ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ବୃଦ୍ଧି ପାଉଥିବା କୋଭିଡ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ବ୍ୟକ୍ତ କରିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ କୋଭିଡ ସ୍ଥିତିର ସମୀକ୍ଷା କରିବା ସହ କୋଭିଡ ପରିସ୍ଥିତିର ମୁକାବିଲା ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ ମୋଡରେ ଆଲୋଚନା କରିଛନ୍ତି। କୋଭିଡ ମହାମାରୀ ସହିତ ସଫଳ ମୁକାବିଲା କରିବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି ନରେନ୍ଦ୍ର ମୋଦୀ।

ପୂର୍ବରୁ ଦେଶରେ ମୁଣ୍ଡ ଟେକିଥିବା କୋଭିଡ ସ୍ଥିତିର ସଫଳତାର ସହିତ ଭାରତ ମୁକାବିଲା କରି ସଫଳତା ହାସଲ କରିଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତ ପରିସ୍ଥିତକୁ ନିୟନ୍ତ୍ରଣରେ ରଖିପାରିଛି। ଗତ ଦୁଇ ସପ୍ତାହ ଧରି କୋଭିଡ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସମସ୍ତଙ୍କୁ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

କୋଭିଡର ପୂର୍ବ ଲହରଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଛି। ଓମିକ୍ରନ ଲହରକୁ ସଫଳତାର ସହିତ ଦେଶବାସୀ ମୁକାବିଲା କରିଛନ୍ତି ବୋଲି ସେ କହିଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ସ୍ଵାସ୍ଥ୍ୟ ଭିତ୍ତିଭୂମୀଠାରୁ ନେଇ ଅକ୍ସିଜେନ ଯୋଗାଣ ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକ ସେବା ମହଜୁଦ ରହିଛି। ତୃତୀୟ ଲହର ସମୟରେ କୌଣସି ରାଜ୍ୟରୁ ସ୍ଥିତି ନିୟନ୍ତ୍ରଣରୁ ବାହାରକୁ ଯାଇଥିବା ଭଳି ଖବର ଆସିନଥିବା ଏହି ଅବସରରେ କହିଥିଲେ ପ୍ରଧାନମନ୍ତ୍ରୀ।

“କୋଭିଡ ଟିକାକରଣ ଅଭିଯାନରୁ ଅନେକ ସୁଫଳ ମିଳିଛି। ଟିକା ଯୋଗୁଁ କୋଭିଡ ନିୟନ୍ତ୍ରୀତ ହୋଇପାରିଛି। ପ୍ରତି ରାଜ୍ୟ, ଜିଲ୍ଲା ଏବଂ ଗାଁ ଗାଁରେ ଟିକାକରଣ କରାଯାଇଛି। ୯୬ ପ୍ରତିଶତ ବୟସ୍କଙ୍କୁ କୋଭିଡ ଟିକାର ପ୍ରଥମ ଡୋଜ ଦିଆଯାଇଛି। ୮୫ ପ୍ରତିଶତ ୧୫ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କଙ୍କୁ କୋଭିଡ ଟିକାର ଦ୍ଵିତୀୟ ଡୋଜ ଦିଆସରିଛି। କୋଭିଡଠାରୁ ସୁରକ୍ଷା ପାଇଁ ଟିକା ହେଉଛି ମୁଖ୍ୟ କବଚ”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଦେଶରେ ଦୁଇ ବର୍ଷ ପରେ ସ୍କୁଲ ଖୋଲିବା ସହ ଶ୍ରେଣୀ ଗୃହରେ ବସି ପିଲାମାନେ ପାଠ ପଢ଼ୁଛନ୍ତି। ଏବେ କୋଡିଜ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ସ୍ଥିତିରେ ଅଭିଭାବକଙ୍କ ଚିନ୍ତା ମଧ୍ୟ ବଢ଼ିଛି। କେତେକ ସ୍କୁଲରେ ଛାତ୍ରଛାତ୍ରୀ କୋଭିଡ ଆକ୍ରାନ୍ତ ହେବା ଖବର ମଧ୍ୟ ସାମ୍ନାକୁ ଆସୁଛି। କିନ୍ତୁ ଖୁସିର ଖବର ଅଧିକରୁ ଅଧିକ ପିଲାଙ୍କର ଟିକାକରଣ କରିବାକୁ ପ୍ରକ୍ରିୟା ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଗତ ମାର୍ଚ୍ଚ ମାସରେ ୧୨ରୁ ୧୪ ବର୍ଷର ପିଲାଙ୍କର ଟିକାକରଣ ଆରମ୍ଭ କରାଯାଇଛି। ଏପ୍ରିଲ ୨୬ ତାରିଖରେ ୬ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ କୋଭିଡ ଟିକାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଖୁବଶୀଘ୍ର ଏହି ବର୍ଗର ପିଲାଙ୍କର ଟିକାକରଣ ଆମର ପ୍ରାଥମିକତା ରହିବ ବୋଲି ମୋଦୀ କହିଛନ୍ତି। ଏଥିପାଇଁ ପୂର୍ବଭଳି ସ୍କୁଲ ଗୁଡ଼ିକରେ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଶିକ୍ଷକ ଏବଂ ଅଭିଭାବକଙ୍କ ସହଯୋଗ କାମନା କରିଛନ୍ତି। ଦେଶର ସବୁ ବର୍ଗର ନାଗରିକଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

“ତୃତୀୟ ଲହର ସମୟରେ ଦେଶରେ ଦୈନିକ ୩ ଲକ୍ଷରୁ ଅଧିକ କୋଭିଡ ମାମଲା ସାମ୍ନାକୁ ଆସୁଥିଲା। ତଥାପି ସମସ୍ତ ରାଜ୍ୟ ଏହାକୁ ସଫଳତାର ସହ ମୁକାବିଲା କରିବାରେ ସଫଳ ହୋଇଛନ୍ତି। ରାଜ୍ୟଗୁଡ଼ିକର ସହଯୋଗ କାରଣରୁ ସାମାଜିକ ଏବଂ ଆର୍ଥନୈତିକ ଗତିବିଧିକୁ ଗତି ମିଳିଲା। ଏହି ସନ୍ତୁଳନ ଆଗକୁ ମଧ୍ୟ ଜାରି ରଖିବା ଆବଶ୍ୟକ”, କହିଛନ୍ତି ପ୍ରଧାନମନ୍ତ୍ରୀ।

ଆମ ବୈଜ୍ଞାନିକ ଏବଂ ବିଶେଷଜ୍ଞମାନେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପରସ୍ଥିତିକୁ ନିରନ୍ତର ଅନୁଧ୍ୟାନ କରୁଛନ୍ତି। ସେମାନଙ୍କ ପରାମର୍ଶ ଅନୁସାରେ ପଦକ୍ଷେପ ନେବାକୁ ମୋଦୀ ପରାମର୍ଶ ଦେଇଛନ୍ତି। ସଂକ୍ରମଣକୁ ପ୍ରାରମ୍ଭରୁ ରୋକିବା ପାଇଁ ପ୍ରଥମରୁ ସରକାରଙ୍କର ପ୍ରାଥମିକତା ରହିଥିଲା ଏବେ ବି ପ୍ରଥମିକତା ରହିଛି ବୋଲି ସେ କହିଛନ୍ତି।

ଆଗରୁ ଟେଷ୍ଟିଂ, ଷ୍ଟ୍ରାକିଂ ଏବଂ ଟ୍ରିଟ୍ ଷ୍ଟ୍ରାଟେଜିକୁ ପ୍ରଭାବୀ ଭାବେ ଲାଗୁ କରାଯାଇଛି। ବର୍ତ୍ତମାନ କୋଭିଡର ଯେଉଁ ସ୍ଥିତି ରହିଛି, କୋଭିଡରେ ଆକ୍ରାନ୍ତ ହୋଇଥିବା ବହୁବିଧ ରୋଗୀଙ୍କର ଆରଟିପିସିଆର ଷ୍ଟେଟ କରାଇବା ଆବଶ୍ୟକ। ଯେଉଁମାନେ ପଜିଟିଭ ଚିହ୍ନଟ ହେବେ ସେମାନଙ୍କ ସାମ୍ପଲ ଜିନମ ସିକୁଏନ୍ସିଂ ଟେଷ୍ଟ ପାଇଁ ପଠାଇବା ଅତ୍ୟନ୍ତତ ଜରୁରୀ। ଏହା ଦ୍ଵାରା କୋଭିଡ ଭ୍ୟାରିଏଣ୍ଟର ଚିହ୍ନଟ କରାଯାଇପାରିବ।

ସାର୍ବଜନିକ ସ୍ଥାନଗୁଡ଼ିକରେ କୋଭିଡର ସମସ୍ତ ନିୟମ ପାଳନ କରିବା ସହ ଲୋକଙ୍କ ମଧ୍ୟରେ କୋଭିଡକୁ ନେଇ ଆତଙ୍କ ସୃଷ୍ଟି ନକରିବାକୁ ପରାମର୍ଶ ଦେଇଛନ୍ତି ମୋଦୀ। ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ଅପଗ୍ରେଡ କରିବା ପାଇଁ ଚାଲିଥିବା କାମକୁ ଦ୍ରୁତ ଗତି ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ବେଡ, ଭେଣ୍ଟିଲେଟର, ଅକ୍ସିଜେନ ପ୍ଲାଣ୍ଟ ସୁବିଧା ଯୋଗାଇବା କ୍ଷେତ୍ରରେ ଭାରତ ବହୁ ଆଗରେ ରହିଛି। କିନ୍ତୁ ଏହି ସବୁକୁ କାର୍ଯ୍ୟକ୍ଷମ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହାକୁ ନିରନ୍ତର ଯାଞ୍ଚ କରାଗଲେ ଆଗକୁ କ’ଣ ସବୁ ଆବଶ୍ୟକତା ପଡ଼ିବ ପୂର୍ବରୁ ଜଣାପଡ଼ିଯିବ। ଯଦି କେଉଁଠି ଅଭାବ ପରିଲକ୍ଷିତ ହୁଏ ତେବେ ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଏହି ଅଭାବ ପୂରଣ କରିବାକୁ ଚେଷ୍ଟା କରିବା ନିମନ୍ତେ ସେ କହିଥିଲେ।

ମେଡିକାଲ କଲେଜ ଏବଂ ଜିଲ୍ଲା ହସ୍ପିଟାଲଗୁଡ଼ିକରେ ଆବଶ୍ୟକ ବେଡ, ଭେଣ୍ଟିଲେଟର, ଅକ୍ସିଜେନ ସହ ଅନ୍ୟାନ୍ୟ ଆବଶ୍ୟକ ସୁବିଧାରେ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପରସ୍ପର ସହଯୋଗରେ କୋଭିଡ ବିରୋଧରେ ଲଢ଼ି ପାରିବା ଏବଂ ଆଗକୁ ବଢ଼ିପାରିବା ବୋଲି ସେ କହିଛନ୍ତି।

“ଭାରତ କୋଭିଡ ବିରୋଧର ଦୃଢ଼ ମୁକାବିଲା କରିଛି। କୋଭିଡ ଯୋଗୁଁ ଯେଉଁ ସବୁ ସମସ୍ୟା ମୁଣ୍ଡ ଟେକିଥିଲା କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ମିଶି ଏହି ପରିସ୍ଥିତିର ସଫଳତାର ସହ ମୁକାବିଲା କରିଛନ୍ତି ଏବଂ ଏହା ଆଗକୁ ମଧ୍ୟ କରିବାକୁ ପଡ଼ିବ। ଦେଶ ଏବଂ ରାଜ୍ୟଗୁଡ଼ିକର ସହଯୋଗ କାରଣରୁ ସ୍ଵାସ୍ଥ୍ୟ ଭିତ୍ତିଭୂମିରେ ବଡ଼ ଧରଣର ସୁଧାର ଆସିପାରିଛି”, କହିଛନ୍ତି ପ୍ରଧାନମନ୍ତ୍ରୀ।

ରାଜ୍ୟଗୁଡ଼ିକର ସହଯୋଗ ଯୋଗୁଁ କୋଭିଡ ପରିସ୍ଥିତି ପରେ ଭାରତର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଛି। ଆଗକୁ ରାଜ୍ୟଗୁଡ଼ିକର ଆହୁରି ଅଧିକ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସପ୍ଲାଇ ଚେନ ପ୍ରଭାବିତ ହୋଇଛି। ତେଣୁ ଏହା ବିଭିନ୍ନ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ସଙ୍କଟ ସମୟରେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ମିଳିତ ସହଯୋଗ ଦେଶକୁ ସବୁ କ୍ଷେତ୍ରରେ ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ।

Tags: #Covid19 #Corona #CoronaVirus #CovidCases #PMNarendraModi #CM

Comment