ଓଡ଼ିଶାଲାଇଭ୍ ବ୍ୟୁରୋ

ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ବାର୍ଷିକ କର୍ମଶାଳା ଅନୁଷ୍ଠତି ହୋଇଯାଇଛି।

ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ ସୁସ୍ଥ ମାଟି ସହିତ ସ୍ୱଚ୍ଛତା ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରିବା ଦରକାର। ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ବାର୍ଷିକ କର୍ମଶାଳାରେ ଯୋଗଦେଇ ଏପରି କହିଛନ୍ତି ପ୍ରଖ୍ୟାତ ପରିବେଶବିତ୍ ପ୍ରଫେସର ରାଧାମୋହନ।

ଶନିବାର ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପରିସରରେ ‘ଓଡ଼ିଶାର ଉନ୍ନତି ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟ ଗବେଷଣା ଓ ଶିକ୍ଷା’ ବିଷୟକୁ ନେଇ ଏକ କର୍ମଶାଳାର ଆୟୋଜନା କରାଯାଇଥିଲା।

ଏହି କର୍ମଶାଳାରେ ଯୋଗଦେଇ ପ୍ରଖ୍ୟାତ ପରିବେଶବିତ୍ ପ୍ରଫେସର ରାଧାମୋହନ ନିଜର ରଚିତ ଏକ ପୁସ୍ତକ ‘ସଭ୍ୟତାର କାହାଣୀ’ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧିକୁ ନେଇ ସାରା ବିଶ୍ୱରେ ମନୁଷ୍ୟ ସମାଜ ଚିନ୍ତିତ ଅଛି। ଏଭଳି ପରିସ୍ଥିତିରେ କିଛି ଲୋକ ଜଳବାୟୁ ପରିବର୍ତ୍ତନ ପାଇଁ ମଣିଷ ସମାଜରେ ଏକ ବଡ଼ ଅଘଟଣ ଘଟିବ ବୋଲି ମଧ୍ୟ କହିବା ଆରମ୍ଭ କଲେଣି ବୋଲି କହିଥିଲେ ପ୍ରଫେସର ରାଧାମୋହନ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ନର୍ସିଂ ବିଭାଗର ନିର୍ଦ୍ଦେଶକ ଡକ୍ଟର ସୁଶୀଲ କୁମାର ଯୋଗଦେଇ ରାଜ୍ୟରେ ମ୍ୟାଲେରିଆ ଜନିତ ମୃତ୍ୟୁର ନିରାକରଣ ଓ ଏଥିପାଇଁ ନିଆଯାଇଥିବା ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଏଥିସହିତ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ସରକାରୀ ଅନୁଷ୍ଠାନ ମଧ୍ୟରେ ସହଭାଗିତାର ଆବଶ୍ୟକ ବୋଲି ସେ କହିଥିଲେ।

ଏହାପରେ ଆୟୋଜିତ ହୋଇଥିବା ବୈଷୟିକ ଅଧିବେଶନରେ ମିନାଖୀ ମିଶନ ହସ୍ପିଟାଲର ଡକ୍ଟର ନରେନ୍ଦ୍ର କୁମାର ଜେନା କୋରୋନା ଭାଇରସ ସଙ୍କଟ ଓ ଏହାର ପରିଚାଳନା ବିଷୟରେ ଆଲୋଚନା କରିଥିଲେ। ସେହିପରି ହେଲଥ୍ କେୟାର ଏକ୍ସପର୍ଟ କିର୍ତ୍ତି ପ୍ରଧାନ, ବିଶ୍ୱବ୍ୟାଙ୍କର ପୂର୍ବତନ ବରିଷ୍ଠ ଅଧିକାରୀ ବିନୋଦ ନାୟକ ଓ ବରିଷ୍ଠ ଆଇଏଏସ୍ ଅଫିସର ବିବେକାନନ୍ଦ ପଟ୍ଟନାୟକ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ।

ଶେଷରେ ବିପିୟୁଟିର ପୂର୍ବତନ କୁଳପତି ଡକ୍ଟର ଓକାଁର ମହାନ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ଲୁନା ସାମନ୍ତ, ଜାଭିୟର ବିଶ୍ୱବିଦ୍ୟାଳୟର ଡକ୍ଟର ପ୍ରିୟଦର୍ଶନ ପାତ୍ରଙ୍କୁ ନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗବେଷଣା ଓ ଶିକ୍ଷା ବିଷୟରେ ପ୍ୟାନେଲ୍ ଆଲୋଚନା କରାଯାଇଥିଲା। ଏଥିସହିତ ବିଭିନ୍ନ ଛାତ୍ରାଛାତ୍ରୀଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା।

Comment