ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଷ୍ଟିଶସ୍ୟ ଚାଷରେ ନୂଆ ପରିଚୟ ସୃଷ୍ଟି କରିଛି ଓଡ଼ିଶା।

ପୁଷ୍ଟିଶସ୍ୟ ମିଲେଟ୍ସକୁ ପ୍ରୋତ୍ସାହନ ଦେଇ ଏହାର ଉତ୍ପାଦନ ଏବଂ ବ୍ୟବହାର କ୍ଷେତ୍ରରେ ସାରାଦେଶରେ ଓଡ଼ିଶା ସର୍ବାଗ୍ରେ ରହିଛି। ଏଥିଲାଗି ଓଡ଼ିଶାକୁ ସମ୍ମାନଜନକ ‘ପୋଷକ ଅନାଜ’ ପୁରସ୍କାରରେ ପୁରସ୍କୃତ କରାଯାଇଛି। ସେପ୍ଟମ୍ଵର ୧୭ରେ ଇଣ୍ଡିଆନ କାଉନସିଲ ଅଫ୍‌ ଏଗ୍ରିକଲଚରାଲ ରିସର୍ଚ୍ଚ (ଆଇସିଏଆର୍) ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ମିଲେଟ୍ସ ରିସର୍ଚ୍ଚ (ଆଇଆଇଏମ୍ଆର୍) ଏବଂ ଜାତିସଂଘର ଫୁଡ୍‌ ଆଣ୍ଡ ଏଗ୍ରିକଲଚରାଲ ଅର୍ଗାନାଇଜେସନ୍‌ (ଏଫ୍ଓ) ପକ୍ଷରୁ ଏହି ପୁରସ୍କାର ମିଳିଛିା ହାଇଦ୍ରାବାଦରେ ଅନୁଷ୍ଠିତ ଏକ ଜାତୀୟ ସମାବେଶରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କଠାରୁ ରାଜ୍ୟ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡକ୍ଟର ମୁଥୁ କୁମାର ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ପୁଷ୍ଟିଶସ୍ୟ କହିଲେ ମାଣ୍ଡିଆ, କାଙ୍ଗୁ, ସୁଆଁ, ଜହ୍ନା ଆଦିକୁ ବୁଝାଏ। ଏହା ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ। ବିଶେଷ କରି ଏହି ପୁଷ୍ଟିଶସ୍ୟ ପାହାଡ଼ିଆ ଅଞ୍ଚଳରେ ହୋଇଥାଏ। କିନ୍ତୁ ଏହାର ଏତେ ଲୋକପ୍ରିୟତା ନଥିଲା। ତେଣୁ ପୁଷ୍ଟିଶସ୍ୟର ଲୋକପ୍ରିୟତା ବୃଦ୍ଧି ପାଇଁ ୨୦୧୭ରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ଓଡ଼ିଶା ମିଲେଟ୍ସ ମିଶନ’ ବା ‘ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’। ଏହାରି ଅଧୀନରେ ପୁଷ୍ଟିଶସ୍ୟ ଚାଷକୁ ସରକାର ପ୍ରୋତ୍ସାହନ ଦେବା ସହିତ ଏହାକୁ ଚାଷଜମିରୁ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି।

କୋରାପୁଟ, ମାଲକାନଗିରି, ରାୟଗଡ଼ା ଗଜପତି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଭଳି ବର୍ତ୍ତମାନ ରାଜ୍ୟର ୧୫ଟି ଜିଲ୍ଲାର ୮୪ଟି ବ୍ଲକରେ ଓଡ଼ିଶା ମିଲେଟ୍ସ ମିଶନ କାର୍ଯ୍ୟକାରୀ ହେଉଛି। ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ ୫୨ ହଜାର ୧୬୯.୧୪ ହେକ୍ଟର ଜମିରେ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ୨୦୨୦-୨୧ ବର୍ଷରେ ରାଜ୍ୟରୁ ୨ ଲକ୍ଷରୁ ଅଧିକ କ୍ଵିଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଛି। ପୁଷ୍ଟିଶସ୍ୟ ଚାଷଦ୍ଵାରା ଏ ପର୍ଯ୍ୟନ୍ତ ୧ ଲକ୍ଷ ୧୦ ହଜାରରୁ ଅଧିକ ଚାଷୀ ଉପକୃତ ହୋଇପାରିଛନ୍ତି।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ମାନଚିତ୍ରରେ ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା ଏକ ବଣ ପାହାଡ଼ ଘେରା ଅଞ୍ଚଳ। ତେଣୁ ଏଠାକାର ମାଟି ମାଣ୍ଡିଆ ଚାଷ ପାଇଁ ଉପଯୋଗୀ। ତେଣୁ ଓଡ଼ିଶା ପୁଷ୍ଟି ଶସ୍ୟ ମିଶନ ଅଧୀନରେ ଏଠାରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ବ୍ଲକ ଯଥା କୁତ୍ରା, ନୂଆଗାଁ, କୁଆରମୁଣ୍ଡା, ରାଜଗାଙ୍ଗପୁର, ଟାଙ୍ଗରପାଲି, ହେମଗିରି, ଲେଫ୍ରିପଡ଼ା, ବାଲିଶଙ୍କରା, ଲାଠିକଟା, ଲହୁଣୀପଡ଼ା, ଗୁରୁଣ୍ଡିଆରେ ୫ ହଜାର ୨୩୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ ଚାଲିଛି। ୭ଟି ବ୍ଲକରେ ମାଣ୍ଡିଆ ଚାଷ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ୧୬ ହଜାର ଚାଷୀ ମାଣ୍ଡିଆ ଚାଷରେ ଜଡ଼ିତ ଅଛନ୍ତି। ଫଳରେ ଚାଷୀଙ୍କ ଜୀବିକା ମଧ୍ୟ ସୁନିଶ୍ଚିତ ହୋଇପାରୁଛି।

ଚାଷୀଙ୍କ କାମକୁ ସହଜ ଓ ସରଳ କରିବା ପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କୁ କ୍ଲିନର, ସେପାରେଟର, ପଲ୍‌ଭରାଇଜର ଭଳି ଆଧୁନିକ କୃଷି ଯନ୍ତ୍ରପାତି ଦିଆଯାଉଛି। ଏଥସହିତ ଚାଷୀଙ୍କ ସାର, ବିହନ ମଧ୍ୟ ଯୋଗାଇ ଦିଆଯାଉଛିା ଫଳରେ ଜିଲ୍ଲାରେ ଚାଷୀଙ୍କ ମୁହଁରେ ହସ ଫୁଟାଇଛି ଏହି ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ। କେବଳ ସେତିକି ନୁହେଁ ଚାଷୀମାନେ କେମିତି ନିଜ ଉତ୍ପାଦିତ ଶସ୍ୟକୁ ଉଚିତ ମୂଲ୍ୟରେ ବିକ୍ରି କରିପାରିବେ ସେଥିପାଇଁ ସରକାର ମଣ୍ଡି ବ୍ୟବସ୍ଥା କରିଛନ୍ତି।

ମାଣ୍ଡିଆ ଚାଷକୁ ସରକାରୀ ପ୍ରୋତ୍ସାହନ

ଓଡ଼ିଶା ମିଲେଟ୍ସ ମିଶନ ଅଧୀନରେ ମାଣ୍ଡିଆର ଚାଷଠାରୁ ଆରମ୍ଭ କରି ଅମଳ ଓ ବିକ୍ରି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରାଜ୍ୟ ସରକାର ସହାୟତା ଦେଉଛନ୍ତି। ଏଥିଲାଗି ଚାଷୀଙ୍କୁ ବିହନ, ସାର ଓ ଆଧୁନିକ କୃଷି ଯନ୍ତ୍ରପାତି ଆଦି ଯୋଗାଇ ଦିଆଯାଉଛି। ଉତ୍ପାଦନ ବୃଦ୍ଧି ସହ ମାଣ୍ଡିଆ ବିକ୍ରି ଲାଗି ଆବଶ୍ୟକୀୟ ବଜାର ସୃଷ୍ଟି ପାଇଁ ମଧ୍ୟ ସରକାର ବ୍ୟବସ୍ଥା କରୁଛନ୍ତି। ଏଥିଲାଗି ରାଜ୍ୟରେ ୭୨ଟି କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ) ପ୍ରତିଷ୍ଠା କରାଯାଇଛି। ଏହି ଏଫ୍‌ପିଓ ଜରିଆରେ ସରକାର ଚାଷୀମାନଙ୍କଠାରୁ ମାଣ୍ଡିଆ ଏବଂ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟ କିଣୁଛନ୍ତି।

ମହିଳା ହେଉଛନ୍ତି ସ୍ୱାବଲମ୍ବୀ

ମିଶନ ଶକ୍ତି ସହ ମିଲେଟ୍ସ ମିଶନକୁ ଯୋଡ଼ି ସରକାର ସ୍ଵତନ୍ତ୍ର ଭାବେ ‘ମିଲେଟ୍ ଶକ୍ତି’ ଗଠନ କରିଛନ୍ତି। ଏହା ଜରିଆରେ ମିଶନ ଶକ୍ତିର ମହିଳାମାନଙ୍କ ହାତରେ ବିଭିନ୍ନ ଯୋଜନାରେ ନୂଆ ନୂଆ ଦାୟିତ୍ୱ ଦେଉଛନ୍ତି ରାଜ୍ୟ ସରକାର। ସେମାନେ ଏବେ କେବଳ ପରିବାରିକ ଦାୟିତ୍ଵରେ ସୀମିତ ନାହାନ୍ତି। ମିଲେଟ୍ ଶକ୍ତି ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପୋଷଣ କାର୍ଯ୍ୟକ୍ରମର ଦାୟିତ୍ଵ ମିଳିଛି। ପୁଷ୍ଟିଶସ୍ୟ ଚାଷ ନିମନ୍ତେ ସରକାର ସେମାନଙ୍କୁ ଆବଶ୍ୟକୀୟ ଆଧୁନିକ କୃଷି ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି। ପୁଷ୍ଟିଶସ୍ୟ ଚାଷୀମାନେ ଏସ୍‌ଏଚ୍‌ଜି ମହିଳାମାନଙ୍କଠାରୁ ଏହି ଯନ୍ତ୍ରପାତି ଭଡ଼ାରେ ନେଇ ଚାଷ କରୁଛନ୍ତି। ଏହାଦ୍ଵାରା ଭଲ ଅମଳ ସହ ମହିଳାମାନେ ମଧ୍ୟ ପରିଚାଳନା ବାବଦକୁ କିଛି ଅର୍ଥ ରୋଜଗାର କରିପାରୁଛନ୍ତି।

ସେହିପରି ଏସ୍ଏଚଜି ମହିଳାମାନେ ପୁଷ୍ଟିଶସ୍ୟର ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର ବା କ୍ଲିନିଂ ସେଣ୍ଟରର ପରିଚାଳନା କରୁଛନ୍ତି। ଏଥିସହ ଆଉ ପାଦେ ଆଗକୁ ଯାଇ ସେମାନେ ମିଲେଟ୍ସରୁ ନାନା ରକମର ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ବିଭିନ୍ନ ମେଳା ଏବଂ ସ୍ଵତନ୍ତ୍ର ଭାବେ ‘ମିଲେଟ୍ସ କାଫେ’ ଜରିଆରେ ତାହାକୁ ବିକ୍ରି କରୁଛନ୍ତି।  ମିଲେଟ ଶକ୍ତି କାଫେ, ମିଲେଟ୍‌ ଟିଫିନ ସେଣ୍ଟର କରାଯାଇ ମିଲେଟ ଜାତୀୟ ଖାଦ୍ୟକୁ ଏବେ ଲୋକପ୍ରିୟ କରାଯାଉଛି। ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହିତ କରିବାରେ ଓଡ଼ିଶା ମାଇଲଖୁଣ୍ଟ ଅତିକ୍ରମ କରିଛି।

ମିଲେଟ୍ସର ପ୍ରଚାର ପ୍ରସାର ସହିତ ଏସ୍ଏଚଜି ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ଆହୁରି ସ୍ଵାବଲମ୍ଵୀ କରିବା ନିମନ୍ତେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁବଶୀଘ୍ର ‘ମିଲେଟ ଶକ୍ତି କିଓସ୍କ’ ଖୋଲିବାକୁ ଯାଉଛି। ସେଠାରେ ମିଶନ ଶକ୍ତିର ମା’ମାନେ ମାଣ୍ଡିଆରୁ ତିଆରି ବିଭିନ୍ନ ଖାଦ୍ୟ ପରସିବେ। ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଓ ମିଶନ ଶକ୍ତି ବିଭାଗ ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୧ଟି ମିଲେଟ ଶକ୍ତି କିଓସ୍କ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୬ଟି କିଓସ୍କ ଖୋଲିବାକୁ ଯୋଜନା ରଖାଯାଇଛି। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବିଭିନ୍ନ ପ୍ରକାର ପୁଷ୍ଟିଶସ୍ୟରରୁ ଖାଦ୍ୟ ପ୍ରସ୍ତୁତି ଓ କିଓସ୍କ ପରିଚାଳନା ପାଇଁ ତାଲିମ ଦିଆଯାଉଛି।

ପୋଷଣ ଯୋଗାଉଛି ପୁଷ୍ଟିଶସ୍ୟ

ମାଣ୍ଡିଆ ଭଳି ପୁଷ୍ଟିଶସ୍ୟରେ ପ୍ରଚୁର ମାତ୍ରାରେ ପୋଷଣ ଶକ୍ତି ଭରି ରହିଛି। ଏଥିଲାଗି ରାଜ୍ୟରେ ସାନ ସାନ ପିଲାଙ୍କ ପୋଷଣ ଆବଶ୍ୟକତା ପୂରଣ ନିମନ୍ତେ ମାଣ୍ଡିଆର ବ୍ୟବହାର କରାଯାଉଛି। ଏହି କ୍ରମରେ କେନ୍ଦୁଝର ଏବଂ ସୁନ୍ଦରଗଡ଼ରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ସହଯୋଗରେ ଅଙ୍ଗନବାଡ଼ି ଯାଉଥିବା ପିଲାମାନଙ୍କୁ ସକାଳ ଜଳଖିଆରେ ମାଣ୍ଡିଆ ଲଡୁ ମିକ୍ସ ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍ ୩୮୦୯ଟି ଅଙ୍ଗନବାଡ଼ି କେନ୍ଦ୍ରରେ ୬୦ ହଜାର ୧୩ ଜଣ ଏବଂ କେନ୍ଦୁଝର ଜିଲ୍ଲାର ୩୨୫୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ୮୬ ହଜାର ୮୫୮ ଜଣ ପିଲା ଏହି ଯୋଜନା ମାଧ୍ୟମରେ ଉପକୃତ ହୋଇଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଖାଦ୍ୟ ଏବେ ସହରବାସୀଙ୍କ ପ୍ରମୁଖ ଖାଦ୍ୟ ହୋଇପାରିଛି।

ମାଣ୍ଡିଆରୁ ପ୍ରସ୍ତୁତ ହେଉଛି ସୁଆଦିଆ ଖାଦ୍ୟ 

ମାଣ୍ଡିଆରେ ପ୍ରଚୁର ପୋଷଣ ଶକ୍ତି ରହିଛି। ଏଥିରୁ ତିଆରି ଖାଦ୍ୟ ପାଟିକୁ ଯେମିତି ସୁଆଦିଆ, ଦେହ ପାଇଁ ସେମିତି ସ୍ୱାସ୍ଥ୍ୟକର। ତେଣୁ ମାଣ୍ଡିଆ ଓ ଅନ୍ୟ ପୁଷ୍ଟିଶସ୍ୟକୁ ଲୋକପ୍ରିୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛି ଓଡ଼ିଶା ମିଲେଟ୍ସ ମିଶନ। ସ୍ଵାସ୍ଥ୍ୟ ପାଇଁ ହିତକର ମାଣ୍ଡିଆ ତଥା ଅନ୍ୟ ପୁଷ୍ଟିଶସ୍ୟରୁ ୨୫ରୁ ଅଧିକ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେଉଛି। ପାରମ୍ପରିକ ମାଣ୍ଡିଆ ଜାଉ ବ୍ୟତୀତ ମାଣ୍ଡିଆରୁ ଭଳିକି ଭଳି ସୁଆଦିଆ ଆଧୁନିକ ଖାଦ୍ୟ ପ୍ରସ୍ତୁତ ହେଉଛି। ଏହା ମଧ୍ୟରେ ରହିଛି ମାଣ୍ଡିଆ କେକ୍, ରସଗୋଲା, ଗୋଲାପଜାମୁ, ରସାବଳି, ସ୍ୟାଣ୍ଡଓ୍ଵିଚ୍, ବିସ୍କୁଟ୍, ଲଡୁ, ହାଲୱା, ଖିରି, ଉପମା, ଖେଚୁଡି, ବିରିୟାନୀ, ପିଜା, ବରା, ମାଲପୁଆ, ଦୋସା ଏବଂ ପକୁଡ଼ି।

ଏସ୍ଏଚଜି ମହିଳାମାନେ ଏହିସବୁ ଫୁଡ୍ ଆଇଟମ୍ ବନାଇ ତାହାକୁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଦର୍ଶନ କରି ଓଡ଼ିଶା ମିଲେଟ୍ସକୁ ଜାତୀୟ ସ୍ତରରେ ଆଦୃତ କରାଇପାରିଛନ୍ତି। ଏଥିସହ ଏବେ ମାଣ୍ଡିଆରୁ ଆହୁରି ଭଳିକି ଭଳି ଆଧୁନିକ ଖାଦ୍ୟ କେମିତି ପ୍ରସ୍ତୁତ ହୋଇପାରିବ ତା’ର ପ୍ରଣାଳୀ ଶିଖିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଆଗ୍ରହ ଦେଖାଉଛନ୍ତି। ତେଣୁ ସରକାର ବିଭିନ୍ନ ଏନ୍‌ଜିଓ ସହାୟତାରେ ସ୍ଵତନ୍ତ୍ର କର୍ମଶାଳାମାନ କରି ମହିଳାମାନଙ୍କୁ ମିଲେଟ୍ସରୁ ଖାଦ୍ୟ ପ୍ରସ୍ତୁତି ପାଇଁ ତାଲିମ ଦେଉଛନ୍ତି। ବିଭିନ୍ନ ସମୟରେ ପୁଷ୍ଟିଶସ୍ୟ ଖାଦ୍ୟ ମହୋତ୍ସବ ମଧ୍ୟ ଆୟୋଜନ କରାଯାଉଛି।

ପିଡିଏସ୍‌ରେ ସାମିଲ୍ ମାଣ୍ଡିଆ

ମାଣ୍ଡିଆ ଭଳି ଏକ ପୁଷ୍ଟିକର ଖାଦ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହାକୁ ସାଧାରଣ ବଣ୍ଟନ ବ୍ୟବସ୍ଥା ବା ପିଡିଏସରେ ସାମିଲ୍ କରାଯାଇଛି। ରାଜ୍ୟ ପୁଷ୍ଟିକର କାର୍ଯ୍ୟକ୍ରମ ଅଧୀନରେ ପାଇଲଟ୍ ପ୍ରକଳ୍ପ ଭାବେ ରାଜ୍ୟର ୧୪ଟି ଜିଲ୍ଲାରେ ରାସନକାର୍ଡ ହିତାଧିକାରୀଙ୍କୁ ମାଣ୍ଡିଆ ଯୋଗାଇ ଦିଆଯାଉଛି। ପ୍ରତି ରାସନକାର୍ଡଧାରୀଙ୍କୁ ଗୋଟିଏ ମାସ ଚାଉଳ ବଦଳରେ ୨ ଟଙ୍କା ପ୍ରତି କିଲୋରେ ମାଣ୍ଡିଆ ଦିଆଯାଉଛି। ଏହାଦ୍ଵାରା ପ୍ରାୟ ୫୦ ଲକ୍ଷ ରାସନକାର୍ଡ ହିତାଧିକାରୀ ଉପକୃତ ହେଉଛନ୍ତି।

କୃଷି ଓଡ଼ିଶା ୨୦୨୦ରେ ମାସ୍କଟ ଥିଲା ମାଣ୍ଡିଆ

ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବାର୍ଷିକ ଉତ୍ସବ ଭାବେ ପ୍ରତିବର୍ଷ ରାଜଧାନୀ ଭୁବନେଶ୍ଵରରେ ‘କୃଷି ଓଡ଼ିଶା’ ଅନୁଷ୍ଠିତ ହେଉଛି। ବିଭାଗ ପକ୍ଷରୁ କୃଷି ଓଡ଼ିଶା ୨୦୨୦ ସଂସ୍କରଣରେ ମାଣ୍ଡିଆକୁ ମାସ୍କଟ୍ ଭାବରେ ରଖାଯାଇଥିଲା। ଏହି ପ୍ରଦର୍ଶନୀର ଫୁଡ୍ ଜୋନ୍‌ରେ ମାଣ୍ଡିଆ ତିଆରି ବିଭିନ୍ନ ପାରମ୍ପରିକ ଏବଂ ଆଧୁନିକ ଖାଦ୍ୟର ଷ୍ଟଲ୍ ଲାଗିଥିଲା। ଏଥିରେ ମାଣ୍ଡିଆ ଲଡୁ ଓ ମାଲ୍‌ପୁଆଠାରୁ କେକ୍, କୁକିଜ୍, ପିଜା ଆଦିର ମଜ୍ଜା ନେଇଥିଲେ ଲୋକେ। ଏଥିସହ ମାଣ୍ଡିଆ ମିଶନ ମାଧ୍ୟମରେ ଓଡ଼ିଶା ପାଇଥିବା ବିଶେଷ ସଫଳତା ଲୋକଙ୍କ ନିକଟରେ ପହଞ୍ଚିପାରିଥିଲା।

ଅନ୍ୟ ରାଜ୍ୟ ପାଇଁ ଓଡ଼ିଶା ଉଦାହରଣ

ମାଣ୍ଡିଆ ତଥା ଅନ୍ୟ ପୁଷ୍ଟିଶସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସଫଳତାର କାହାଣୀ ଅନ୍ୟ ରାଜ୍ୟ ପାଇଁ ପ୍ରେରଣା ହୋଇଛି। ପୂର୍ବରୁ ‘ଓଡ଼ିଶା ମିଲେଟ୍ସ ମିଶନ’ର ମଡେଲକୁ ନୀତି ଆୟୋଗ ପ୍ରଶଂସା କରିବା ସହ ଓଡ଼ିଶାର ମିଲେଟ୍ସ ମଡେଲ ଢାଞ୍ଚାରେ ମାଣ୍ଡିଆ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ୟ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ନିକଟରେ ଛତିଶଗଡ଼ର କିଛି ଚାଷୀ, କୃଷି ଅଧିକାରୀ ଏବଂ ପଲିସି ମେକର୍ ଓଡ଼ିଶା ଗସ୍ତରେ ଆସି ସୁନ୍ଦରଗଡ଼ରେ କିଭଳି ପୁଷ୍ଟିଶସ୍ୟ ଚାଷ ହେଉଛି, ତାହାର ସମ୍ପୂର୍ଣ୍ଣ ମଡେଲକୁ ସେମାନେ ଅନୁଧ୍ୟାନ କରିଥିଲେ। ସେହିପରି ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ମଧ୍ୟ ଓଡ଼ିଶା ମିଲେଟ୍ସ ମିଶନର ମଡେଲକୁ ଆପଣାଇବାକୁ ପ୍ରସ୍ତାବ ଦେଇଛି।

ଆମ ଦେଶର ପାଖାପାଖି ୨୧ଟି ରାଜ୍ୟରେ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ତାମିଲନାଡୁ, ହରିୟାଣା, ମଣିପୁର, ମେଘାଳୟ ଓ ନାଗାଲାଣ୍ଡରେ ପୁଷ୍ଟିଶସ୍ୟ ଚାଷ ପ୍ରତି ଆଗ୍ରହ ବଢ଼ିଛି।

Comment