ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନେ ପୋଲିସ ପୋଷାକ ପିନ୍ଧିବା ଲାଗି ସ୍ୱପ୍ନ ଦେଖୁଥିଲେ ହିମା ଦାସ। ଆଜି ସେହି ସ୍ୱପ୍ନ ତାଙ୍କର ସତ ହୋଇଛି। ଭାରତର ସଫଳ ଅନ୍ତର୍ଜାତୀୟ ଧାବିକା ହିମା ଦାସଙ୍କୁ ଆସାମ ପୋଲିସ ବିଭାଗରେ ଡିଏସପି ପଦ ମିଳିଛି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ ଆନୁଷ୍ଠାନିକ ଭାବେ ତାଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି। ତେବେ ଏହି ସଫଳତା ପଛରେ ହିମାଙ୍କର ସଂଘର୍ଷର ଲମ୍ବା ଯାତ୍ରା ରହିଛି। ଆସାମରୁ ଏକ ଛୋଟିଆ ଗାଁରୁ ଯାତ୍ରା ଆରମ୍ଭ କରିଥିବା ୨୧ ବର୍ଷୀୟ ହିମାଙ୍କର ସଂଘର୍ଷ ଓ ସଫଳତାର କାହାଣୀ ଆଜି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି।

ଫୁଟବଲ୍‌ରୁ ଖେଳ ଆରମ୍ଭ

ହିମାଙ୍କର ଜନ୍ମ ଆସାମର ନାଗାଓଁର ଢିଙ୍ଗ୍‌ଠାରେ। ତାଙ୍କର ମା, ବାପା ହେଉଛନ୍ତି ଜୋନାଲୀ ଓ ରଞ୍ଜିତ୍ ଦାସ। ୬ ଭାଇ ଭଉଣୀଙ୍କ ମଧ୍ୟରୁ ସେ ସବୁଠୁ ସାନ। ମୋଟ ୧୭ ଜଣଙ୍କୁ ନେଇ ହିମାଙ୍କର ପରିବାର। ତାଙ୍କ ବାପା ଚାଷ କରି ଏତେ ବଡ଼ ପରିବାର ଚଳାଉଥିଲେ। ଏମିତିକି ହିମା ବି ଅନେକ ସମୟରେ ତାଙ୍କ ବାପାଙ୍କୁ ସାହାଯ୍ୟ କରିବାକୁ ଯାଇ ବିଲରେ କାମ କରୁଥିବା ନଜର ଆସିଛନ୍ତି।

ଗାଁ ସ୍କୁଲରେ ପଢ଼ିଲା ବେଳେ ହିମା ପୁଆମାନଙ୍କ ସହ ମିଶି ଫୁଟବଲ ଖେଳୁଥିଲେ। ସେ ଭାରତ ତରଫରୁ ଫୁଟବଲ ଖେଳିବାପାଇଁ ଚାହିଁଥିଲେ। ହେଲେ ହିମାଙ୍କ ଭାଗ୍ୟରେ କିଛି ଅଲଗା ହିଁ ଲେଖାଥିଲା। ଖେଳ ପଡ଼ିଆରେ ତାଙ୍କର ଦକ୍ଷତା ଦେଖି ଜଣେ ଶିକ୍ଷକ ତାଙ୍କୁ ଆଥଲେଟିକ୍ସରେ କ୍ୟାରିୟର କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ହିମା ଆଥ୍‌ଲେଟ ପାଇଁ ଲାଗି ପଡ଼ିଥିଲେ।

ଟ୍ରେନିଂ ପାଇଁ କରୁଥିଲେ ୧୪୦ କିଲୋମିଟର ଯାତ୍ରା

ଏକ ଆନ୍ତ-ଜିଲ୍ଲା ପ୍ରତିଯୋଗିତାରେ ସେ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟର ନିର୍ଦ୍ଦେଶକ ତ‌ଥା ପ୍ରଶିକ୍ଷକ ନିପନ୍ ଦାସଙ୍କୁ ଦେଖା ହୋଇଥିଲେ ଓ ସେ ହିମାଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ । ନିପନ୍ ତାଙ୍କୁ ଦୌଡ଼କୁଦକୁ ପେଶା କରିବା ପାଇଁ ତାଙ୍କ ଗାଁଠାରୁ ୧୪୦ କିମି ଦୂର ଗୌହାଟୀ ଯିବାକୁ ଉପଦେଶ ଦେଇଥିଲେ। ଏହା ହିମାଙ୍କ ପାଇଁ ଚାଲେଞ୍ଜ ଥିଲା। କାରଣ ପ୍ରତିଦିନ ହିମା ବସ୍‌ରେ ୧୪୦ କିଲୋମିଟର ଯାତ୍ରା କରି ଟ୍ରେନିଂ ପାଇଁ ଯାଉଥିଲେ। ପୁଣି ରାତିରେ ଫେରୁଥିଲେ।

ହିମାଙ୍କ ପାଖରେ ନଥିଲା ଭଲ ଜୋତା

ଆର୍ଥିକ ଅଭାବ ଭିତରେ ହିମା ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏମିତିକି ଦୌଡ଼ିବା ପାଇଁ ଅଭ୍ୟାସ କରୁଥିଲା ବେଳେ ତାଙ୍କ ପାଖରେ ଭଲ ଜୋତାଟିଏ ବି ନଥିଲା। କିନ୍ତୁ ପରିବାରର ଅବସ୍ଥା ଦେଖି ସେ ତାଙ୍କ ବାପାଙ୍କୁ ଜୋତା କିଣିଦେବା ପାଇଁ କହୁନଥିଲେ। ଏମିତି ବହୁତ ଦିନ ଚାଲିବା ପରେ ତାଙ୍କୁ ବାପା ତାଙ୍କୁ ୧୨ ଶହ ଟଙ୍କାରେ ଏକ ଜୋତା କିଣିଦେଇଥିଲେ।

ହିମାଙ୍କ ସଫଳତା

ହିମା କ୍ରୀଡ଼ା କ୍ଷେତ୍ରରେ ବହୁ ସୁନାମ ଅର୍ଜନ କରିଛନ୍ତି। ସେ ତାମ୍ପେରେଠାରେ ଅନୁଷ୍ଠିତ ୨୦୧୮ ଆଇଏଏଏଫ୍ ୨୦ ବର୍ଷରୁ କମ୍ ବିଶ୍ୱ ପ୍ରତିଯୋଗିତାର ୨୦୧୮ ଆଇଏଏଏଫ୍ ୨୦ ବର୍ଷରୁ କମ୍ ବିଶ୍ୱ ପ୍ରତିଯୋଗିତା – ମହିଳା ୪୦୦, ମିଟର୍ ବିଭାଗରେ ୫୧.୪୬ ସେକେଣ୍ଡ୍ ସମୟ ନେଇ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ଶେଷ୍ଠ ୮୦ ମିଟର‌ରେ ୩ ଜଣ ପ୍ରତିଦ୍ୱନ୍ଦୀଙ୍କୁ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ଜିତିବା ସ‌ହ ଇତିହାସ ସୃଷ୍ଟି କରିଥିଲେ।

Comment