ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଦିନେ ସାଧାରଣତଃ ଆମର ତ୍ୱଚା ରୁକ୍ଷ ହୋଇଯାଇଥାଏ। ତେଣୁ ଏହି ସମୟରେ ତ୍ୱଚାର ଅଧିକ ଯତ୍ନ ନେବା ଜରୁରୀ। ପ୍ରତିଦିନ ନୂଆ ନୂଆ ଫେସ୍‌ପ୍ୟାକ୍‌ ଲଗାଇ ଆପଣ ତ୍ୱଚାକୁ ସୁନ୍ଦର ରଖିପାରିବେ। 

ସୋମବାର: ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ସୋମବାର ରାତିରେ ଆପଣ ଗୋଲାପ ଜଳ, ବେସନ ଏବଂ ଲହୁଣି ବା କ୍ରିମର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏସବୁ ସାମଗ୍ରୀକୁ ସମାନ ମାତ୍ରାରେ ନେବା ଦରକାର। ମିଶ୍ରଣ ପ୍ରସ୍ତୁତ ହୋଇଗଲା ପରେ ତାକୁ ତ୍ୱଚାରେ ଲଗାଇ ୧୫ ମିନିଟ ପରେ ନଖ ଉଷୁମ ପାଣିରେ ଧୁଅନ୍ତୁ। ଲହୁଣିକୁ ମିଶାଇବା ଏଥିପାଇଁ ଦରକାର ଯେ ତାହା ତ୍ୱଚାର ଶୁଷ୍କତାକୁ ଦୂର କରିବ।

ମଙ୍ଗଳବାର: ମଙ୍ଗଳବାର ଆପଣ ମହୁ, ଲହୁଣି ଏବଂ କିଛି ଲେମ୍ବୁ ରସକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ସେହି ମିଶ୍ରଣକୁ ତୁଳା ଦ୍ୱାରା ନେଇ ମୁହଁକୁ ଘଷି ସଫା କରନ୍ତୁ। କିଛି ସମୟ ପରେ ପୁଣି ସେହି ମିଶ୍ରଣକୁ ଲଗାଇ ୧୦ ମିନିଟ୍ ପରେ ଅଳ୍ପ ଉଷୁମ ପାଣିରେ ଧୁଅନ୍ତୁ। ଏହା ତ୍ୱଚାକୁ ନରମ ରଖିବ। ରାତିରେ ଶୋଇବା ପୂର୍ବରୁ ଏହାକୁ ବ୍ୟବହାର କଲେ ଅଧିକ ଫାଇଦା ମିଳେ।

ବୁଧବାର: ଏହି ଦିନ ଆପଣ ଘିକୁଆଁରୀ ଏବଂ ଭିଟାମିନ ଇ’ର କ୍ୟାପସୁଲକୁ ମିଶାଇ ଭଲ ଭାବେ ଏକ ପେଷ୍ଟ କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହାକୁ ମୁହଁ ଏବଂ ଗଳାରେ ଲଗାନ୍ତୁ। କିଛି ସମୟ ପରେ ତାକୁ ଧୋଇ ଦିଅନ୍ତୁ। ଇଚ୍ଛାହେଲେ ରାତିରେ ଏହାକୁ ଲଗାଇ ମଧ୍ୟ ଶୋଇହେବ।

ଗୁରୁବାର: ବାଦାମକୁ ପୂର୍ବ ଦିନ ରାତିରୁ ଭିଜାଇ ଦିଅନ୍ତୁ। ତାର ପେଷ୍ଟ ପ୍ରସ୍ତୁତ କରି ସେଥିରେ କ୍ଷୀର କିମ୍ବା କ୍ରିମ ମିଶାଇ ଲଗାନ୍ତୁ। ୧୫ ମିନିଟ ପରେ ମୁହଁ ଧୁଅନ୍ତୁ।

ଶୁକ୍ରବାର: ଏକ ଚାମଚ ମସୁଲ ଡାଲି ପାଉଡର, କିଛି ହଳଦୀ ଗୁଣ୍ଡ ଏବଂ ସମାନ ମାତ୍ରାରେ କ୍ରିମ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ତାକୁ ୧୫-୨୦ ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାଇ ଧୋଇ ଦିଅନ୍ତୁ। ମସୁର ଡାଲି ଏକ ଭଲ ସ୍କ୍ରବର କାମ କରିଥାଏ। ତେଣୁ ଏହାକୁ ଘଷିଘଷି ଧୋଇଲେ ଅଧିକ ଉପକାର ମିଳେ।

ଶନିବାର: ଶନିବାର ଚିନି ଓ ଲେମ୍ବୁ ରସ ମିଶାଇ ତ୍ୱଚାକୁ ସ୍କ୍ରବ କରନ୍ତୁ। ମୁହଁ ଧୋଇ ପୋଛିବା ପରେ ଲହୁଣି ଓ କିଛି ଲେମ୍ବୁ ରସ ମିଶାଇ ତ୍ୱଚାରେ ଲଗାନ୍ତୁ। ୧୦ ମିନିଟ ପରେ ତ୍ୱଚାକୁ ଧୁଅନ୍ତୁ। ତା’ ପରେ ଏକ ତୁଳା ନେଇ ତ୍ୱଚାକୁ ପୋଛି ଦିଅନ୍ତୁ। ଏହାଦ୍ୱାରା ତ୍ୱଚାର ଅତ୍ୟଧିକ ତେଲିଆ ଅଂଶ ବାହାରିଯିବ।

ରବିବାର: ଟମାଟୋ ରସରେ ବେସନ ଓ ଲହୁଣୀକୁ ସମାନ ମାତ୍ରାରେ ମିଶାନ୍ତୁ। ତାକୁ ତ୍ୱଚାରେ ଲଗାଇ କିଛି ସମୟ ଶୁଖିବାକୁ ଦିଅନ୍ତୁ। ଶୁଖିଗଲା ପରେ ତ୍ୱଚା ଧୋଇପାରିବେ।

Comment