ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜବାହାର ଲାଲ୍‌ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନ୍‌ୟୁ)ରେ ହୋଇଥିବା ହିଂସାରେ ମୁଖାଧାରୀଙ୍କ ମୁଖା ଖୋଲିଲା ପୋଲିସ। ରବିବାର ରାତିରେ ହଷ୍ଟେଲରେ ହୋଇଥିବା ହିଂସାରେ ୯ ଜଣ ଅଭିଯୁକ୍ତଙ୍କ ଫଟୋ ଜାରି କରିଛି ପୋଲିସ। ଏହି ୯ ଅଭିଯୁକ୍ତଙ୍କ ମଧ୍ୟରେ ଛାତ୍ର ସଂସଦ ସଭାନେତ୍ରୀ ଆଇଶୀ ଘୋଷ ମଧ୍ୟ ରହିଛନ୍ତି। ଏନେଇ ଦିଲ୍ଲୀ ପୋଲିସ ଏକ ସାମ୍ଵାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

ଫଟୋ ଜାରି ହୋଇଥିବା ଅଭିଯୁକ୍ତମାନେ ହେଲେ ଆଇଶୀ ଘୋଷ, ଚୁନ୍‌ଚୁନ୍‌ କୁମାର, ଯୋଗେନ୍ଦ୍ର ଭରଦ୍ଵାଜ, ପ୍ରିୟା ରଞ୍ଜନ, ବିକାଶ ପଟେଲ, ଡୋଲନ ଓ ପଙ୍କଜ ମିଶ୍ରା।

ଦିଲ୍ଲୀ କ୍ରାଇମବ୍ରାଞ୍ଚ ଡିସିପି ଜୋଏ ତିର୍କୀ କହିଛନ୍ତି, “ଜେଏନ୍‌ୟୁ ହିଂସା ମାମଲାକୁ ନେଇ ଅନେକ ପ୍ରକାର ଭୁଲ ସୂଚନା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ସିସିଟିଭି ଫୁଟେଜ ମଧ୍ୟ ମିଳିନଥିଲା। ଭାଇରାଲ ଭିଡିଓ ସାହାଯ୍ୟରେ ଆମେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲୁ। ବର୍ତ୍ତମାନ ୯ ଅଭିଯୁକ୍ତଙ୍କ ଫଟୋ ସାମ୍ନାକୁ ଆସିଛି। ଘଟଣାରେ କାହାରିକୁ ଅଟକ ରଖାଯାଇନି।”

ବିଶ୍ଵବିଦ୍ୟାଳୟରେ ୧ ଜାନୁଆରିରୁ ୫ ଜାନୁଆରି ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ହେବାର ଥିଲା। ହେଲେ ଏସ୍‌ଏଫଆଇ, ଏଆଇଏସ୍‌ଏ, ଏଆଇଏସ୍‌ଏଫ ଓ ଡିଏସ୍‌ଏଫ ଛାତ୍ର ସଂଗଠନ ରେଜିଷ୍ଟ୍ରେସନକୁ ବିରୋଧ କରିଥିଲେ। ଏନେଇ ବିବାଦ ଲାଗି ରହିଥିଲା। ଏହାପରେ କିଛି ଦୁର୍ବୃତ୍ତ ପେରିୟାର ଓ ସାବରମତି ହଷ୍ଟେଲରେ ପଶି ଆକ୍ରମଣ କରିଥିଲେ ବୋଲି ପୋଲିସ ସୂଚନା ଦେଇଛି।

ଜାନୁଆରି ୫ ତାରିଖ ରାତିରେ କିଛି ମୁଖାପିନ୍ଧା ଦୁର୍ବୃତ୍ତ ଜେଏନ୍‌ୟୁ ହଷ୍ଟେଲରେ ପଶି ଆକ୍ରମଣ କରିଥିଲେ। ଏଥିରେ କିଛି ଗୁରୁତର ଆହତ ହୋଇଥିଲେ। ଏହି ଆକ୍ରମଣରେ ଜେଏନ୍‌ୟୁ ଛାତ୍ରସଙ୍ଘର ସଭାପତି ଆଇଶି ଘୋଷଙ୍କ ସହିତ ପାଖାପାଖି ୧୨ଜଣ ଆହତ ହୋଇଥିଲେ।

ଘଟଣା ପରେ କିଛି ଛାତ୍ରଛାତ୍ରୀ ପୋଲିସ ନିକଟରେ ଏତଲା ଦେଇଥିଲେ। ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା। ଚାରିଆଡ଼େ ଏହାକୁ ନିନ୍ଦା ମଧ୍ୟ କରାଯାଇଥିଲା। ଶେଷରେ ମୁଖାଧାରୀଙ୍କୁ ଚିହ୍ନିବାରେ ସଫଳ ହୋଇଛି ପୋଲିସ। ଏହି ଘଟଣାରେ ଆହତ ହୋଇଥିବା ଆଇଶୀ ଘୋଷ ହିଁ ଅଭିଯୁକ୍ତ ବୋଲି ପୋଲିସ କହିଛି।

Comment