ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଫଳରେ ମହିଳା ସାମ୍ବାଦିକ ଓ କ୍ୟାମେରାମ୍ୟାନ୍‌ ଆହତ ହୋଇଛନ୍ତି। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିଡିଏ ପକ୍ଷରୁ ସମସ୍ତ ସପିଂ ମଲ୍‌ ଓ ହସ୍ପିଟାଲରେ ପାର୍କିଂ ଫି’ ଆଦାୟ ଉପରେ କଟକଣା ଜାରି କରାଯାଇଥିଲା। ପାର୍କିଂ ଫି’ ଆଦାୟ ଉପରେ ରୋକ୍‌ ଲଗା ଯାଇଥିଲା। ହେଲେ ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ରେ ବେଆଇନ୍‌ ପାର୍କିଂ ଫି ଆଦାୟ ହେଉଥବା ଖବର ପାଇ ସେଠାରେ ପହଞ୍ଚିଥିଲେ ଅର୍ଗସ୍‌ ୱେବ୍‌ ଚ୍ୟାନେଲ ସାମ୍ବାଦିକ ସ୍ୱାତୀ ଜେନା ଏବଂ କ୍ୟାମେରାମ୍ୟାନ୍‌ ପ୍ରମୋଦ କୁମାର ମହାପାତ୍ର।

ସେମାନେ ବେଆଇନ୍‌ ପାର୍କିଂ ଫି’ ଖବର ସଂଗ୍ରହ କରୁଥିବା ବେଳେ ମଲ୍‌ର ସିକ୍ୟୁରିଟି ଗାର୍ଡ ଏବଂ କର୍ମଚାରୀ ବାଧା ଦେଇଥିଲେ। କ୍ୟାମେରା ଛଡ଼ାଇ ନେବା ସହ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିଲେ। ଉଭୟ ମହିଳା ସାମ୍ବାଦିକ ଓ କ୍ୟାମେରା ମ୍ୟାନ୍‌ଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

ସଂପୃକ୍ତ ଚ୍ୟାନେଲ ପକ୍ଷରୁ ଏନେଇ ସହିଦ ନଗର ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା। ସପିଂ ମଲ୍‌ କର୍ମଚାରୀଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଲ୍‌ରେ କିପରି ପାର୍କିଂ ଫି’ ଆଦାୟ ହେଉଥିଲା ତାକୁ ନେଇ ପ୍ରଶ୍ନବାଚୀ ଉଠିଛି।

Comment