ଓଡ଼ିଶାଲାଇଭ୍ ବ୍ୟୁରୋ

ଇତିହାସର ଗତି ବିଚିତ୍ର ଆଉ ଏହି ବିଚିତ୍ରତା ଓଡ଼ିଶା ରାଜନୀତିରେ ସ୍ପଷ୍ଟ ପ୍ରମାଣିତ ହୋଇଛି। ଯଦିଓ ଏହା ଏକ ପୁରୁଣା କଥା,ପ୍ରବାଦ ପୁରୁଷ ବିଜୁବାବୁଙ୍କ ବଡ଼ ପୁଅ ପ୍ରେମ ପଟ୍ଟନାୟକ ରୋକଠୋକ ମନା କରିବା ପରେ ହିଁ ନବୀନ ରାଜନୀତିକୁ ଆସିଥିଲେ। ଆଉ ଏହି କୋଡ଼ିଏ ବର୍ଷ ମଧ୍ୟରେ ସେ କେବଳ ନିଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ତାହା ନୁହେଁ, ସୁଯୋଗ୍ୟ ଉତ୍ତରାଧିକାରୀ ଭାବରେ ବିଜୁ ପଟ୍ଟନାୟକଙ୍କ ସ୍ମୃତିକୁ ବଜାୟ ରଖି ପାରିଛନ୍ତି।

ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ୧୯୯୭ ମସିହାରେ ଜନତା ଦଳର ଓଡ଼ିଶା ଶାଖାକୁ କିଏ ସମ୍ଭାଳିବ ସେହି ପ୍ରଶ୍ନ ଯେତେବେଳେ ଉଠିଲା ପ୍ରଥମେ ପ୍ରେମ ପଟ୍ଟନାୟକଙ୍କ ନାମ ପ୍ରସ୍ତାବ କରାଗଲା। ବିଜୁଙ୍କ ମୃତ୍ୟୁ ପରେ ଆସିକା ଲୋକସଭା ଆସନ ଖାଲି ପଡ଼ିଲା। ଏହି ସମୟରେ ବିଜୁବାବୁଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକ ତାଙ୍କର ନୂଆଦିଲ୍ଲୀ ବାସଭବନକୁ ଶ୍ରୀକାନ୍ତ ଜେନାଙ୍କୁ ଡକାଇ ପଠାଇଲେ। ସେଠି ଜ୍ଞାନ ପଟ୍ଟନାୟକ କହିଲେ ଯେ ଆସିକା ଉପନିର୍ବାଚନ ପାଇଁ ପ୍ରେମ(ଗୁଡୁ)ଙ୍କୁ ପ୍ରାର୍ଥୀ କରିବା ଠିକ ହେବ ବୋଲି ମୁଁ ଭାବୁଛି।

ଏହି ପ୍ରସ୍ତାବଟି  ଶୁଣିବା ପରେ ଶ୍ରୀକାନ୍ତ ଜେନା ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକଙ୍କ ସହ କଥାବର୍ତ୍ତା କଲେ। ଶ୍ରୀକାନ୍ତ ଜେନା ସେତେବେଳେ ବିଜୁଙ୍କ ପାଖାପାଖି ଥାଆନ୍ତି।ଶ୍ରୀକାନ୍ତଙ୍କ ଠାରୁ ଶୁଣିବା ପରେ ରାମକୃଷ୍ଣ ବାବୁ ଏହି ପ୍ରସ୍ତାବରେ ରାଜି ହୋଇଗଲେ।ତେବେ ଏଠି କାହାଣୀରେ ଟୁଇଷ୍ଟ ଆସିଲା। ଲୋକସଭା ଉପନିର୍ବାଚନରେ ପ୍ରେମ ପଟ୍ଟନାୟକ ପ୍ରାର୍ଥୀ ହେବା ପାଇଁ ସିଧା ମନା କରିଦେଲେ। ପ୍ରେମଙ୍କ ଯୁକ୍ତି ଥିଲା ମୁଁ ଜଣେ ବ୍ୟବସାୟୀ ଏବଂ  ମୋ ପତ୍ନୀ ଚାହୁଁନାହାନ୍ତି ମୁଁ ରାଜନୀତିରେ ଯୋଗ ଦିଏ। ଏହା ଶୁଣିବା ପରେ ଜ୍ଞାନ ପଟନାୟକ ନବୀନ(ପପୁ)ଙ୍କ ନାମ ସୁପାରିଶ କଲେ ଓ କହିଲେ ତାହାହେଲେ  ନବୀନ ହିଁ ବିଜୁଙ୍କ ଉତ୍ତରାଧିକାରୀ ହେବେ ଆଉ ତାହାହିଁ ହେଲା।

ଆସିକା ଉପନିର୍ବାଚନ ଜିତିବା ପରେ ନବୀନ ବିଜୁଙ୍କ ରାଜନୀତି ସମ୍ଭାଳିବା ଆରମ୍ଭ କଲେ। ୧୯୯୭ ପର ଠାରୁ ସେ ଓଡ଼ିଶାର ରାଜନୀତିରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରି ଚାଲିଛନ୍ତି ଏବଂ ବିଗତ ଦୁଇ ଦଶନ୍ଧି ଧରି ଅନ୍ୟ ଦଳ ମାନଙ୍କ ପାଇଁ  କଣ୍ଟା ହୋଇ ଚାଲିଛନ୍ତି।

ଆଜି ଯେତେବେଳେ ସାରା ରାଜ୍ୟ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନ ପାଳନ କରୁଛି ଏହି ବିରଳ ରାଜନୈତିକ ଘଟଣାକ୍ରମକୁ ମନେ ପକାଉଛି।

Comment