ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବଜେଟ୍‌ ୨୦୨୦ରେ ନୂଆ ଭାରତ ଗଠନର ସ୍ୱପ୍ନ ଦେଖାଇଲେ ମୋଦୀ ସରକାର। କୃଷି କ୍ଷେତ୍ରର ବିକାଶ ପାଇଁ ୧୬ ସୂତ୍ରୀ ଫର୍ମୁଲ।

  • ସ୍ୱଚ୍ଛ ଭାରତ ପାଇଁ ୧୨,୩୦୦ କୋଟି
  • କୃଷି କ୍ଷେତ୍ରର ବିକାଶ ପାଇଁ ୧୬ ସୂତ୍ରୀ ଫର୍ମୁଲା
  • ଦକ୍ଷତା ବିକାଶ ପାଇଁ ୩ ହଜାର କୋଟି
  • ଶିକ୍ଷା ପାଇଁ ୯୯,୩୦୦ କୋଟି
  • ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ, ଖର୍ଚ୍ଚ ହେବ ୬୯ ହଜାର କୋଟି
  • ଶିଳ୍ପ ପାଇଁ ୨୭ ହଜାର ୩୦୦ କୋଟି
  • ବିଦ୍ୟୁତ ଶକ୍ତି ଓ ଅକ୍ଷୟ ଉର୍ଜା ପାଇଁ ୨୨ ହଜାର କୋଟି
  • ମହିଳାଙ୍କ ପାଇଁ ୨୮ ହଜାର ୬୦୦ କୋଟି
  • କୁପୋଷଣ ପାଇଁ ୩୫ ହଜାର ୬୦୦ କୋଟି
  • ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ୯ ହଜାର ୫୦୦ କୋଟି
  • ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅଢ଼େଇ ହଜାର କୋଟି
  • ସଂସ୍କୃତି ମନ୍ତ୍ରାଳୟ ପାଇଁ ୩ ହଜାର ୧୫୦ କୋଟି
  • ଜି-୨୦ ସମ୍ମିଳନୀ ପାଇଁ ୧୦୦ କୋଟି ଟଙ୍କା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଦ୍ୱିତୀୟ ପାଳିର ଏନଡିଏ ସରକାର ଦ୍ୱିତୀୟ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍‌ ସଂସଦରେ ଉପସ୍ଥାପନ କରିଥିଲେ। ବଜେଟ୍‌ରେ କେନ୍ଦ୍ର ସରକାର କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ଆୟକର ଉପରେ ଫୋକସ୍‌ କରି ନୂଆ ଭାରତ ଗଠନର ସ୍ୱପ୍ନ ଦେଖାଇଛନ୍ତି।

ବିଭିନ୍ନ କ୍ଷେତ୍ର ପାଇଁ ଅଲଗା ଅଲଗା ଅର୍ଥ ବ୍ୟୟବରାଦ କରି ମୋଦୀ ସରକାର ଏହାକୁ ଲୋକାଭିମୁଖି ବଜେଟ୍‌ କହିଛନ୍ତି। ହେଲେ ବିରୋଧୀ ଏହାକୁ ସମାଲୋଚନା କରିଛନ୍ତି। ଯୁବ ବର୍ଗଙ୍କୁ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇ ନଥିବାରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦୀଙ୍କୁ ସମାଲୋଚନା କରିଛନ୍ତି।

ସବୁଠୁ ଲମ୍ବା ଭାଷଣ

ଦିନ ୧୧ଟାରେ ଲୋକସଭାରେ ବଜେଟ୍‌ ଉପସ୍ଥାପନ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମେ ସେ ଅଭିଭାଷଣ ରଖିଥିଲେ। ମୋଦୀ ସରକାରଙ୍କ ଐତିହାସିକ ଯୋଜନା ସମ୍ପର୍କରେ ଅବଗତ କରି ବଜେଟ୍‌ ଉପସ୍ଥାପନ କରିଥିଲେ।

ବଜେଟ୍‌ ଉପସ୍ଥାପନ କରି ନିର୍ମଳା ସୀତାରମଣ ପୂର୍ବ ଅର୍ଥମନ୍ତ୍ରୀଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏଥର ସେ ସବୁଠୁ ଲମ୍ବା ଅଭିଭାଷଣ ଦେଇଥିଲେ। ୨ ଘଣ୍ଟା ୪୦ ମିନିଟ୍‌ର ଲମ୍ବା ଅଭିଭାଷଣରେ ନିର୍ମଳା ବିଭିନ୍ନ କ୍ଷେତ୍ର ପାଇଁ ଅର୍ଥ ବ୍ୟବୟରାବଦ କରିଥିଲେ।

ମୋଟ ୨୬.୯୯ ଲକ୍ଷ କୋଟିର ବଜେଟ୍‌

ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଟ ୨୬.୯୯ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଏହି ସମୟରେ ୧୯.୩୨ କୋଟି ଟଙ୍କାର ରାଜସ୍ୱ ଆଦାୟର ଲକ୍ଷ୍ୟ ରହିଛି। ଏହାସହ ଆର୍ଥିକ ନିଅଣ୍ଟ ପରିମାଣ ୪.୯୯ ଲକ୍ଷ କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି। ଆର୍ଥିକ ନିଅଣ୍ଟ ପରିମାଣ ଆସନ୍ତା ବର୍ଷ ୫.୩୬ ଲକ୍ଷ କୋଟିକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

୨୦୨୦ରେ ଆର୍ଥିକ ନିଅଣ୍ଟ ପରିମାଣ ୩.୮ ପ୍ରତିଶତ ରହିଥିବା ବେଳେ ୨୦୨୧ରେ ଆର୍ଥିକ ନିଅଣ୍ଟ ୩.୫ ପ୍ରତିାତ ରହିବା ନେଇ ଆକଳନ କରାଯାଇଛି। ଅନ୍ୟପକ୍ଷରେ ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୧୦ ପ୍ରତିଶତ ହେବା ନେଇ ପୂର୍ବାନୁମାନ କରାଯାଇଛି।

ଆୟକର ପାଇଁ ୬ଟି ସ୍ଲାବ

ବ୍ୟକ୍ତିଗତ ଆୟକର ବାବଦରେ ମୋଦୀ ସରକାର ଚଳିତ ବଜେଟ୍‌ରେ ବଡ଼ ସଂସ୍କାର ଆଣିଥିବା କୁହାଯାଉଛି। ବ୍ୟକ୍ତିଗତ ଆୟକର ପାଇଁ ସରକାର ୬ଟି ସ୍ଲାବ ତିଆରି କରିଛନ୍ତି। ବର୍ଷକୁ ୫ରୁ ସାଢ଼େ ୭ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ ୧୦ ପ୍ରତିଶତ, ସାଢ଼େ ୭ ଲକ୍ଷରୁ ୧୦ ଲକ୍ଷ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ୧୫ ପ୍ରତିଶତ, ୧୦ରୁ ସାଢ଼େ ୧୨ ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କୁ ୨୦ ପ୍ରତିଶତ, ସାଢ଼େ ୧୨ରୁ ୧୫ ଲକ୍ଷ ଟଙ୍କା ଆୟ କରୁଥିଲେ ୨୫ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ କରୁଥିଲେ ୩୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ।

୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସରକାର। ହେଲେ ଏଥିରେ ପେଞ୍ଚ ମାରିଛନ୍ତି ମୋଦୀ ସରକାର। ନୂଆ ସହିତ ପୁରୁଣା ବିକଳ୍ପ ଖୋଲା ରଖିଛନ୍ତି ମୋଦୀ ସରକାର।

ଜଣେ ପୁରୁଣା ଟାକ୍ସ ସ୍ଲାବ୍‌ରେ ବିଭିନ୍ନ ଆୟକର ରିହାତି ସହ ଟାକ୍ସ ଭରିପାରିବେ। ତେବେ ନୂଆ ସ୍ଲାବରେ ଟାକ୍ସ ଦେବାକୁ ହେଲେ ପ୍ରାୟ ୭୦ଟି ରିହାତି ସୁବିଧା ପାଇ ପାରିବେ ନାହିଁ। ଏଣୁ ଏବେ କରଦାତା ହିଁ ବାଛିବେ କେଉଁ ସ୍ଲାବରେ ସେ ଟରକ୍ସ ଦେବେ। ଏପଟେ ଲୋକଙ୍କୁ ଅସୁବିଧାରେ ନପକାଇବା ପାଇଁ ଖୁବ୍‌ଶୀଘ୍ର ଟାକ୍ସପେୟର ଚାର୍ଟର ଆସିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଶିକ୍ଷା ପାଇଁ ୯୯ ହଜାର କୋଟି

ସବ୍‌କା ସାଥ୍‌ଳ ସବ୍‌କା ବିକାଶ ଏବଂ ସବ୍‌କା ବିଶ୍ୱାସର ଲକ୍ଷ୍ୟ ନେଇ ମୋଦୀ ସରକାର ଚଳିତ ବଜେଟ୍‌ରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ କ୍ଷେତ୍ରର ବିକାଶ ଉପରେ ଫୋକସ୍‌ କରିଛନ୍ତି। ଶିକ୍ଷା ବଜେଟ୍‌ ଏଥର ୯୯ ହଜାର ୩୦୦ କୋଟି ହୋଇଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୬୯ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜର ବିକାଶ ପାଇଁ ୧ ଲକ୍ଷ ୨୩ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଗରିବ ଶ୍ରେଣୀର ପିଲାଙ୍କୁ ଗୁଣାତ୍ମକ ମାନର ଶିକ୍ଷା ଦେବା ପାଇଁ ଏଥର ବଜେଟ୍‌ରେ ଗୁରୁତ୍ୱାରୋପ କରାଯାଇଛି। ଡିଗ୍ରୀ ସ୍ତରୀୟ ୧୦୦ଟି ଶିକ୍ଷାନୁଷ୍ଠାନରେ ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥା ଉପରେ ଫୋକସ୍‌ ଦିଆଯାଇଛି। ଦକ୍ଷତା ବିକାଶ ଲାଗି ୩ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ନାସନାଲ ପୋଲିସ ୟୁନଭର୍ସିଟି ଏବଂ ନାସନାଲ ଫୋରେନସିକ୍‌ ୟୁନଭର୍ସିଟି ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି। ନୂଆ ଶିକ୍ଷା ନୀତି ମଧ୍ୟ ଲାଗୁ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

ଅନ୍ୟପକ୍ଷରେ ସାରା ଦେଶରେ ୧୫୦ଟି ନୂଆ ଶିକ୍ଷାନୁଷ୍ଠାନ ୨୦୨୧ ମାର୍ଚ୍ଚ ସୁଦ୍ଧା ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି।

‘ଟିବି ହାରିବ, ଦେଶ ଜିତିବ’

ଶିକ୍ଷା ଭଳି ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର। ସ୍ୱାସ୍ଥ୍ୟ ବିଭାଗ ପାଇଁ ଏଥର ବଜେଟ୍‌ରେ ୬୯ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାର ଲକ୍ଷ୍ୟ ରହିଛି। ବିଶେଷକରି ଦେଶକୁ ୨୦୨୫ ସୁଦ୍ଧା ଯକ୍ଷ୍ମାମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏଥିପାଇଁ ‘ଟିବି ହାରିବ, ଦେଶ ଜିତିବ’ ବ୍ୟାମ୍ପେନ ଆରମ୍ଭ କରାଯିବ। ୧୧୨ ଆକାଂକ୍ଷୀ ଜିଲ୍ଲାରେ ଜିଲ୍ଲା ହସ୍ପିଟାଲଗୁଡ଼ିକୁ ପିଏମ୍‌ ଜନଆରୋଗ୍ୟ ଯୋଜନା ସହ ଯୋଡ଼ାଯିବ। ଡାକ୍ତର ସମସ୍ୟା ଦୂର କରିବା ପାଇଁ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପିପିପି ମୋଡ୍‌ରେ ଏକ ମେଡିକାଲ କଲେଜ ସହ ସଂଯୁକ୍ତ କରାଯିବ।

ସେହିପରି ସ୍ୱଚ୍ଛ ଭାରତ ମିଶନ ପାଇଁ ଏଥର ୧୨ ହଜାର ୩୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କୂପୋଷଣ ଦୂରୀକରଣ ପାଇଁ ୩୫ ହଜାର ୬୦୦ କୋଟି ଖର୍ଚ୍ଚ କରିବାର ଲକ୍ଷ୍ୟ ରହିଛି।

ଗ୍ରାମ୍ୟ ଉନ୍ନୟନ ଉପରେ ଫୋକସ୍‌

ମୋଦୀ ସରକାରଙ୍କ ବଜେଟ୍‌ରେ ଫୋକସ୍‌ରେ ରହିଛି ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ। ଏଥିପାଇଁ ବ୍ୟୟବରାଦ ହୋଇଛି ୧ ଲକ୍ଷ ୨୩ ହଜାର କୋଟି। ପାଇପ୍‌ ଯୋଗେ ଜଳ ଯୋଗାଣ ବାବଦରେ ୧୧ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଅଙ୍ଗନବାଡ଼ି ଓ ସରକାରୀ ସ୍କୁଲରେ ଡିଜିଟାଲ ସଂଯୋଗୀକରଣ ହେବ।

୧ ଲକ୍ଷ ଗ୍ରାମ ପଞ୍ଚାୟତକୁ ଅପ୍‌ଟିକାଲ ଫାଇବର ସଂଯୋଗ କରାଯିବ। ଭାରତ ନେଟ୍‌ କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହେବ ୬ ହଜାର କୋଟି।

ଅନୁସୂଚିତ ଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ବିକାଶ ପାଇଁ ୮୫ ହଜାର ଟଙ୍କା ବ୍ୟବୟବରାଦ ହୋଇଥିବା ବେଳେ ଜନଜାତି କଲ୍ୟାଣ ପାଇଁ ୫୩ ହଜାର ୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ସେହିପରି ୫ଟି ଆଇକନିକ୍‌ ପର୍ଯ୍ୟଟନ କ୍ଷେତ୍ରରେ ସଂଗ୍ରହାଳୟ ପ୍ରତିଷ୍ଠା ହେବ। ଝାଡ଼ଖଣ୍ଡରେ ଆଦିବାସୀ ଓ ଅହମ୍ମଦାବାଦରେ ସାମୁଦ୍ରିକ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରହିଛି। ସଂସ୍କୃତି ମନ୍ତ୍ରାଳୟ ପାଇଁ ବ୍ୟବୟରାଦ ହୋଇଛି ୩ ହଜାର ୧୫୦ କୋଟି ଟଙ୍କା। ସେହିପରି ପରିବହନ କ୍ଷେତ୍ର ପାଇଁ ୧.୭ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି।  ୨ ହଜାର କିଲୋମିଟର କୋଷ୍ଟାଲ ହାଇୱେ ନିର୍ମାଣ ଲକ୍ଷ୍ୟ ରହିଛି।

ନୂଆ ଏୟାରପୋର୍ଟ, ଦ୍ରୁତଗାମୀ ଟ୍ରେନ୍‌ ଉପରେ ଫୋକସ୍‌

ଦେଶରେ ଆଉ ୧୦୦ଟି ନୂଆ ଏୟାରପୋର୍ଟ ନିର୍ମାଣ ହେବ। ଉଡାନ୍‌ ଯୋଜନାରେ ୨୦୨୪ ସୁଦ୍ଧା ଏହା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯାତ୍ରୀମାନଙ୍କୁ ଉନ୍ନତମାନ ସେବା ଯୋଗାଇବା ଉପରେ ଲକ୍ଷ୍ୟ ରହିଛି। ସେହିପରି ୨୪୦୦ କିଲୋମିଟର ରେଳପଥର ବିଦ୍ୟୁତକରଣ କରାଯିବ। ଯାତ୍ରୀମାନଙ୍କ ସୁବିଧା ପାଇଁ ଷ୍ଟେସନରେ ୱାଇଫାଇ ସୁବିଧା କରାଯିବ। ତେଜସ୍‌ ଭଳି ଦ୍ରୁତମାଗୀ ଟ୍ରେନ୍‌ ଚଳାଚଳ ଉପରେ ଫୋକସ୍‌ ଦିଆଯାଇଛି। ୧୫୦ ନୂଆ ଟ୍ରେନ୍‌ ଚଳାଚଳ ପାଇଁ ପ୍ରସ୍ତାବ ରହିଛି।

କୃଷି ପାଇଁ ୧୬ ସୂତ୍ରୀ ଫର୍ମୁଲା

କୃଷି କ୍ଷେତ୍ରର ବିକାଶ ହେଲେ ହିଁ ନୂଆ ଭାରତ ଗଠନ ସମ୍ଭବ ହେବ ବୋଲି ଭଲଭାବେ ବୁଝିଛନ୍ତି ମୋଦୀ ସରକାର। ଏଣୁ କୃଷି କ୍ଷେତ୍ର ଉପରେ ସ୍ୱତନ୍ତ୍ର ଫୋକସ୍‌ ଦିଆଯାଇଛି। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ଲକ୍ଷ୍ୟ ରହିଛି। କୃଷି ଓ ଏହାର ଆନୁଷଙ୍ଗୀକ କ୍ଷେତ୍ରର ବିକାଶ ପାଇଁ ୨.୮୩ ଲକ୍ଷ କୋଟି ଟଙ୍କାର ବଜେଟ୍‌ ବ୍ୟୟବରାଦ କରାଯାଇଛି।

୨୦ ଲକ୍ଷ ଚାଷୀଙ୍କୁ ସବ୍‌ସିଡ୍‌ ଆକରରେ ଦିଆଯିବ ସୋଲାର ପମ୍ପ

-୫୦ ଲକ୍ଷ ଚାଷୀଙ୍କୁ ବିଦ୍ୟୁତ ଚାଳିତ ପମ୍ପ ଯୋଗାଇ ଦିଆଯିବ

-ଚାଷୀଙ୍କ ପାଇଁ ‘କୃଷି ଉଡ଼ାନ୍‌ ଏବଂ ‘କିଷାନ୍‌ ରେଳ’ ଯୋଜନା

-ଚାଷୀଙ୍କ ଉତ୍ପାଦନ ପରିବହନ ପାଇଁ କିଷାନ୍‌ ରେଳ ଯୋଜନା

-ବିମାନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରକୁ ଯିବ କୃଷି ଉତ୍ପାଦନ

-ମହିଳା କୃଷକଙ୍କ ପାଇଁ ଧନଲକ୍ଷ୍ମୀ ଯୋଜନା

-୧୦୦ ଜଳକ୍ଲିଷ୍ଟ ଜିଲ୍ଲାରେ ଜଳସେଚନକୁ ଦିଆଯିବ ଗୁରୁତ୍ୱ

-ମତ୍ସ୍ୟ ଚାଷ, ଗୋପାଳନ ଭଳି ପାରମ୍ପରିକ ଚାଷକୁ ଦିଆଯିବ ପ୍ରାଧାନ୍ୟ

-୨୦୨୫ ସୁଦ୍ଧା ଦୁଗ୍ଧ ଉତ୍ପାଦନ ୧୦୮ ମିଲିୟନ ଟନ୍‌ ବୃଦ୍ଧି କରିବାକୁ ଲକ୍ଷ୍ୟ

-୨୦୨୦-୨୧ରେ ୧୫ ଲକ୍ଷ କୋଟି କୃଷି ଋଣ ବଣ୍ଟନ କରିବାକୁ ଲକ୍ଷ୍ୟ

-୨୦୨୫ ସୁଦ୍ଧା ମତ୍ସ୍ୟ ଉତ୍ପାଦନ ୨୦୦ କୋଟି ଟନ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ

-ଗୋଦାମ ଘର ଏବଂ ଶୀତଳ ଭଣ୍ଡାର ନାବାର୍ଡ ଅଧିନକୁ ଆସିବ

Comment