ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ପ୍ରଥମ ଶ୍ରେଣୀରୁ ଦିଆଯିବ ଇଂରାଜୀ ଶିକ୍ଷା। ସବୁ ସ୍କୁଲରେ ଆରମ୍ଭ ହେବ ସ୍ପୋକନ ଇଂଲିଶ କ୍ଲାସ। ସରକାରୀ ସ୍କୁଲ ପ୍ରତି ମୁହଁ ବୁଲାଉଥିବା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

ପ୍ରଥମେ ରାଜ୍ୟର ୧୦୧ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ସ୍କୁଲଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିଶ ପାଇଁ ନୂଆ ସେକ୍ସନ କରାଯିବ। ଏହାସହ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦିଆଯିବ। ଏହାସହ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ଯଥାକ୍ରମେ ୧ କିଲୋମିଟର, ୨ କିଲୋମିଟର ଓ ୩ କିଲୋମିଟର ପରିସର ମଧ୍ୟରେ ଥିବା ସ୍କୁଲରେ ମିଶାଇ ଦିଆଯିବ। ଶିକ୍ଷକ ଅଭାବ ଜନିତ ସମସ୍ୟାକୁ ଦୂର କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି।

ଏନେଇ ପ୍ରଥମେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ। ପରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

Comment