ଓଡ଼ିଶାଲାଇଭ୍ ବ୍ୟୁରୋ

ପିଲାଟି ଦିନରୁ  ଅଭାବୀ ପରିବାରରେ ତାଙ୍କର ଜୀବନ କଟିଥିଲା। ପରିବାରର ଅଭାବ ଅନଟନ ମଧ୍ୟରେ ସେ ନିଜକୁ ଅଫିସର ଭାବେ ଦେଖିବାକୁ ସ୍ୱପ୍ନ ଦେଖିଥିଲେ। ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇଛି। ରାଜକନିକା ଅଞ୍ଚଳର ଝିଅ ଦମୟନ୍ତୀ ସାହୁ ଓଏଏସ୍ ପରୀକ୍ଷାରେ ସଫଳ ହେବା ସହ ତାଙ୍କ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ସୋମବାର ପ୍ରକାଶ ପାଇଥିବା ଓଏଏସ୍ ରେଜଲ୍ଟରେ ଅଷ୍ଟମ ସ୍ଥାନ ହାସଲ କରିଛନ୍ତି ଦମୟନ୍ତୀ। କିନ୍ତୁ ଏତିକିରେ ତାଙ୍କର ଚେଷ୍ଟା ଶେଷ ହୋଇନି, ଆଗକୁ ନିଜକୁ ଜଣେ ଆଇଏଏସ୍ ଅଫିସର ଭାବେ ଦେଖିବାକୁ ସ୍ୱପ୍ନ ଦେଖିଛନ୍ତି ଦମୟନ୍ତୀ। ଦମୟନ୍ତୀଙ୍କ ବାପା ଦୋଳଗୋବିନ୍ଦ ସାହୁ କଟକ ଶିଳ୍ପ ନିର୍ଦ୍ଦେଶାଳୟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ତାଙ୍କର ସେହି ସ୍ୱଳ୍ପ ପରିମାଣର ବେତନ ମଧ୍ୟରେ ବହୁ କଷ୍ଟରେ ପରିବାର ଚଳାଇଥାନ୍ତି ଦୋଳଗୋବିନ୍ଦ। କିନ୍ତୁ ପିଲାମାନଙ୍କୁ କଦାପି ତାଙ୍କର ଏ ଅଭାବ ସମ୍ପର୍କରେ ଜାଣିବାକୁ ଦେଇନଥାନ୍ତି ଦୋଳଗୋବିନ୍ଦ। ପିଲାମାନଙ୍କୁ ମଣିଷ କରିବାକୁ ସେମାନଙ୍କର ପ୍ରତିଟି ଆବଶ୍ୟକତାକୁ ପୂରଣ କରିଥାନ୍ତି ବାପା ଦୋଳଗୋବିନ୍ଦ।

ଦମୟନ୍ତୀଙ୍କ କଟକର ବକ୍ଲି ଗାର୍ଲସ୍ ହାଇସ୍କୁଲରୁ ଦଶମ ଶ୍ରେଣୀ ପାସ୍ କରିଥିଲେ। ଏହାପରେ ରେଭେନ୍ସା କଲେଜରୁ ପଦାର୍ଥ ବିଜ୍ଞାନରେ ନିଜର ପିଜି ଶେଷ କରିଥିଲେ। ଏହାପରେ ନିଜକୁ ଆଇଏଏସ୍ କରିବାର ସ୍ୱପ୍ନରେ ସେ କୋଚିଂ ନେବା ଆରମ୍ଭ କରିଦେଇଥିଲେ। ଝିଅର ଏହି ସଫଳତାରେ ଏବେ ଖୁସିରେ ଆତ୍ମହରା ହୋଇ ପଡ଼ିଛନ୍ତି ତାଙ୍କର ପରିବାର ଲୋକ। କେବଳ ପରିବାର ନୁହେଁ ତାଙ୍କ ଆଖପାଖର ଲୋକମାନେ ମଧ୍ୟ ଦମୟନ୍ତୀଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Comment