ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଓଡ଼ିଶାରେ ମୁସଲିମ୍‌ ସଂଗଠନ ଭୟଭୀତ। ମୁଖ୍ୟମନ୍ତ୍ରୀ ଭେଟି ଓଡ଼ିଶାରେ ଏନ୍‌ଆରସି ଲାଗୁ ନକରିବାକୁ ଜଣାଇଲେ ଦାବି।

ଓଡ଼ିଶା ମୁସଲିମ ସଂଗଠନକୁ ଘାରିଛି ନାଗରିକତା ସଂଶୋଧନ ବିଲ୍‌ ଭୟ। ନାଗରିକତା ସଂଶୋଧନ ବିଲ୍‌ ଆଇନରେ ପରିଣତ ହେବା ପରେ ଭଦ୍ରକ ଜିଲ୍ଲାର କିଛି ମୁସଲିମ୍‌ ସଂଗଠନ ଭୟଭୀତ ହୋଇପଡ଼ିଛନ୍ତି। ଏହାସହ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରାଜ୍ୟରେ ଏନ୍‌ଆରସି ଲାଗୁ ନକରିବାକୁ ଦାବି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଓଡ଼ିଶାରେ ଏନ୍‌ଆରସି ଲାଗୁ ହେବନି ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଭଦ୍ରକ ଜିଲ୍ଲାର ଚଉଦ ମହଲା ମୁସଲିମ ଜମାତ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ନାଗରିକତା ସଂଶୋଧନ ବିଲ୍‌ ଯୋଗୁଁ ସେମାନେ ଭୟଭୀତ ହୋଇପଡ଼ିଥିବା କଥା ଜଣାଇଥିଲେ। ଏନେଇ ଭୟଭୀତ ନହେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ଓଡ଼ିଶାରେ ଏନ୍‌ଆରସି ଲାଗୁ ନକରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଥିଲେ।

ଏନେଇ ଚଉଦ ମହଲାର ଜଣେ ସଦସ୍ୟ କହିଛନ୍ତି, “ନାଗରିକତା ସଂଶୋଧନ ବିଲ୍‌ରେ ଆମେମାନେ ଭୟଭୀତ ଅଛୁ। କାଳେ ଆମର କିଛି ଅସୁବିଧା ହେବ ଆମେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲୁ। ମୁଖ୍ୟମନ୍ତ୍ରୀ ଆମକୁ ସ୍ପଷ୍ଟ ଭାବେ କହିଛନ୍ତି ରାଜ୍ୟରେ ଏନ୍‌ଆରସି ଲାଗୁ ହେବ ନାହିଁ। ଏହାସହ ଆମକୁ ଭୟଭୀତ ନହେବାକୁ ଆଶ୍ଵସନା ଦେଇଛନ୍ତି।”

ରାଷ୍ଟ୍ରପତିଙ୍କ ମୋହର ପରେ ଆଜି ଆଇନରେ ପରିଣତ ହୋଇଛି ନାଗରିକତା ସଂଶୋଧନ ବିଲ୍‌। ଏହି ବିଲ୍‌ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମ ଦ୍ଵାରା ପ୍ରତାଡ଼ିତ ହେଉଥିବା ଅଣମୁସଲିମ୍‌ ଧର୍ମର ଲୋକଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ।

ଏହି ବିଲ୍‌କୁ ବିରୋଧ କରି ବର୍ତ୍ତମାନ ଉତ୍ତର-ପୂର୍ବ ଭାରତରେ ଆନ୍ଦୋଳନ ଜୋର ଧରିଛି। ଆସାମର ଗୌହାଟୀରେ ଉତ୍ୟକ୍ତ ଲୋକ ଏକାଧିକ ଗାଡ଼ିରେ ନିଆଁ ଲଗାଇଦେଇଥିବା ବେଳେ ପୋଲିସକୁ ଟେକା ପଥର ମଧ୍ୟ ମାଡ଼ କରିଥିଲେ। ଏଥିରେ ପୋଲିସ ମଧ୍ୟ ଗୁଳି ଚଳାଇଥିବା ଜଣାପଡ଼ିଛି। ଏପରି ଉତ୍ତେଜନା ଯୋଗୁଁ ସେଠାରେ କର୍ଫ୍ୟୁ ଲାଗିବା ସହ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି।

Comment