ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ପହଞ୍ଚିଲା ଚୀନର କରୋନା ଭାଇରସ। ଶନିବାର କେରଳର ୭ ଜଣ ଲୋକଙ୍କ ପାଖରେ ମାରାତ୍ମକ କରୋନା ଭାଇରସ ଥିବା ସନ୍ଦେହ କରି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ ଅଳ୍ପ ଦିନ ତଳେ ଚୀନରୁ ଫେରିଥିବାବେଳେ ଏମାନଙ୍କ ପାଖରେ ଏହି ଭାଇରସ ଥିବା ସନ୍ଦେହ କରାଯାଉଛି।

ଏଥିସହିତ ମହାରାଷ୍ଟ୍ର, ହାଇଦ୍ରାବାଦ୍ ଓ ଚେନ୍ନାଇ ଭଳି ସହରରେ ମଧ୍ୟ କିଛି ଲୋକଙ୍କ ପାଖରେ ଏହି ଭାଇରସ ଥିବା ସନ୍ଦେହ କରାଯାଇଛି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସ୍ୱତନ୍ତ୍ର ସ୍କାର୍ଡରେ ରଖାଯାଇଛି। ଏହି ଲୋକଙ୍କୁ ଥଣ୍ଡା ଓ କାଶ ହେବା ସହ ତାଙ୍କ ପାଖରେ କରୋନା ଭାଇରସର ଲକ୍ଷଣ ଦେଖାଯିବା ହେତୁ ସେମାନଙ୍କର ଚିକିତ୍ସା ଆରମ୍ଭ କରାଯାଇଛି।

ଚୀନରେ ଏବେ ଏହି ଭାଇରସ ନିଜର ଆତଙ୍କ ଖେଳାଇ ଦେଇଛି। ଏହି ଭାଇରସ୍ କବଳରେ ଚୀନର ପ୍ରାୟ ୧୩ ଶହ ଲୋକ ଆକ୍ରାନ୍ତ ହେବା ସହ ବର୍ତ୍ତମାନ ସୁଦ୍ଧା ୨୬ ଜଣ ଲୋକ ପ୍ରାଣ ହରାଇସାରିଲେଣି। ଏପରିକି ଚୀନ୍ ସରକାର କରୋନା ଭାଇରସର ପ୍ରସାରକୁ ରୋକିବା ଲାଗି ୧୩ଟି ସହରକୁ ଅନ୍ୟ ସହରଠାରୁ ବିଚ୍ଛିନ୍ନ କରିଦେଇଛନ୍ତି। ଏଥିସହିତ ଅନେକ ଭାରତୀୟ ଛାତ୍ର ମଧ୍ୟ ସେଠାରେ ଫସି ରହିଛନ୍ତି ବୋଲି ସୂଚନା ମିଳିଛି।

ଚୀନର ଗବେଷକମାନଙ୍କ କହିବା ମତରେ ସାପ ମାଂସ ଖାଇବା କାରଣରୁ ଏହି ଭାଇରସ୍ ମଣିଷ ଶରୀରକୁ ବ୍ୟାପିଛି। ବର୍ତ୍ତମାନ ଏହି ଭାଇରସ ଲୋକମାନଙ୍କ ମଧ୍ୟରେ ବ୍ୟାପିବା ଆରମ୍ଭ କରିଛି। କେବଳ ଚୀନ୍ ନୁହେଁ ଏହି ଭାଇରସ ଏବେ ଭିଏତନାମ୍, ସିଙ୍ଗାପୁର ଓ ଆମେରିକାରେ ମଧ୍ୟ ବ୍ୟାପିବା ଆରମ୍ଭ କରିଛି।

Comment