ଓଡ଼ିଶାଲାଇଭ୍ ବ୍ୟୁରୋ

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ୨୦୨୨ରେ ଶନିବାର ମହିଳା ସଶକ୍ତିକରଣ ସମ୍ବନ୍ଧୀୟ ମିଶନ ଶକ୍ତିର ଏକ ସ୍ଵତନ୍ତ୍ର ଅଧିବେଶନ ଆୟୋଜିତ ହୋଇଛି। ଏହି ଅବସରରେ ମିଶନ ଶକ୍ତି ତରଫରୁ ବିଭିନ୍ନ ଅନୁଷ୍ଠାନ ସହ ୫ଟି ଏମଓୟୁ ସ୍ଵାକ୍ଷର ହୋଇଛି। ମହିଳା ସ୍ଵୟଂସହାୟକ ଗୋଷ୍ଠୀଗୁଡିକୁ ନିଜ ଉତ୍ପାଦକୁ ବିକ୍ରି କରିବା ଓ ନୂତନ ଜ୍ଞାନକୌଶଳ ଲାଭ କରିବା ଦିଗରେ ଏହି ଏମଓୟୁଗୁଡିକ ସ୍ଵାକ୍ଷର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ମିଶନ ଶକ୍ତି ଜିଲ୍ଲାସ୍ତରୀୟ ଫେଡେରେସନକୁ ୧ କୋଟି ଟଙ୍କା, ବ୍ଲକସ୍ତରୀୟ ଫେଡେରେସନକୁ ୫୦ ଲକ୍ଷ ଟଙ୍କାର ରିଭଲ୍ଭିଂ ଫଣ୍ଡ ଦେବା ସହ ମହିଳାମାନଙ୍କ ପାଇଁ ଶିଳ୍ପପାର୍କ ଓ ପ୍ରତି ଗ୍ରାମରେ ମିଶନ ଶକ୍ତିର ଗୃହ ଏବଂ ମାର୍କେଟସ୍ଥଳୀ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି।

ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଓ ଅଭିଜ୍ଞତା ବିଷୟରେ ନିବେଶକମାନଙ୍କୁ ଅବଗତ କରାଇବା ଉଦ୍ଧେଶ୍ୟରେ ଏହି ଅଧିବେଶନ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମହିଳା ସ୍ଵୟଂସହାୟକ ଗୋଷ୍ଠୀମାନଙ୍କ ମଧ୍ୟରେ ଭଲ ପ୍ରଦର୍ଶନ କରିଥିବା ୩ଟି ଗୋଷ୍ଠୀକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି। ସ୍ଵୟଂସହାୟକ ଗୋଷ୍ଠୀମାନଙ୍କୁ ଋଣ ଯୋଗାଣ କ୍ଷେତ୍ରରେ ଭଲ କାମ କରିଥିବାରୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି।

“୨୦୦୧ରୁ ଆରମ୍ଭ ହୋଇଥିବା ମିଶନ ଶକ୍ତି ଏବେ ୭୦ ଲକ୍ଷ ସଶକ୍ତ ମହିଳାଙ୍କୁ ନେଇ ଏକ ବଡ଼ ଶକ୍ତି ପାଲଟିଛି। ମହିଳାଙ୍କ ଉନ୍ନତି ବିନା କୋଣସି ଦେଶ ତଥା ରାଜ୍ୟ ଉନ୍ନତି କରିପାରେ ନାହିଁ। ମହିଳାମାନଙ୍କ ବିକାଶରେ ସମସ୍ତଙ୍କର ବିକାଶ ହୋଇଥାଏ। ଏହା ଆମ ପାଇଁ ଏକ ପବିତ୍ର ଦାୟିତ୍ୱ। ଏବେ ଓଡ଼ିଶାରେ ମିଶନ ଶକ୍ତି ମହିଳାମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରୁଛି। ରାଜ୍ୟ ସରକାର ସ୍ଵୟଂସହାୟକ ଗୋଷ୍ଠୀଙ୍କଠାରୁ ୫ ବର୍ଷରେ ୫୦୦୦ କୋଟି ଟଙ୍କାର ସାମଗ୍ରୀ କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସେମାନଙ୍କ ଉନ୍ନତିରେ ସହାୟକ ହେବ।”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

“ଓଡ଼ିଶାର ମହିଳାମାନଙ୍କୁ ମିଶନ ଶକ୍ତି ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଓ ସ୍ଵାବଲମ୍ବୀ କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି, ତାହାର ପରିଣାମ ଏବେ ଦେଖିବାକୁ ମିଳୁଛି।”, କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟାନ।

“ଓଡ଼ିଶାର ମହିଳାମାନେ ଆଜି ଗାଁ ଗହଳିରୁ ଆସି ଉଦ୍ୟୋଗୀ ହୋଇପାରିଛନ୍ତି। ଅନେକ ଜିନିଷ ତିଆରି କରି ବିକ୍ରି କରୁଛନ୍ତି। ଏହା  ମିଶନ ଶକ୍ତିର ଏକ ବଡ ସଫଳତା। ଆଗକୁ ମିଶନ ଶକ୍ତି ତରଫରୁ ମହିଳା ମାନଙ୍କୁ ଅଧିକ ସହଯୋଗ କରାଯିବ।”, କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।

“ମିଶନ ଶକ୍ତି ଓଡ଼ିଶାର ମା’ ମାନଙ୍କୁ ସ୍ଵାବଲମ୍ବୀ କରିଛି, ଏକ ନୂତନ ପରିଚୟ ଦେଇଛି। ସେମାନଙ୍କୁ ନିଜ ଜୀବନରେ କିଛି ନୂଆ କରିବା ପାଇଁ ସୁଯୋଗ ପ୍ରଦାନ କରିଛି। ଆଜି ସ୍ଵୟଂସହାୟକ ଗୋଷ୍ଠୀ ତିଆରି କରୁଥିବା ସାମଗ୍ରୀ ବହୁତ ପ୍ରସିଦ୍ଧି ଲାଭ କରିଛି, ସେଗୁଡ଼ିକର ଚାହିଦା ବୃଦ୍ଧି ହୋଇଛି। ସେମାନଙ୍କୁ ବଜାର ଯୋଗାଇ ଦେବାପାଇଁ ବିଭାଗ ଆହୁରି ଅଧିକ ପଦକ୍ଷେପ ନେବ।” କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ।

ଏହି  ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମିଶନ ଶକ୍ତି ସଚିବ ସୁଜାତା କାର୍ତିକେୟାନ, ଓଡ଼ିଶା ଲାଇଭ୍ଲିହୁଡ ମିଶନର ସିଇଓ ମନାସୀ ନିମ୍ବଲ, ମିଶନ ଶକ୍ତିର ପରାମର୍ଶଦାତା ଲୋପମୁଦ୍ରା ବକ୍ସିପାତ୍ର ଓ ଗୀତାଞ୍ଜାଳୀ ବସ୍ତିଆ ପ୍ରମୁଖ ଯୋଗ ଦେଇଥିଲେ।

Tags: #MakeInOdishaConclave2022 #MissionShaktiSession #womenentrepreneurs #SHG #Odisha

Comment