ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ରୁ ଭାରତ ଫେରିଥିବା ସମସ୍ତ ୬୪୫ ଭାରତୀୟ ବିପଦମୁକ୍ତ। ଫେରିଥିବା କୌଣସି ବି ଭାରତୀୟଙ୍କୁ କୋରୋନା ଆକ୍ରାନ୍ତ ହୋଇନଥିବା ଜଣାପଡ଼ିଛି। ୬୪୫ ଜଣଙ୍କ ନମୁନା ନେଗେଟିଭ ଆସିଥିବା ନେଇ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଦୁଇ ପର୍ଯ୍ୟାୟରେ ୨ଟି ବିମାନରେ ଚୀନ୍‌ରୁ ଫେରିଥିଲେ ୬୪୫ ଭାରତୀୟ।

ପେବ୍ରୁଆରି ୧ ତାରିଖରେ ଭାରତ ସରକାରଙ୍କ ଦ୍ଵାରା ଏୟାର ଇଣ୍ଡିଆର ଏକ ସ୍ଵତନ୍ତ୍ର ବିମାନ ଚୀନ୍‌ରୁ ୩୨୪ ଭାରତୀୟଙ୍କୁ ଆଣିଥିଲା। ପରେ ଫେବ୍ରୁଆରି ୨ ତାରିଖରେ ପୁଣି ୩୨୩ ଭାରତୀୟ ଚୀନ୍‌ରୁ ଭାରତକୁ ଆସିଥିଲେ।

ସେଠାରୁ ଫେରିଥିବା ସମସ୍ତ ଭାରତୀୟଙ୍କୁ ହରିୟାଣାର ମନେସରରେ ଚିକିତ୍ସା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସେଠାରେ ସମସ୍ତଙ୍କୁ ସ୍ଵତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ ରଖାଯାଇଥିଲା। ପରେ ସେମାନଙ୍କ ନମୁନା ସଂଗ୍ରହ କରି ଯାଞ୍ଚ କରାଯାଇଥିଲା।

ବର୍ତ୍ତମାନ ଚୀନ୍‌ରେ କୋରୋନା ଭାଇରସ୍‌ ଭୟଙ୍କର ହେବାରେ ଲାଗିଛି। ଏହି ଭାଇରସ୍‌ ଯୋଗୁଁ ୪୯୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାକୁ ମୁକାବିଲା କରିବା ପାଇଁ ଚୀନ୍‌ ସରକାର ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି।

ଏହି ଭାଇରସ୍‌ କେବଳ ଚୀନ୍‌ ନୁହେଁ ବିଶ୍ଵର ୨୮ଟି ଦେଶକୁ ବ୍ୟାପିବାରେ ଲାଗିଛି। ଭାରତରେ କେରଳରେ ୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନ ହୋଇଛନ୍ତି। ସେହିପରି ଭାରତ ସରକାର ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି।

Comment