ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ସଫଳ ବକ୍ସର ମେରିକମ୍‌ ଆଜି ତାଙ୍କ ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଆଜିର ଦିନରେ ଅର୍ଥାତ ୧୯୮୩ ମସିହା ମାର୍ଚ୍ଚ ୧ ତାରିଖରେ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର କଙ୍ଗାଥେ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ କ୍ରୀଡ଼ା ଜଗତକୁ ତାଙ୍କ ଅବଦାନ ମଧ୍ୟ ଢେର ରହିଛି। ତାଙ୍କ ଜନ୍ମ ଦିନରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଜଣେ କ୍ରୀଡ଼ାବିତ୍ ଭାବେ ସେ ଗୌରବମୟ ସଫଳତା ସହିତ ଭାରତକୁ ଗର୍ବିତ କରିଛନ୍ତି, ମେରିକମ୍‌ ହେଉଛନ୍ତି ଏକମାତ୍ର ଭାରତୀୟ ମହିଳା ବକ୍ସର ଯିଏକି ୨୦୧୨ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଥିଲେ। ଯେଉଁଠାରେ ସେ ବ୍ରୋଞ୍ଜ ପଦକ ମଧ୍ୟ ପାଇଥିଲେ।

ମଣିପୁରର କଙ୍ଗାଥେ ଗ୍ରାମରେ ଜନ୍ମଗ୍ରହଣ କରିଥିବା ମେରିକମ୍‌ଙ୍କ ମୂଳ ନାଁ ହେଉଛି ମଙ୍ଗଟେ ଚୁଙ୍ଗନିଜାଙ୍ଗ ଯାହାର ଅର୍ଥ ହେଉଛି ତାଙ୍କ ସ୍ଥାନୀୟ ଭାଷାରେ “ସମୃଦ୍ଧ”। ମେରିକମ୍‌ ଆଥଲେଟ୍ ଡିଙ୍ଗକୋ ସିଂଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଏମ୍ ନରଜିତ୍ ସିଂଙ୍କ ସହ ତାଲିମ ଆରମ୍ଭ କରିଥିଲେ।

ମେରିକମ୍‌ ଜଣେ ବକ୍ସର ହେବା ପାଇଁ ତାଲିମ ଆରମ୍ଭ କରିବା ପୂର୍ବରୁ ତାଙ୍କ ପିତାମାତାଙ୍କୁ କହି ନଥିଲେ। ତାଙ୍କ ବାପା ଏହା ଜାଣିବା ପରେ ତାଙ୍କୁ ଏଥିପାଇଁ ବାରଣ କରିଥିଲେ। ପରେ ତାଙ୍କ ସାହି ପଡ଼ିଶାର ସମସ୍ତେ ତାଙ୍କୁ ପରିହାସ କରି ତାଙ୍କ ଉଦ୍ୟମକୁ ନିରୁତ୍ସାହିତ କରିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ହାରି ନଥିଲେ ମେରିକମ୍‌।

ପରେ ସେ ଦେଶ ପାଇଁ ଖେଳି ଗୌରବ ଆଣିଥିଲେ। ଏହାସହ ସେ ୨୦୦୪ରେ ଭାରତୀୟ ମହିଳା ବକ୍ସର ଭାବେ ଅର୍ଜୁନ ପୁରସ୍କାର, ୨୦୦୬ରେ ପଦ୍ମଶ୍ରୀ ଏବଂ ୨୦୦୯ରେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଥିଲେ।

Comment