ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାଙ୍ଗିବ ହରିଦାସପୁର ସରପଞ୍ଚଙ୍କ ସ୍ଵାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ୍‌। ପିଇଓ ସ୍ମିତାରାଣୀ ବିଶ୍ଵାଳଙ୍କ ରହସ୍ୟଜନକ ମୃତ୍ୟୁରେ ଗେଷ୍ଟ ହାଉସ୍‌ର ଲିଙ୍କ୍‌ ପରେ ଏହି ବଡ଼ ପଦକ୍ଷେପ ନିଆଯାଇଛି। ଗେଷ୍ଟ ହାଉସ୍‌ ଭାଙ୍ଗିବା ପୂର୍ବରୁ ଘଟଣାସ୍ଥଳରେ ଏଡିଏମ୍‌, ତହସିଲଦାର ପହଞ୍ଚିବା ସହ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଗେଷ୍ଟ ହାଉସ୍‌ ଭାଙ୍ଗିବା ନେଇ ରାତି ଅଧିଆ ନିଷ୍ପତ୍ତି ହୋଇଛି। ସରକାରୀ ଜମିରେ ଥିବାରୁ ଗେଷ୍ଟ ହାଉସ୍‌ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଗେଷ୍ଟ ହାଉସ୍‌ରେ ଅନୈତିକ କାର୍ଯ୍ୟ ହେଉଥିବାର ଅଭିଯୋଗ ମଧ୍ୟ ହୋଇଥିଲା।

ବହୁଚର୍ଚ୍ଚିତ ସ୍ମିତାରାଣୀ ମୃତ୍ୟୁ ରହସ୍ୟକୁ ସପ୍ତାହ ପରେ ୩ ମାସ ପୂରିବ। ଅକ୍ଟୋବର ୧୬ ତାରିଖରେ ଗେଷ୍ଟ ହାଉସ୍‌ରୁ ସ୍ମିତାରାଣୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଅକ୍ଟୋବର ୧୬ ତାରିଖ ଦିନ ପିଇଓ ସ୍ମିତାରାଣୀ ହରିଦାସପୁର ଅଞ୍ଚଳରେ ଭତ୍ତା ବାଣ୍ଟିବାକୁ ପହଞ୍ଚିଥିଲେ। ସେଠାରେ ସରପଞ୍ଚଙ୍କ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ ହୋଇଥିଲା। ଭତ୍ତା ବାଣ୍ଟିବାରେ ସ୍ମିତାରାଣୀଙ୍କୁ ସରପଞ୍ଚଙ୍କ ସ୍ଵାମୀ ସାହାଯ୍ୟ କରିଥିଲେ। ଭତ୍ତା ବଣ୍ଟନ ସରିବା ପରେ ସ୍ମିତାରାଣୀ ସରପଞ୍ଚ ସ୍ଵାମୀଙ୍କ ଗେଷ୍ଟ ହାଉସକୁ ଫ୍ରେସ ହେବାକୁ ଯାଇଥିଲେ। ହେଲେ ଫେରି ନଥିଲେ। ବିଳମ୍ଵ ହେବାରୁ ସରପଞ୍ଚଙ୍କ ସ୍ଵାମୀ ତାଙ୍କୁ ଡାକିବାକୁ ଯାଇଥିଲେ। ସେଠାରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।

ଏହି ଘଟଣା ପରେ ଆରମ୍ଭ ହୋଇଥିଲା ରାଜନୈତିକ ତୁମ୍ଵିତୋଫାନ। ଏହାକୁ ନେଇ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା। ପରେ ସରପଞ୍ଜଙ୍କ ସ୍ଵାମୀ ରୂପେଶ ଭଦ୍ରଙ୍କୁ ପୋଲିସ ଗିରଫ କରିଥିଲା। ଏହାପରେ ଗେଷ୍ଟ ହାଉସ୍‌କୁ ଜିଲ୍ଲା ପ୍ରଶାସନ ଦ୍ଵାରା ସିଲ୍‌ କରାଯାଇଥିଲା।

Comment