ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଓଏଏସ୍‌ ମୋ’ ପାଇଁ ସଫଳତା ନୁହେଁ, ଏହା ମୋ’ ପାଇଁ ଜିଦ୍‌। ଓଏଏସ୍‌ ପାଇବା ସଫଳତାର ପ୍ରଥମ ପାହାଚ। ମୋର ଲକ୍ଷ୍ୟ ଆଇଏଏସ୍‌। ମୁଁ ଯେବେ ଆଇଏଏସ୍‌ ପାଇବି ଜାଣିବି ସଫଳତା ହାସଲ କଲି’’, କହିଛନ୍ତି ତପସ୍ୱିନୀ ଦାସ।

ଓଏଏସ୍‌ ପରୀକ୍ଷାରେ ୧୬୧ତମ ରାଙ୍କରେ ଅଛନ୍ତି ଭୁବନେଶ୍ୱରର ତପସ୍ୱିନୀ ଦାସ। ସେ ଦୃଷ୍ଟିହୀନ ହେଲେ ମଧ୍ୟ ଓଏଏସ୍‌ ପରୀକ୍ଷାରେ ସଫଳତା ହାସଲ କରି ଅନ୍ୟ ଭିନ୍ନକ୍ଷମଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ତପସ୍ୱିନୀ କହିଛନ୍ତି, ‘‘ମୁଁ କେବେ ନିଜକୁ ସ୍ୱତନ୍ତ୍ର ଭାବିନି। ଅନ୍ୟ ପିଲାମାନେ ଯାହା କରନ୍ତି ମୁଁ ତାହା ହିଁ କରୁଛି।’’

‘‘ଓଏଏସ୍‌ ପରୀକ୍ଷା ପାଇଁ ମୁଁ ସେମିତି କିଛି ପ୍ରସ୍ତୁତ ହୋଇ ନଥିଲି। ଗ୍ରାଜୁଏସନରେ ମୋର ପଲିଟିକାଲ ସାଇନ୍ସ ଅନର୍ସ ଥିଲା। ଏହି ବିଷୟରେ ମୁଁ ଏବେ ପିଜି ବି କରୁଛି। ଗ୍ରାଜୁଏସନରେ ସୋସିଓ ଲୋଜି ଏବହ ଇତିହାସ ମଧ୍ୟ ମୋର ଇଲେକ୍ଟିଭ୍‌ ଥିଲା। ଏଣୁ ମୁଁ ଯାହା ପାଠ ପଢ଼ିଥିଲି ତାହା ହିଁ ଓଏଏସ୍‌ ପରୀକ୍ଷା ବେଳେ କାମରେ ଆସିଲା।’’

‘‘ମୁଁ ପରୀକ୍ଷା ବେଳେ ସ୍କ୍ରାଇବ୍‌ ନେଇଥିଲି। ତାଛଡ଼ା ମୁଁ ଅନ୍‌ଲାଇନ୍‌ ରିସୋର୍ସରୁ ହିଁ ଅଧିକ ତଥ୍ୟ ସଂଗ୍ରହ କରି ପରୀକ୍ଷା ଦେଇଥିଲି’’, କହିଛନ୍ତି ତପସ୍ୱିନୀ।

ଯେଉଁମାନେ ଓଏଏସ୍‌ ପରୀକ୍ଷାରେ ବିଫଳ ହୋଇଛନ୍ତି ସେମାନଙ୍କୁ ଭାଙ୍ଗି ନପଡ଼ିବାକୁ ତପସ୍ୱିନୀ ପରାମର୍ଶ ଦେଇଛନ୍ତି। କ’ଣ ବିଫଳତା ହେଲା ତାର କାରଣ ବାହାର କରି ସମାଧାନ କରିବାକୁ ତପସ୍ୱିନୀ କହିଛନ୍ତି।

Comment