ଓଡ଼ିଶାଲାଇଭ୍ ବ୍ୟୁରୋ

କିଛିଦିନର ବ୍ୟବଧାନ ପରେ ଦେଶରେ ଏବେ କରୋନା ମହାମାରୀ ପୁଣିଥରେ ମୁଣ୍ଡ ଟେକିଛି। କରୋନାକୁ ପ୍ରତିହତ କରିବା ପାଇଁ ଦେଶରେ ଏବେ ଟିକାକରଣ ଚାଲିଛି। ଏହି କ୍ରମରେ ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ କରାଯିବ। ତେବେ କରୋନା ଟିକାକରଣକୁ ନେଇ ଏବେ ବି ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ରହିଛି।

ଟିକା ନେବା ପାଇଁ ଅନଲାଇନରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କି?

କରୋନା ଟିକା ନେବା ପାଇଁ ଅନଲାଇନ ମାଧ୍ୟମରେ ନିଜକୁ ପଞ୍ଜୀକୃତ କରିବା ବାଧ୍ୟତାମୂଳକ ନୁହେଁ। କେତେକ ଟିକାକରଣ କେନ୍ଦ୍ରରେ ଅନ୍ ଦି ସ୍ପଟ୍ ରେଜିଷ୍ଟ୍ରେସନର ସୁବିଧା ରହିଛି। କିନ୍ତୁ ଏହି ସୁବିଧାକୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ କରାଯାଇଛି। ତେଣୁ ଯଦି ଆପଣ ଟିକା ନେବା ପାଇଁ ଚାହୁଁଛନ୍ତି, ତେବେ ପୂର୍ବରୁ ଆରୋଗ୍ୟ ସେତୁ ମୋବାଇଲ ଆପ୍ କିମ୍ଵା କୋ-ଓ୍ଵିନ୍ ପୋର୍ଟାଲ ଜରିଆରେ ଅନଲାଇନ ପଞ୍ଜୀକରଣ କରିପାରିବେ। ନଚେତ୍ ଟିକାକରଣ କେନ୍ଦ୍ରକୁ ଯାଇ ଅଫଲାଇନରେ ପଞ୍ଜୀକରଣ କରିପାରିବେ।ଦ୍ଵିତୀୟ ଡୋଜ୍ କରୋନା ଟିକା ନେବା ଜରୁରୀ କି?

ସ୍ଵାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁସାରେ ପ୍ରଥମ ଡୋଜ୍ ଟିକା ନେବା ପରେ ଦ୍ଵିତୀୟ ଡୋଜ୍ ଟିକା ନେବା ଜରୁରୀ ଅଟେ। ଟିକାର ଦୁଇଟି ଯାକ ଡୋଜ୍ ନେବା ଦ୍ଵାରା ଏହା କରୋନାକୁ ପ୍ରତିହତ କରିବାରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ କରିପାରିବ। ତେଣୁ ପ୍ରଥମ ଡୋଜ୍ ଟିକା ନେବାର ୨୮ ଦିନ ବ୍ୟବଧାନ ପରେ ଦ୍ଵିତୀୟ ଡୋଜ୍ ଟିକା ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।

କରୋନା ଟିକା ସମସ୍ତଙ୍କ ପାଇଁ ମାଗଣା କି?

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦେଶରେ ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲଗୁଡ଼ିକରେ କରୋନା ଟିକାକରଣର ବ୍ୟବସ୍ଥା କରାଯାଇଛି। ଯଦି ଆପଣ ସରକାରୀ ହସ୍ପିଟାଲରେ କରୋନା ଟିକା ନେଉଛନ୍ତି ତେବେ ଏହା ଆପଣଙ୍କୁ ମାଗଣାରେ ଉପଲବ୍ଧ ହେବ। କିନ୍ତୁ ଘରୋଇ ହସ୍ପିଟାଲଗୁଡ଼ିକରେ ସର୍ବାଧିକ ୨୫୦ ଟଙ୍କାରେ ଆପଣ ଟିକା ନେଇପାରିବେ। କୋ-ଓ୍ଵିନ୍ ପୋର୍ଟାରଲେ ଟିକାକରଣ ପାଇଁ ପଞ୍ଜୀକରଣ କରିବା ସମୟରେ ଆପଣ ଟିକାର ଦାମ୍ ବିଷୟରେ ଜାଣିପାରିବେ।ଦ୍ଵିତୀୟ ଡୋଜ୍ ଟିକା ପାଇଁ ଯିବାବେଳେ କେଉଁ ଡକ୍ୟୁମେଣ୍ଟ ସାଥିରେ ନେବେ?

ଯଦି ଆପଣ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି, ତେବେ ଏହାର ୪ ସପ୍ତାହ ଅର୍ଥାତ ୨୮ ଦିନ ପରେ ଆପଣଙ୍କୁ ଦ୍ଵିତୀୟ ଡୋଜ୍ ଟିକା ନେବାକୁ ପଡ଼ିବ। ତେବେ ଦ୍ଵିତୀୟ ଡୋଜ୍ ଟିକା ନେବା ପାଇଁ ଯିବାବେଳେ ସାଥିରେ ପ୍ରଥମ ଡୋଜ୍ ଟିକାକରଣର ପ୍ରମାଣପତ୍ର ସାଥିରେ ନେଇକରି ଯାଆନ୍ତୁ। ଏହାଦ୍ଵାରା ଆପଣ ସଠିକ୍ ସମୟ ବ୍ୟବଧାନରେ ଟିକା ନେଉଛନ୍ତି ଏବଂ ପ୍ରଥମ ଡୋଜ୍‌ରେ ଯେଉଁ ଟିକା ନେଇଥିଲେ ଦ୍ଵିତୀୟ ଡୋଜ୍‌ରେ ସେହି ସମାନ ଟିକା ନେଉଛନ୍ତି ବୋଲି ସ୍ଵାସ୍ଥ୍ୟକର୍ମୀମାନେ ଜାଣିପାରିବ।

ଅଲଗା ଜିଲ୍ଲା କିମ୍ଵା ରାଜ୍ୟରେ ଦ୍ଵିତୀୟ ଡୋଜ୍ ଟିକା ନେଇପାରିବେ କି?

ଆପଣ ଦେଶର ଯେକୌଣସି ଜିଲ୍ଲା କିମ୍ଵା ରାଜ୍ୟରେ କରୋନା ଟିକାର ଦ୍ଵିତୀୟ ଡୋଜ୍ ନେଇପାରିବେ। ତେବେ ପ୍ରଥମଥରରେ ଆପଣ ଯେଉଁ ଟିକା ନେଇଥିଲେ ଉକ୍ତ ଟିକା କେନ୍ଦ୍ରରେ ସେହି ଟିକା ଉବଲବ୍ଧ ଅଛି କି ନାହିଁ, ତାହା ଜାଣିରଖନ୍ତୁ। କାହିଁକି ନା ପ୍ରଥମ ଡୋଜ୍‌ରେ ଯେଉଁ ଟିକା ନେଇଥିବେ, ଦ୍ଵିତୀୟ ଡୋଜ୍‌ରେ ମଧ୍ୟ ସମାନ ଟିକା ନେବାକୁ ପଡ଼ିଥାଏ।

କେଉଁଠୁ ଡାଉନଲୋଡ୍ କରିବେ ଟିକାକରଣ ସାର୍ଟିଫିକେଟ?

ଟିକା ନେଇ ସାରିବା ପରେ କୋ-ଓ୍ଵିନ୍ ପୋର୍ଟାଲ କିମ୍ଵା ଆରୋଗ୍ୟସେତୁ ମୋବାଇଲ ଆପ୍‌ରୁ ଆପଣ ଟିକାକରଣର ସାର୍ଟିଫିକେଟ ଡାଉନଲୋଡ୍ କରିପାରିବେ। ଏଥିପାଇଁ ପଞ୍ଜୀକରଣ କରିବା ବେଳେ ନିଜ ମୋବାଇଲ ନମ୍ଵର ଦେବାକୁ ଭୁଲନ୍ତୁ ନାହିଁ।

Comment