ଓଡ଼ିଶାଲାଇଭ୍ ବ୍ୟୁରୋ

ନାଗରିକତା ସଂଶୋଧନ ବିଲ୍‌ ଲୋକସଭାରେ ପାସ୍‌ ହେବା ପରେ ଉତ୍ତର-ପୂର୍ବ ଭାରତ ଅଶାନ୍ତ ହୋଇଯାଇଛି। ବିଶେଷକରି ଆସାମ, ମଣିପୁର, ତ୍ରିପୁରା, ମିଜୋରାମ, ଅରୁଣାଞ୍ଚଳ ପ୍ରଦେଶ ଏବଂ ମେଘାଳୟରେ ବିଭିନ୍ନ ସଙ୍ଗଠନ ରାଜରାସ୍ତାକୁ ଆସି ଜୋରଦାର ପ୍ରତିବାଦ କରୁଛନ୍ତି। ବୁଧବାର ରାଜ୍ୟସଭାରେ ଏହି ବିଲ୍‌କୁ ନେଇ ସରଗରମ ଆଲୋଚନା ଚାଲିଥିବା ବେଳେ ଆସାମର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଦିବ୍ରୁଗଡ଼ ଏବଂ ଗୌହାଟୀରେ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା।

ଜଳିଲା ବସ୍‌, ପୋଲିସ-ବିକ୍ଷୋଭକାରୀ ମୁହାଁମୁହିଁ

ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଦିବ୍ରୁଗଡ଼ରେ ହଜାର ହଜାର ଛାତ୍ର ରାଜରାସ୍ତାକୁ ଆସିଥିଲେ। ବିଲ୍‌କୁ ବିରୋଧ କରି ବିଧାନସଭା ଅଭିମୁଖେ ଶୋଭାଯାତ୍ରା କରିଥିଲେ। ହେଲେ ପୋଲିସ ବିକ୍ଷୋଭ କରୁଥିବା ଛାତ୍ରଙ୍କ ଉପରେ ଲାଠି ମାଡ଼ କରିଥିଲା ସେହିପରି ଦିସ୍‌ପୁରରେ ମଧ୍ୟ ପୋଲିସ-ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ। ବିକ୍ଷୋଭକାରୀ ଏକ ବସ୍‌ରେ ନିଆଁ ଲଗାଇ ଦେଇଥିଲେ।

ଆସାମର ୧୦ଟି ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିବାରୁ ପରିସ୍ଥିତି ଅଶାନ୍ତ ରହିଛି। ଏହାକୁ ଦୃଷ୍ଟିରେ ରଖି ଆସାମର ୧୦ଟି ସ୍ଥାନରେ ଇଣ୍ଟରନେଟ୍‌ ଓ ମୋବାଇଲ ସେବା ବନ୍ଦ ରଖାଯାଇଛି।

ତ୍ରିପୁରାରେ ପରିସ୍ଥିତି ଅଣାୟତ୍ତ ହେବାରୁ ଅର୍ଦ୍ଧ ସୈନିକ ବଳଙ୍କୁ ମୁତୟନ କରାଯାଇଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାର୍ଇ ପୋଲିସ ଲାଠିମାଡ଼, ଲୁହ ବୁହା ଗ୍ୟାସ ପ୍ରୟୋଗ କରିବାକୁ ପଛାଇ ନାହିଁ।

ଏହି ବିଲ୍‌ ପାସ୍‌ ହେଲେ ଉତ୍ତର-ପୂର୍ବ ରାଜ୍ୟର ଭାଷା ଓ ସଂସ୍କୃତି ବିପଦରେ ପଡ଼ିବ ବୋଲି କୁହାଯାଉଛି। ଏଣୁ ଏହି ବିଲ୍‌କୁ ଜୋରଦାର ବିରୋଧ କରାଯାଉଛି।

ବିଜେପି ସାଂସଦଙ୍କ ଘର ଘେରିଲେ ବିକ୍ଷୋଭକାରୀ

ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଆସାମ, ଗୌହାଟୀ ଏବଂ ଦିବ୍ରୁଗଡ଼ରେ ଉଗ୍ରରୂପ ଧାରଣ କରିଛି ବିକ୍ଷୋଭ। ହଜାର ହଜାର ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି। ଗୌହାଟୀ ଏବଂ ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ କରାଯାଇଛି। ଅଲ ଆସାମ ଷ୍ଟୁଡେଣ୍ଟ ୟୁନିଅନ୍‌ ପକ୍ଷରୁ ସାଂସଦ କୁଇନ୍‌ ଓଝାଙ୍କ ଘରେ ବିକ୍ଷୋଭକାରୀ ଧସେଇ ପଶିଥିଲେ। ଏହାସହ ତାଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଥିଲେ। କେନ୍ଦ୍ରମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମାଙ୍କ ଘର ଆଗରେ ବିକ୍ଷୋଭକାରୀ କଳା ପତାକା ଦେଖାଇଛନ୍ତି।

ନାଗରିକତା ବିଲ୍‌କୁ ବିରୋଧ କରି ଉତ୍ତର ପୂର୍ବ ରାଜ୍ୟରେ ପରିସ୍ଥିତି ଅଣାୟତ୍ତ ହୋଇଯାଇଛି। ରାସ୍ତାରେ ଟାୟାର ଜାଳି ବିକ୍ଷୋଭକାରୀ ବିରୋଧ କରିଥିଲେ। ଜାତୀୟ ରାଜପଥ ଅବରୋଧ କରିଥିଲେ। ବିକ୍ଷୋଭକାରୀଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସମର୍ଥ ଦେଇଛନ୍ତି। ମୋଦୀ ଏବଂ ଶାହ ଉତ୍ତର ପୂର୍ବାଞ୍ଚଳ ଲୋକଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ କରିବାକୁ ଉଦ୍ୟମ କରୁଥିବା ରାହୁଲ କହିଛନ୍ତି।

LEAVE A REPLY

Please enter your comment!
Please enter your name here