ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଜାତୀୟ ଉଦ୍ୟାନ ଭିତରେ ବାସ କରୁଥିବା ଖେଜୁରୀ ଗ୍ରାମର ବାସିନ୍ଦାମାନଙ୍କୁ ଆଜି ଜଙ୍ଗଲ ବାହାରକୁ ସ୍ଥାନାନ୍ତର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଗୁରୁଗୁଡ଼ିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖେଜୁରୀ ଗ୍ରାମରୁ ଆଜି ୧୧୦ ପରିବାରଙ୍କୁ ଠାକୁରମୁଣ୍ଡା ବ୍ଳକ ସାଲେଇବେଡ଼ା ଗ୍ରାମରେ ପୁନଃବସତି କଲୋନିରେ ଥଇଥାନ କରିଛି ବନ ବିଭାଗ।

ଶିମିଳିପାଳ ଉଦ୍ୟାନକୁ ଜାତୀୟ ମାନ୍ୟତା ମିଳିବା ପରେ ଉଦ୍ୟାନ ଭିତରେ ଥିବା ଜନବସତିଗୁଡ଼ିକୁ ବିଭିନ୍ନ ସମୟରେ ବନ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ସ୍ଥାନାନ୍ତର କରାଯାଉଛି। ଜଙ୍ଗଲ ବିଭାଗ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଗ୍ରାମବାସୀମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଛି।

ପୁନଃବସତି ଆଇନ ଅନୁଯାୟୀ ସମସ୍ତ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇବା ସହିତ ପରିବାର ପିଛା ୧୦ଲକ୍ଷ ଟଙ୍କା, ବିଜୁ ପକ୍କାଘର ଦିଆଯାଉଛି। ଏହାସହ ପୈତୃକ ସମ୍ପତି ଥିଲେ ଏକର ପିଛା ଏକ ଲକ୍ଷ ଟଙ୍କାର ସହାୟତା ରାଶି ବନ ବିଭାଗ ପକ୍ଷରୁ ଯୋଗାଇବା ସହ ତିନି ମାସ ପର୍ଯ୍ୟନ୍ତ ଅସ୍ଥାୟୀ ବସ୍ତି ବାସିନ୍ଦାଙ୍କୁ ମାଗଣାରେ ଖାଇବା ବ୍ୟବସ୍ଥା କରାଯାଇଛି।

ଏହି ପୁନଃବସତି ଆଇନରେ ସାମିଲ ହୋଇ କିଛି ପରିବାର ବେଶ ଖୁସିରେ ନିଜ ଭିଟାମାଟି ଛାଡୁଥିବା ବେଳେ ଆଉ କିଛି ପରିବାର ଜଙ୍ଗଲ ଛାଡ଼ି ନାହାଁନ୍ତି। ଯେଉଁମାନେ ଗ୍ରାମ ଛାଡୁ ନାହାଁନ୍ତି ସେମାନଙ୍କୁ ବନ ବିଭାଗ ପକ୍ଷରୁ ବୁଝାସୁଝା କରାଯାଇ ଏହି ଆଇନରେ ସାମିଲ ହେବା ପାଇଁ କୁହାଯାଉଛି।

Comment