ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶ୍ରେଷ୍ଠ ପ୍ରଦର୍ଶନ ତେଲେଙ୍ଗାନାର ଭବାନୀ ମହିଳା ସଂଘକୁ ସମ୍ମାନିତ
  • ଓଡ଼ିଶାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଏସ୍‌ଏଚଜି ଭାବେ ମା ସିଂଘ ବାହିନୀ ଟସର ହାଣ୍ଡଲୁମକୁ ସମ୍ମାନିତ
  • ଭାଗ ନେଇଥିବା ଶ୍ରେଷ୍ଠ ରାଜ୍ୟ ଭାବେ ମଣିପୁରକୁ ସମ୍ମାନିତ
  • ଶ୍ରେଷ୍ଠ ସେଲ୍ସମ୍ୟାନସିପ୍‌ ପାଇଁ ଗୋଆର ସାଇନାଥ ଏସ୍‌ଏଚ୍‌ଜିକୁ ସମ୍ମାନିତ

ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଶେଷ ହୋଇଛି ଶିଶିର ସରସ ମେଳା ୨୦୨୦। ଏହି ମେଳା ଜାନୁଆରି ୪ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏହାକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥର ମେଳାରେ ୧୬ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡ଼ିଛି।

ଏଥର ମେଳାରେ ଓଡ଼ିଶାକୁ ମିଶାଇ ମୋଟ୍‌ ୩୦୬ଟି ଷ୍ଟଲ ଖୋଲିଥିଲା। ଏଥିରେ ମୋଟ୍‌ ୬୫୦ ଜଣ ଅଂଶଗ୍ରହଣ କରିଥିଲେ। ରାଜ୍ୟ ବାହାରର ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ଖୋଲାଯାଇଥିବା ସ୍ଵତନ୍ତ୍ର ଫୁଡ୍‌ କୋର୍ଟରେ ଲୋକଙ୍କ ଭିଡ଼ ପରିଲିକ୍ଷିତ ହୋଇଥିଲା। ଏଠାରେ ସମସ୍ତେ ସୁସ୍ଵାଦୁ ବ୍ୟଞ୍ଜନର ମଜା ନେଇଥିଲେ।

ସେହିପରି ମିଲେଟ ମିଶନ ତରଫରୁ ଫୁଡ୍‌ କୋର୍ଟରେ ଖୋଲାଯାଇଥିଲା ସ୍ଵତନ୍ତ୍ର ମାଣ୍ଡିଆ କାଫେ। ଯେଉଁଥିରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଥିଲା। ରାଜ୍ୟର ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ଖୋଲାଯାଇଥିବା ଷ୍ଟଲରେ ଗ୍ରାମୀଣ ହସ୍ତଶିଳ୍ପ ସାମଗ୍ରୀ, ଶାଢ଼ି ଓ ଘରକରଣା ଦ୍ରବ୍ୟର ମଧ୍ୟ ଭଲ ବିକ୍ରିବଟା ହୋଇଥିଲା।

କେବଳ ବିକ୍ରିବଟା ନୁହେଁ, ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶିଷ୍ଟ ସଙ୍ଗୀତଜ୍ଞ ତାନ୍‌ସେନ ସିଂ, ଗାୟିକା ଅନ୍ତରା ଚକ୍ରବର୍ତ୍ତୀଙ୍କ ଗୀତ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଫ୍ୟାସନ ଟେକ୍ନୋଲୋଜିର ଛାତ୍ରଛାତ୍ରୀଙ୍କ ରାମ୍ପ ଶୋ’ ମେଳାକୁ ଅଧିକ ଆକର୍ଷଣୀୟ କରିଥିଲା।

ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ହସ୍ତ ଶିଳ୍ପ ଓ ଲଘୁ ଉଦ୍ୟୋଗ, ଖଦି ଓ ଗ୍ରାମ ଉଦ୍ୟୋଗ ମିଶନ, ଖଦି ଓ ଗ୍ରାମ ଉଦ୍ୟୋଗ ବୋର୍ଡ ଓ ନାବାର୍ଡ ସହାୟତାରେ ଏହି ମେଳା ଆୟୋଜନ କରାଯାଇଥିଲା।

ପ୍ରତି ବର୍ଷ ଭଳି ଏଥର ମଧ୍ୟ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିଥିବା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରାଜ୍ୟ ବାହାର ସ୍ଵୟଂ ସହାୟକ ଗୋଷ୍ଠୀ ଭାବରେ ତେଲେଙ୍ଗାନାର ଭବାନୀ ମହିଳା ସଂଘକୁ ସମ୍ମାନିତ କରାଯାଇଛି। ସେହିପରି ଓଡ଼ିଶାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଭାବେ ଯାଜପୁରର ମା ସିଂଘ ବାହିନୀ ଟସର ହାଣ୍ଡଲୁମ ଗୋଷ୍ଠୀଙ୍କୁ ସମ୍ମାନିତ କରାଯାଇଛି।

ଶ୍ରେଷ୍ଠ ସେଲ୍ସମ୍ୟାନସିପ୍‌ ପାଇଁ ଗୋଆର ସାଇନାଥ ଏସ୍‌ଏଚ୍‌ଜିକୁ ସମ୍ମାନିତ କରାଯିଥିବା ବେଳେ ଅଭିନବ ଦ୍ରବ୍ୟ ବିକ୍ରି ପାଇଁ ଛତିଶଗଡ଼ର ଜୟ ଅମ୍ଵେ ଏସ୍‌ଏଚ୍‌ଜିକୁ ସମ୍ମାନିତ କରାଯାଇଛି। ସେହିପରି ମେଳାରେ ଭାଗ ନେଇଥିବା ଶ୍ରେଷ୍ଠ ରାଜ୍ୟ ଭାବେ ମଣିପୁରକୁ ସମ୍ମାନିତ କରାଯାଇଛି ଓ ଭାଗ ନେଇଥିବା ଶ୍ରେଷ୍ଠ ସ୍ଵୟଂ ସହାୟକ ଗୋଷ୍ଠୀ ଭାବରେ କେରଳର ନିଲାଭୁ ଏସ୍‌ଏଚ୍‌ଜିକୁ ସମ୍ମାନିତ କରାଯାଇଛି।

Comment