ଅଶୋକ ବହିଦାର

ବିଜୁଳି କନ୍ୟାକୁ ଶିଳାରେ ପ୍ରହାର/ ଦୈବୀ ବାଣୀ

ମଥୁରାରେ ଏକଛତ୍ରବାଦୀ ସମ୍ରାଟ କଂସାସୁରଙ୍କୁ ଗ୍ରାସିଛି ମୃତ୍ୟୁଭୟ। ପୂର୍ବ ଦୈବୀବାଣୀର ପ୍ରତିଟି ଶବ୍ଦ ତାଙ୍କ ଆଖିରୁ ନିଜ ହଜେଇ ଦେଉଛି। ଦେବକୀଙ୍କ ୭ଟି ସନ୍ତାନକୁ ଶିଳାରେ କଚାଡ଼ି ମାରିଦେବା ପରେ ଅଷ୍ଟମ ଗର୍ଭର ସନ୍ତାନ ଜନ୍ମ ତାଙ୍କୁ ଆହୁରି ବ୍ୟତିବ୍ୟସ୍ତ କରିଦେଉଛି।

ମଥୁରାର କାରାଗାରକୁ ପ୍ରବେଶ କରୁଛନ୍ତି ନିର୍ଦ୍ଦୟୀ କଂସ। ଦେବକୀଙ୍କ କୋଳରୁ ଉଠେଇ ନେଉଛନ୍ତି ବିଜୁଳିକନ୍ୟା ରୂପୀ ଶିଶୁଟିକୁ। ଶିଳାରେ କଚାଡ଼ିବା ପାଇଁ କଂସ ଉଦ୍ୟତ ହେବା କ୍ଷଣି ବିଜୁଳିକନ୍ୟା ଶୂନ୍ୟକୁ ଉଠିଯାଉଛନ୍ତି।

କଂସକୁ ଚରମ ବାଣୀ ଶୁଣାଇଛନ୍ତି ଯେ “ତୋତେ ମାରିବ ଯିଏ, ଗୋପରେ ବଢ଼ୁଛି ସିଏ।”

ଏହି ଘଟଣାରୁ ହିଁ ସୂତ୍ରପାତ ହେଉଛି ମଥୁରା ଓ ଗୋପପୁର ମଧ୍ୟରେ ରାଜନୈତିକ ଶତ୍ରୁତା। ବିଷାଦଗ୍ରସ୍ତ କଂସ କାରାଗାରରୁ ଫେରି ଯାଉଛନ୍ତି ମଥୁରାର ରାଜଦରବାରକୁ।

ରାଜଦରବାରରେ କଂସଙ୍କ ମନ୍ତ୍ରଣା

ଶ୍ରୀକୃଷ୍ଣ ରୂପୀ ମୃତ୍ୟୁର ପଦଧ୍ୱନୀ କଂସଙ୍କ ଅସ୍ଥିତ୍ବକୁ ଦୋହଲାଇ ଦେଉଛି ପ୍ରତି ମୁହୂର୍ତ୍ତରେ। କଳେ ବଳେ କୌଶଳେ ନିଜର ମୃତ୍ୟୁର କାରଣକୁ ନିଶ୍ଚିହ୍ନ କରିଦେବା ପାଇଁ କଂସ ମନ୍ତ୍ରଣା କରୁଛନ୍ତି ନିଜ ପାରିଷଦବର୍ଗଙ୍କ ସହିତ ରାଜ ଦରବାରରେ।

ଗୋପପୁର ନନ୍ଦୋତ୍ସବ

ଭଗବାନ ଶ୍ରୀକୃଷ୍ଣ ଅବତାରରେ ଅବତୀର୍ଣ୍ଣ ହୋଇଛନ୍ତି ଗୋପପୁରର ରାଜା ନନ୍ଦଙ୍କ ଉଆସରେ। ତାଙ୍କୁ ନେଇ ଉତ୍ସବ ମାନୁଛନ୍ତି ନନ୍ଦ ଓ ଯଶୋଦା ସମଗ୍ର ଗୋପବାସୀଙ୍କ ଗହଣରେ। ଶ୍ରୀକୃଷ୍ଣଙ୍କର ନିକଟତର ହେବା ପାଇଁ ଗୋପବାସୀଙ୍କ ଭିତରେ ଚାଲିଛି ଭକ୍ତିର ପ୍ରତିଯୋଗିତା।

ଦୋଳି ଝୁଲା

ଶିଶୁ ଶ୍ରୀକୃଷ୍ଣଙ୍କୁ ଦୋଳିରେ ଝୁଲାଇ ଚାଲିଛନ୍ତି ଯଶୋଦା ଓ ଗୋପାଙ୍ଗନାମାନେ। ଦୋଳି ହେଉଛି ପରମାତ୍ମାଙ୍କ ସ୍ବରୂପ। ଦୋଳିର ଦଉଡ଼ି ହେଉଛି ଭକ୍ତିର ମାଧ୍ୟମ। ପ୍ରତିଥରକ ଦଉଡ଼ି ଟଣାରେ ଆତ୍ମା ଓ ପରମାତ୍ମା ଭିତରେ ସୃଷ୍ଟି ହେଉଥିବା ସମ୍ପର୍କ କୃତାର୍ଥ କରିଦେଉଛି କୃଷ୍ଣପ୍ରେମୀ ମଥୁରାନାରୀଙ୍କୁ।

ନଗର ସଂକୀର୍ତ୍ତନ

ଭଗବାନ ଶ୍ରୀକୃଷ୍ଣ ସ୍ୱଦେହରେ ପହଞ୍ଚିଛନ୍ତି ଗୋପକୁ। ନିଜ ଅଗଣାରେ ପାଇ ପୁଲକିତ ହୋଇଉଠୁଛି ଗୋପପୁରର ପ୍ରତିଟି ମଣିଷ ହୃଦୟ। ଶ୍ରୀକୃଷ୍ଣଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାକୁଳ ହୋଇଉଠୁଛନ୍ତି ସମଗ୍ର ଗୋପପୁରବାସୀ। ଶ୍ରୀକୃଷ୍ଣଙ୍କ ସହିତ ଯୋଡ଼ି ହୋଇଛନ୍ତି କୃଷିର ଦେବତା ଲଙ୍ଗଳଧାରୀ ବଳରାମ। ଶ୍ରୀକୃଷ୍ଣ ଓ ବଳରାମଙ୍କୁ ନେଇ ଗୋପପୁରରେ ଚାଲିଛି ଅହରହ ସଂକୀର୍ତ୍ତନ ଶୋଭାଯାତ୍ରା। ‘ଜୟ ଶ୍ରୀକୃଷ୍ଣ’ ଧ୍ୱନୀରେ ଛାଇ ହୋଇଯାଇଛି ଗୋପର ମାଟିରୁ ଆକାଶ ଯାଏ।

ବରଗଡ଼ ଧନୁଯାତ୍ରାର ଇତିହାସରୁ…

ଆଦିମାତା ସିନ୍ଧୁକୁମାରୀ ଦାଶ

ବରଗଡ଼ ଧନୁଯାତ୍ରାରେ ପ୍ରଥମ ଥର ପାଇଁ ଶ୍ରୀକୃଷ୍ଣଙ୍କ ମାତା ଯଶୋଦା ଭୂମିକାରେ ଅଭିନୟ କରିଥିଲେ ସିନ୍ଧୁକୁମାରୀ ଦାଶ। ବରଗଡ଼ ଅଞ୍ଚଳରେ ସେ ‘ଆଦିମାତା’ ଭାବେ ପରିଚିତ। ସେ ମଧ୍ୟ ହେଉଛନ୍ତି ବରଗଡ଼ ପୌରପରିଷଦର ପ୍ରଥମ ମହିଳା ଭାଇସ ଚେୟାରମ୍ୟାନ୍। ଏଥିସହିତ ସେ ବରଗଡ଼ ଜିଲ୍ଲାର ପ୍ରଥମ ନାରୀ କବି। ପାଇକମାଳ ‘କସ୍ତୁରବା ମାତୃନିକେତନ’ର ସେ ଥିଲେ ପ୍ରଥମ ସଭାନେତ୍ରୀ।

ଦୂତୀ କେଉଁଟେନ୍

ବରଗଡ଼ ହାଟପଦାର ସ୍ୱର୍ଗତ ଦୂତୀ କେଉଁଟେନ୍ ଧନୁଯାତ୍ରାର ପ୍ରଥମ ‘ପୁତୁନା’ ଚରିତ୍ରର ଅଭିନେତ୍ରୀ ଥିଲେ। ତାଙ୍କର ଭୟଙ୍କର ଚେହେରା ଖୁବ୍ ଚରିତ୍ର ଉପଯୋଗୀ ମନେ ହେଉଥିଲା। ଆଶ୍ଚର୍ଯ୍ୟର ବିଷୟ ଯେ ତାଙ୍କୁ ୭୦ ବର୍ଷ ହେବା ପର୍ଯ୍ୟନ୍ତ ତାଙ୍କ ସ୍ତନରୁ କ୍ଷୀର ନିର୍ଗତ ହେଉଥିଲା। ୧୯୮୧ରେ ଗୋପପୁରରୁ ପୁତୁନା ଭୂମିକା ସାରି ଫେରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

Comment