ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ଥମିବାର ନାଁ ଧରୁନି ନାଗରିକତା ସଂଶୋଧନ ଆଇନ (ସିଏଏ) ନିଆଁ। ରବିବାରଠାରୁ ଜାଫରାବାଦରେ ସୃଷ୍ଟି ହୋଇଥିବା ଚାପା ଉତ୍ତେଜନା ଆଜି ଭୟଙ୍କର ରୂପ ନେଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଜଣେ ହେଡ୍ କନଷ୍ଟେବଳ ସହୀଦ ହୋଇଥିବା ବେଳେ ୧୦ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। ବିକ୍ଷୋଭକାରୀମାନେ ଗାଡ଼ି, ଦୋକାନ ବଜାର ଚାରିଆଡ଼େ ନିଆଁ ଲଗାଇ ଦେଉଛନ୍ତି। ଏଥିରେ ୧୫୦ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ସୋମବାର ପଥରମାଡ଼ ଓ ପୋଡ଼ାଜଳା ହୋଇଥିଲା। ଏହି ହିଂସାକୁ ରୋକିବାକୁ ଯାଇ ଦିଲ୍ଲୀ ପୋଲିସର ଜଣେ ହେଡ୍ କନଷ୍ଟେବଳ ସହୀଦ ହୋଇଥିଲେ। ବିକ୍ଷୋଭକାରୀମାନେ ଏକାଧିକ ଗାଡ଼ି ମଧ୍ୟ ଜାଳି ଦେଇଛନ୍ତି। ସେହିପରି ନିଆଁକୁ ଆୟତ୍ତ କରିବାକୁ ଆସିଥିବା ଏକ ଦମକଳ ଗାଡ଼ିକୁ ମଧ୍ୟ ପୋଡ଼ି ଦେଇଛନ୍ତି ବିକ୍ଷୋଭକାରୀ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ତରଫରୁ ଉତ୍ତର-ପୂର୍ବ ଦିଲ୍ଲୀରେ ଏକ ମାସ ପାଇଁ ୧୪୪ ଧାରା ଜାରି କରିଦିଆଯାଇଛି। ଦିଲ୍ଲୀର ମୌଜପୁର, ବାବରପୁର, ଜାଫରାବାଦ, ଗୋକୁଳପୁରୀ, ବୃଜପୁରୀ ଆଦି ଅଞ୍ଚଳରେ ପୁଲିସ ଓ ରାପିଡ ଆକ୍ସନ ଫୋର୍ସ (ଆରପିଏଫ୍) ମୁତୟନ କରାଯାଇଛି। ମଙ୍ଗଳବାର ସକାଳୁ ମୌଜପୁର ସମ୍ମୁଖ ବ୍ରହ୍ମପୁରୀ ଅଞ୍ଚଳରେ ପଥରମାଡ଼ ହୋଇଥିଲା।
ଉତ୍ତର ପୂର୍ବ ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ପରିସ୍ଥିତି ଗମ୍ଭୀର ରହିଛି। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସମଗ୍ର ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିକ୍ଷୋଭକାରୀମାନେ ହାତରେ ବନ୍ଧୁକ ଧରି ରାସ୍ତାକୁ ଓହ୍ଲାଇଛନ୍ତି। ପରସ୍ପର ମଧ୍ୟ ଲଢ଼େଇ କରିବା ସହ ଟେକା ପଥର ମଧ୍ୟ ମାଡ଼ କରୁଛନ୍ତି। ଦିଲ୍ଲୀରେ ଅନେକ ଦୋକାନ ଘରକୁ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି।