ଓଡ଼ିଶାଲାଇଭ୍ ବ୍ୟୁରୋ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓଡ଼ିଶାର ୪୪ ତମ ରାଜ୍ୟ ଅଧିବେଶନ ଜାନୁଆରି ୩୧ ତାରିଖରେ ଆୟୋଜିତ ହେବ। ତିନି ଦିନଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ଶହ ଶହ ବିଦ୍ୟାର୍ଥୀମାନେ ଯୋଗଦେବେ ବୋଲି ଶନିବାର ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।ଏବିଭିପିର ଏହି ରାଜ୍ୟ ଅଧିବେଶନ କଟକର ବସୁନ୍ଧରା ପଡ଼ିଆରେ ଆୟୋଜିତ ହେବ। ଜାନୁଆରି ୩୧ ତାରିଖରୁ ଏହା ଆରମ୍ଭ ହୋଇ ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ରାଜ୍ୟର ୩୦୦ରୁ ଅଧିକ ମହାବିଦ୍ୟାଳୟ, ୧୪ ବିଶ୍ୱବିଦ୍ୟାଳୟ ଓ ୫ରୁ ଅଧିକ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ଯୋଗଦେବେ। ଅଧିବେଶନରେ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଓ ସାମାଜିକ ସ୍ଥିତି ସମ୍ପର୍କରେ ଆଲୋଚନା ହେବା ସହ  ଦୁଇଟି ପ୍ରସ୍ତାବ ମଧ୍ୟ ପାରିତ ହେବ। ଅଧିବେଶନରେ ବିଦ୍ୟାର୍ଥୀ ପରିଷଦର ଲକ୍ଷ୍ୟ ଓ ଆଦର୍ଶ, କାର୍ଯ୍ୟପଦ୍ଧତି ଓ ନିୟମ ସମ୍ଭନ୍ଧରେ ଆଲୋଚନା ହେବ।ଏଥିସହିତ ଅଧିବେଶନରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ବିଦ୍ୟାର୍ଥୀ ପରିଷଦର  ନୂତନ ରାଜ୍ୟ କାର୍ଯ୍ୟକାରିଣୀ ହେବା ସହ ନୂତନ ସଭାପତି ଓ ସମ୍ପାଦକ ମଧ୍ୟ ଚୟନ କରାଯିବ। ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନୂତନ ସଭାପତି ଓ ସମ୍ପାଦକ ନିର୍ବାଚିତ ହେବେ। ୪୪ ତମ ରାଜ୍ୟ ଅଧିବେଶନରୁ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାମାନେ ଉର୍ଜାର ସହିତ ନିଜର କ୍ୟାମ୍ପସକୁ ଯାଇ ନୂତନ ଭାରତ ନିର୍ମାଣର କାର୍ଯ୍ୟକୁ ଆଗକୁ ନେବେ ବୋଲି ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Comment