହିନ୍ଦୁ ଧର୍ମର ରକ୍ଷା କରିବା ହିଁ ଏହି ଦେଶର ମୁଖ୍ୟ ଲକ୍ଷ୍ୟ ବୋଲି ୱେବସାଇଟ୍‌ରେ କୁହାଯାଇଛି।

ୱେବସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଦେଶରେ ପ୍ରାୟ ୧୦ କୋଟି ଲୋକ ବସବାସ କରୁଛନ୍ତି। ଦେଶରେ ଇଂରାଜୀ ଭାଷାକୁ ପ୍ରାଥମିକତା ନିଆଯାଇଥିବା ବେଳେ ସଂସ୍କୃତ ଏବଂ ତାଲିମ ଭାଷା ମଧ୍ୟ ପ୍ରଚଳିତ। ଏହି ଦେଶର ସ୍ୱତନ୍ତ୍ର ପତାକା ମଧ୍ୟ ରହିଛି। ଏହାର ନାଁ ‘ଋଷଭ’। ତ୍ରିକୋଣୀ ଆକାରର ଏହି ପତାକାରେ ଭଗବାନ ଶିବ ଅବତାରରେ ନିଜେ ନିତ୍ୟାନନ୍ଦ ଏବଂ ଶିବଙ୍କ ବାହନ ନନ୍ଦିଙ୍କ ଛବି ରହିଛି।

‘କୈଳାଶ’ ଦେଶର ରାଷ୍ଟ୍ରୀୟ ଭାଷା ହେଉଛି ଶଣ୍ଢ। ସେହିପରି ପଦ୍ମ ଫୁଲକୁ ରାଷ୍ଟ୍ରୀୟ ଫୁଲ ବୋଲି କୁହାଯାଇଛି। ବଟଗଛ ହେଉଛି ଦେଶର ରାଷ୍ଟ୍ରୀୟ ଗଛ। ଏହାର ୱେବସାଇଟ୍‌କୁ ଖୋଲିଲେ ଆତ୍ମଘୋଷିତ ବାବା ନିତ୍ୟାନନ୍ଦଙ୍କ ଛବି ଦେଖିବାକୁ ମିଳିଛି।

ଆତ୍ମଘୋଷିତ ବାବା ନିତ୍ୟାନନ୍ଦଙ୍କ ନାଁରେ କର୍ଣ୍ଣାଟକରେ ଦୁଷ୍କର୍ମ ଏବଂ ଅପହରଣ ମାମଲା ରୁଜୁ ହୋଇଥିଲା। ସେହିପରି ଗୁଜୁରାଟ୍‌ରେ ମହିଳାଙ୍କ ଉପରେ ନିର୍ଯାତନା ଭଳି ଅଭିଯୋଗ ତାଙ୍କ ଉପରେ ଥିଲା। ଏହାପରେ ପୋଲିସ୍‌ ତା’ ପଛରେ ପଡ଼ିବାରୁ ବାବା ନିତ୍ୟାନନ୍ଦ ଦେଶ ଛାଡ଼ି ପଳାଇଯାଇଥିବା କୁହାଯାଉଥିଲା। ହେଲେ ଏବେ ସେ ଏକ ହିନ୍ଦୁ ରାଷ୍ଟ୍ର ନିର୍ମାଣ କରିଥିବା ଖବର ମିଳିଛି, ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here