ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟରେ ପହଞ୍ଚିଲା ଦିଲ୍ଲୀ ଜାମିଆ ବିଶ୍ୱ ବିଦ୍ୟାଳୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ବିବାଦ। ପୋଲିସ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛି ଜାମିଆ ବିଶ୍ୱ ବିଦ୍ୟାଳୟର ଆଲୁମିନି ଆସୋସିଏସନ। କୋର୍ଟରେ ମଙ୍ଗଳବାର ଏହି ମାମଲାର ଶୁଣାଣି ହେବ।
ସୁପ୍ରିମକୋର୍ଟ ପ୍ରଧାନ ବିଚାରତପତି ଜଷ୍ଟିସ୍ ଏସ୍ଏ ବୋବଡେଙ୍କୁ ନେଇ ଗଠିତ ଖଣ୍ଡପୀଠ ତୁରନ୍ତ ହିଂସା ବନ୍ଦ କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଏବଂ ହିଂସା ସୃଷ୍ଟି କରିବାର ଛାତ୍ରଛାତ୍ରୀଙ୍କର କୌଣସି ଅଧିକାର ନାହିଁ ବୋଲି କୋର୍ଟ କହିଛନ୍ତି।
ଜାମିଆ ବିଶ୍ୱବିଦ୍ୟାଳୟରେ ନାଗରିକତା ଆଇନ ନିଆଁ
ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟରେ ବିକ୍ଷୋଭ କରିଥିଲେ ଛାତ୍ରଛାତ୍ରୀ। ଛାତ୍ରମାନେ ବସ୍ ଓ ଅନ୍ୟ ଗାଡ଼ି ପୋଡ଼ାଜଳା କରିବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରୁଥିଲେ। ଆନ୍ଦୋଳନକାରୀ ଛାତ୍ରମାନେ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ।
ପୋଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିବା ସହିତ ବର୍ବରତା ଦେଖାଇଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି। ପୋଲିସର ଲାଠି ମାଡ଼ରେ ୧୧ ଜଣ ଛାତ୍ର ଆହତ ହୋଇଥିବା ଅଭିଯୋଗ ହୋଇଛି। ପୋଲିସର ଏଭଳି ଏହି କାର୍ଯ୍ୟାନୁଷ୍ଠାନକୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି। ବିଶ୍ୱ ବିଦ୍ୟାଳୟର ଆଲୁମିନି ଆସୋସିଏସନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।
ହିଂସାକୁ ଦୃଷ୍ଟିରେ ରଖି ଜାନୁଆରି ୫ ତାରିଖ ଯାଏ ବିଶ୍ୱ ବିଦ୍ୟାଳୟ ବନ୍ଦ ରହିଛି।


















