ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୨୫ରୁ ଏପ୍ରିଲ ୨ ତାରିଖ ଭିତରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ। ଏନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ମାର୍ଚ୍ଚ ୨୫ରୁ ଏପ୍ରିଲ ୨ ଭିତରେ ଚୈତ୍ର ନବରାତ୍ର ପଡୁଛି। ଏଣୁ ଏହି ସମୟରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ ବୋଲି କୁହାଯାଉଛି।

ଗତ ନଭେମ୍ବର ମାସରେ ସୁପ୍ରିମକୋର୍ଟ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ଐତିହାସିକ ରାୟ ଦେଇଥିଲେ। ତିନି ମାସ ଭିତରେ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟ୍ରଷ୍ଟ ଗଠନ ପାଇଁ ଫେବ୍ରୁଆରି ୧୦ ତାରିଖ ହେଉଛି ଡେଡ୍‌ଲାଇନ୍‌।

ଏହି ଟ୍ରଷ୍ଟରେ କିଏ କିଏ ରହିବେ ତାହା ଆପାତତଃ ଚୂଡ଼ାନ୍ତ ହୋଇ ଯାଇଛି। ୮ ତାରିଖ ସୁଦ୍ଧା ଟ୍ରଷ୍ଟ ଗଠନ ହୋଇଯିବ ବୋଲି କୁହାଯାଉଛି।

ରାମ ଜନ୍ମଭୂମି ନ୍ୟାସ ଟ୍ରଷ୍ଟ ଯେଉଁ ନକ୍ସା ତିଆରି କରିଛି ସେହି ଆଧାରରେ ମନ୍ଦିର ନିର୍ମାଣ ହେବ ବୋଲି କୁହାଯାଉଛି।

୧୧ ଜଣ ସଦସ୍ୟଙ୍କୁ ନେଇ ଟ୍ରଷ୍ଟ ଗଠନ କରାଯିବ। ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ଏବଂ ଅଯୋଧ୍ୟା ଜିଲ୍ଲାପାଳ ଏହି ଟ୍ରଷ୍ଟରେ ସଦସ୍ୟ ରହିପାରନ୍ତି। ନିମୋହୀ ଆଖଡ଼ାର ଜଣେ ସଦସ୍ୟ, ରାମ ଜନ୍ମଭୂମି ନ୍ୟାସର ମହନ୍ତ, ବିଶ୍ୱହିନ୍ଦୁ ପରିଷଦର ମହାମନ୍ତ୍ରୀ ସଦସ୍ୟ ରହିବେ ବୋଲି କୁହାଯାଉଛି।

Comment