ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଗରିକତା ସଂଶୋଧନ ବିଲ୍‌ ଲଗାଇଲା ନିଆଁ। ଏହାକୁ ନେଇ ଉତ୍ତର-ପୂର୍ବ ଭାରତରେ କଡ଼ା ବିରୋଧ ଦେଖିବାକୁ ମିଳୁଛି। ଗୌହାଟୀ ପରେ ଏବେ ମେଘାଳୟ ରାଜଧାନୀ ସିଲଂରେ ଏହାକୁ ବିରୋଧ କରାଯାଇଛି। ଏନେଇ ସିଲଂରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ଓ ମେସେଜ ସେବା ବନ୍ଦ କରି ଦିଆଯାଇଛି।

ଏହାପୂର୍ବରୁ ଉତ୍ତର-ପୂର୍ବ ଭାରତର ଅନେକ ଜାଗାରେ ଇଣ୍ଟରନେଟ ଓ ମେସେଜ ସେବା ବନ୍ଦ କରି ଦିଆଯାଇଛି। ଏହାସହ ଗୌହାଟି ପରେ ଏବେ ସିଲଂରେ ମଧ୍ୟ କର୍ଫ୍ୟୁ ଲଗାଯାଇଛି। ମେଘାଳୟରେ ଏଭଳି ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା ଗୁରୁବାର ରାତିରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ।

ସଂସଦରେ ପାରିତ ହୋଇଥିବା ନାଗରିକ ସଂଶୋଧନ ବିଲ୍‌କୁ ବିରୋଧ କରି ହିଂସାକାଣ୍ଡ ଦେଖିବାକୁ ମିଳିଛି। ପ୍ରଥମେ ଏହି ବିଲ୍‌କୁ ଆସାମରେ ବିରୋଧ କରାଯାଇଥିଲା। ସେଠାରେ ଉତ୍ତ୍ୟକ୍ତ ଲୋକ ଏକାଧିକ ଗାଡ଼ି ପୋଡ଼ିବା ସହ ସୁରକ୍ଷାକର୍ମୀଙ୍କୁ ଟେକାପଥର ମାଡ଼ କରିଥିଲେ। ଏନେଇ ସେଠାରେ କର୍ଫ୍ୟୁ ଜାରି କରାଯିବା ସହ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି।

ଏକାଧିକ ସ୍ଥାନରେ କର୍ଫ୍ୟୁ ଲାଗୁ ହେବା ପରେ ମଧ୍ୟ ଲୋକମାନେ ଏହାକୁ ଖାତିର କରି ନାହାନ୍ତି। ଆନ୍ଦୋଳନ ତିହ୍ର ହେବାରୁ ପୋଲିସ ଲୋକମାନଙ୍କ ଉପରକୁ ଗୁଳି ଚଳାଇଥିବା ଜଣାପଡ଼ିଛି। ଆନ୍ଦୋଳନ ଯୋଗୁଁ ଉତ୍ତର-ପୂର୍ବ ଭାରତରେ ରେଳ, ବିମାନ ଓ ସଡ଼କ ପଥ ଚଳାଚଳ ବନ୍ଦ କରାଯାଇଛି।

ଏନେଇ ଆସାମ ମୁଖ୍ୟମନ୍ତ୍ରୀ ଶର୍ବଣାନନ୍ଦ ସୋନଓ୍ଵାଲେ ଲୋକମାନଙ୍କୁ ଶାନ୍ତ ହେବା ପାଇଁ କହିଛନ୍ତି। ଆସାମର ଲୋକମାନଙ୍କୁ ତାଙ୍କ ପରିଚୟ ସୁନିଶ୍ଚିତ କରିବାକୁ ଆଶ୍ଵାସନା ଦେଉଛି। ଦୟା କରି ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comment