ନୀଳାମ୍ବର ରଥ
ଆମେ ସାମାଜିକ ଜୀବନରେ ସବୁବେଳେ ‘କଲଚର୍’ ଖୋଜୁ। ଅଫିସ୍ ପରିଚାଳନାରେ ସଫଳତା ବା ବିଫଳତା ନେଇ ‘କଲଚର୍’କୁ ଦାୟୀ କରୁ। ଜଣେ ବ୍ୟକ୍ତିର ଆଚରଣ ବିଷୟରେ ବିଚାର କଲାବେଳେ ମଧ୍ୟ ଏହି ‘କଲଚର୍’ କଥା ଉଠେ। କିନ୍ତୁ ଯେତେବେଳେ ଆମେ ବଡ଼ ବଡ଼ କୋଠାବାଡ଼ି, ଓଭରବ୍ରିଜ୍ ବା ଜଳଭଣ୍ଡାର ନିର୍ମାଣ କଥା କହୁ ସେତେବେଳେ ଏହି ‘କଲଚର୍’ କଥା ଭୁଲିଯାଉ! ନହେଲେ ଗୋଟିଏ ପରେ ଗୋଟିଏ ନିର୍ମାଣଜନିତ ଦୁର୍ଘଟଣା ଘଟୁନଥାନ୍ତା।
ଶୁକ୍ରବାର ରାତିରେ ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ଚାଲିଥିବା ଏକ ଛାତ ଭୁଶୁଡ଼ି ପଡ଼ିଲା। ଏହି ଘଟଣାରେ ଜଣେ ଆହତ ହୋଇଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଛାତ ପଡ଼ିବା ଦିନ ହିଁ କିଭଳି ଏହା ଭୁଶୁଡ଼ି ପଡ଼ିଲା ତାକୁ ନେଇ ତର୍ଜମା ଆରମ୍ଭ ହୋଇଛି।
ପ୍ରାୟ ୨ ବର୍ଷ ତଳେ ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ନିର୍ମାଣ ଚାଲିଥିବା ଓଭରବ୍ରିଜର ଗୋଟିଏ ସ୍ପାନ୍ ଗଳିପଡ଼ିଥିଲା। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସହ ମୋଟରସାଇକେଲରେ ବସି ଆସୁଥିବା ତାଙ୍କ ଝିଅ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରି ବଞ୍ଚିଯାଇଥିଲା। ଏହି ଘଟଣା ପରେ ଦୁର୍ବଳମାନର କାମ ଏବଂ ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ନ ଦେବା କଥାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ କିଛି ଦିନର ବ୍ୟବଧାନ ପରେ ଆମେ ସମସ୍ତେ ସେହି ଘଟଣାକୁ ଭୁଲିଗଲୁ।
ଏବେ ପ୍ରତିଦିନ ସେହି ଓଭରବ୍ରିଜ୍ ଉପର ଦେଇ ହଜାର ହଜାର ଲୋକ ଯିବା ଆସିବା କରୁଛନ୍ତି । କିନ୍ତୁ ହୁଏତ ଖୁବ୍ କମ୍ ଲୋକ ସେହି ପୁରୁଣା ଘଟଣା କଥା ମନେପକାଇ ପାରୁଥିବେ।
‘କଲଚର୍’ର ଅର୍ଥ ହେଉଛି ସଂସ୍କୃତି। ଏଠାରେ ସଂସ୍କୃତିର ଅର୍ଥ କଳା ସଂସ୍କୃତି ନୁହେଁ। ସଂସ୍କୃତିର ଅର୍ଥ ଏକ ସର୍ବଜନଗ୍ରାହ୍ୟ ଧାରା ବା ପ୍ରଚଳିତ ତଥା ଗ୍ରହଣୀୟ ଅଭ୍ୟାସ। ଜରୁରୀକାଳୀନ ସେବା କ୍ଷେତ୍ରରେ ‘ପ୍ରୋଟୋକଲ୍’ ବୋଲି ଗୋଟିଏ ଶବ୍ଦ ବ୍ୟବହାର କରାଯାଏ। ସେହିଭଳି ଅନ୍ତର୍ଜାତୀୟ କ୍ଷେତ୍ରରେ ‘ନନ୍ ନିଗୋସିଏବୁଲ୍’ ବୋଲି ଗୋଟିଏ ଶବ୍ଦ ରହିଛି। ଏଗୁଡ଼ିକର ମୋଟାମୋଟି ଅର୍ଥ ହେଉଛି ଯାହା ପାଳନ କରାଯିବା ଜରୁରୀ ବା ବାଧ୍ୟତାମୂଳକ ବା ନିହାତି ଆବଶ୍ୟକ ବା ଯାହା ପାଳନ କରାନଗଲେ ଅଘଟଣ ଘଟିପାରେ। ତେଣୁ କୋଠାବାଡ଼ି ବା ଓଭରବ୍ରିଜ୍ ଆଦି ନିର୍ମାଣ ବେଳେ ଯେ କିଛି ‘କଲଚର୍’ ବା ‘ପ୍ରୋଟୋକଲ’ ବା ‘ନନ୍ ନିଗୋସିଏବୁଲ୍’ ବିଷୟ ରହିଛି ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଏହି ‘କଲଚର୍’ ପାଳନ ହେଉଛି କି ନାହିଁ ତାହା ହିଁ ପ୍ରଥମ ଓ ଶେଷ ପ୍ରଶ୍ନ।
ବିମାନ ଘାଟି ଛାତ ଭୁଶୁଡ଼ିବା ଘଟଣାରେ ଏ ଲେଖକ କାହିଁକି ‘କଲଚର୍’ କଥା ଉଠାଇଲା ତା’ର ଗୋଟିଏ ଛୋଟ କାରଣ ରହିଛି। ଶୁକ୍ରବାର ଦିନ ରାତିରେ ଯେତେବେଳେ ଟିଭି ସାମ୍ବାଦିକମାନେ ସମ୍ପୃକ୍ତ କଣ୍ଟ୍ରାକ୍ଟରଙ୍କୁ ଘେରି ବିଭିନ୍ନ ପ୍ରଶ୍ନ ପଚାରୁଥିଲେ ସେଇଠି ମୋ ମନକୁ ଗୋଟିଏ କଥା ଆସିଲା । ସେ ଥିଲେ ସମ୍ପୃକ୍ତ କନଷ୍ଟ୍ରକ୍ସନ କମ୍ପାନିର ପରିଚାଳନା ନିର୍ଦ୍ଦେଶକ। ଅର୍ଥାତ୍ କମ୍ପାନି ନିୟମ ଅନୁଯାୟୀ ଗୋଟିଏ ସଂସ୍ଥାର ସବୁଠାରୁ ଦାୟିତ୍ୱଶୀଳ ଅଧିକାରୀ। କିନ୍ତୁ ସାମ୍ବାଦିକମାନଙ୍କ ପ୍ରଶ୍ନରେ ସେ ଯେଉଁ ଢଙ୍ଗରେ ଉତ୍ତର ଦେଉଥିଲେ ଏବଂ ତାଙ୍କର ‘ବଡ଼ି ଲାଙ୍ଗୁଏଜ୍’ ବା ଅଙ୍ଗଭଙ୍ଗୀ ଯାହା ଥିଲା ତାହା ସେହି ସମୟ, ସେହି ଘଟଣା ସାଙ୍ଗରେ ଯାଉନଥିଲା। ଅର୍ଥାତ୍ ସେ ଜଣେ ଚାଲୁ ଓ ଦାୟିତ୍ୱହୀନ ବ୍ୟକ୍ତି ଭଳି ମିଡିଆ ସହିତ କଥାବାର୍ତ୍ତା କରୁଥିଲେ । ତାଙ୍କ କଥାର ପ୍ରତିଟି ବାକ୍ୟରେ ଏହି ଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା।
ସମ୍ପୃକ୍ତ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଯେ ଜଣେ ସଂସ୍କୃତି ସମ୍ପନ୍ନ, ଦାୟିତ୍ୱବାନ୍ ଏବଂ ମଣିଷପଣିଆ ସମ୍ପନ୍ନ ବ୍ୟକ୍ତି ନୁହନ୍ତି ଏକଥା ମୁଁ ସିଧାସଳଖ କହିପାରୁନାହିଁ । ଏଭଳି କହିବାକୁ ମୁଁ ବା କିଏ? କିନ୍ତୁ ଏ ରାଜ୍ୟର ଜଣେ ସାଧାରଣ ନାଗରିକ ଭାବରେ ଯେତେବେଳେ ମୁଁ ଘଟଣାଟିକୁ ଗଭୀର ଭାବରେ ଦେଖୁଛି ମତେ ଲାଗୁଛି ଯେ କେବଳ ସମ୍ପୃକ୍ତ କନଷ୍ଟ୍ରକ୍ସନ୍ କମ୍ପାନି ନୁହେଁ ବରଂ ଏହି ନିର୍ମାଣ କାର୍ଯ୍ୟ ପଛରେ ଯେତେ ବାବୁ ସମ୍ପୃକ୍ତ ରହିଛନ୍ତି ସମସ୍ତଙ୍କର କୋଉଠି ନା କୋଉଠି ‘କଲଚର୍’ରେ ସମସ୍ୟା ରହିଛି । ଯଦି ଏହି ଟିପ୍ପଣୀ କାହା ଦେହକୁ ଲାଗେ ମତେ କ୍ଷମା କରିବେ।
ଦୁଇ ବର୍ଷ ତଳେ ଘଟିଥିବା ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣା ଏବଂ ଏବେ ଘଟିଥିବା ବିମାନବନ୍ଦର ଛାତ ଭୁଶୁଡ଼ା ଘଟଣା ଭିତରେ କେବଳ ଫରକ ହେଉଛି ଯେ ଏହି ଦୁଇଟି କାମ ଅଲଗା ଅଲଗା ସମୟରେ କରାଯାଉଥିଲା, ଅଲଗା ଅଲଗା କମ୍ପାନି ଏ କାମ କରୁଥିଲେ ଏବଂ ଅଲଗା ଅଲଗା ସଂସ୍ଥା ଏହି କାମ ଦେଇଥିଲେ । କିନ୍ତୁ ଏହି ଦୁଇଟିଯାକ ଦୁର୍ଘଟଣା ପଛରେ ଯେଉଁ ସମାନତା ରହିଛି ତା’ ହେଉଛି କନଷ୍ଟ୍ରକ୍ସନ ବିଜନେସ୍ରେ ‘କଲଚର୍’ର ଘୋର ଅଭାବ। କିନ୍ତୁ ଦୁର୍ଭାଗ୍ୟର କଥା ସରକାରୀ ବାବୁମାନେ ଏହି ଭୁଲ ପାଇଁ କଣ୍ଟ୍ରାକ୍ଟର ମୁଣ୍ଡରେ ଅଠାବୋଳି ନିଜ ଦାୟିତ୍ୱ ଶେଷ କରିଦେବେ । ସେହିପରି ଘଟଣାର ତଦନ୍ତ ଆରମ୍ଭ ହେବା ପୂର୍ବରୁ ସମ୍ପୃକ୍ତ କଣ୍ଟ୍ରାକ୍ଟର ଶ୍ରମିକଙ୍କ ମୁଣ୍ଡରେ ନଡ଼ିଆ ବାଡେଇ ସାରିଲେଣି ।
ଗୋଟେ ସମୟରେ ଆମେ କଣ୍ଟ୍ରାକ୍ଟରମାନଙ୍କୁ ସାଧାରଣରେ ଠକ, ଡକାୟତ, ଶ୍ରମିକ ଶୋଷଣକାରୀ ଆଉ ଏଭଳି ଅନେକ ଉପମାରେ ଭୂଷିତ କରିଥିଲୁ। ସେହିଭଳି କନଷ୍ଟ୍ରକ୍ସନ କାମର ମାନ ନିର୍ଦ୍ଧାରଣ ଓ ନିୟନ୍ତ୍ରଣ କରିବାକୁ ରହିଥିବା ସରକାରୀବାବୁ ବିଶେଷ କରି ଇଞ୍ଜିନିୟରମାନଙ୍କୁ ପରମ ପଇସାଖିଆ ବା ଦୁର୍ନୀତିଖୋର ଆଖ୍ୟା ଦେଇଥିଲୁ। ସମୟ ସହିତ ଏହି ଦୁର୍ନାମ ବହୁତ ପରିମାଣରେ କମିଛି। ଏହା ସମ୍ପୂର୍ଣ୍ଣ ଭାବେ ହଟିଯିବା କଥା ମଧ୍ୟ । କିନ୍ତୁ ଏହା ସେ ପର୍ଯ୍ୟନ୍ତ ହଟିବ ନାହିଁ ଯେ ପର୍ଯ୍ୟନ୍ତ ସରକାରୀସ୍ତରରେ ତଳୁ ଉପର ପର୍ଯ୍ୟନ୍ତ ଥିବା କର୍ମଚାରୀ ବା ବାବୁମାନେ ‘କଲଚର୍’, ‘ପ୍ରୋଟୋକଲ୍’ ବା ‘ନନ୍ ନିଗୋସିଏବୁଲ୍’ ବିଷୟଗୁଡ଼ିକ ଉପରେ ଗୁରୁତ୍ୱ ଦେବେ ନାହିଁ ।
ବିମାନଘାଟି ଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହେଉଥିବା କୋଠା ଛାତ ପଡ଼ିବା ଦିନ ହିଁ ଯଦି ଭୁଶୁଡ଼ି ପଡ଼େ ଏଥିପାଇଁ କାହାକୁ ଦାୟୀ କରିବା – ଶ୍ରମିକ, ସୁପରଭାଇଜର୍, କଣ୍ଟ୍ରାକ୍ଟର, ସରକାରୀବାବୁ ନା ଆଉ କିଏ? ଏହି ବେଳାରେ ଆସନ୍ତୁ ଟିକିଏ ‘କଲଚର୍’ କଥା ଭାବିବା।
ଏହି ‘କଲଚର୍’କୁ ଆପଣ ହିନ୍ଦୀ ସିନେମାରେ ବିଭିନ୍ନ ଚରିତ୍ର ମୁହଁରେ ତାଚ୍ଛଲ୍ୟକ୍ରମେ ବ୍ୟବହାର ହେଉଥିବା ଶବ୍ଦ ‘ସିଷ୍ଟିମ୍’(ସିଷ୍ଟମ୍) ବୋଲି କହି ମଧ୍ୟ ହସି ଉଡ଼ାଇ ଦେଇପାରନ୍ତି ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍ର ମୁଖ୍ୟ ସମ୍ପାଦକ)