ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ନବୀନ।

“ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ସହ କଟକ ସହରର ସମ୍ପର୍କ ଅତି ନିବିଡ଼। ଏହି ମାଟିରେ ବିଜୁବାବୁ ବଡ଼ ହେବା ସହ ବ୍ରିଟିଶ ପୋଲିସଙ୍କ ସହ ଲଢ଼ିଥିଲେ। ଏହି ମାଟିରୁ ହିଁ ସେ ପେଶାଓ୍ଵାରକୁ ସାଇକେଲ ଯାତ୍ରା କରିଥିଲେ। ଆଜି ତାଙ୍କର ଜନ୍ମଦିନରେ କଟକ ଏସ୍‌ସିବି ମେଡିକାଲର ଭିତ୍ତିଭୂମି ବିକାଶର ଶିଳାନ୍ୟାସ କରିବା ଖୁସିର କଥା।”

କଟକ ବାଲିଯାତ୍ରା ପଡ଼ିଆରେ ଏସ୍‌ସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଉନ୍ନତି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ପଞ୍ଚାୟତିରାଜ ଦିବସ ଓ ବିଜୁ ପଟ୍ଟନାୟକଙ୍କ ଜୟନ୍ତ୍ରୀ ଅବସରରେ ବିଜେଡି ପକ୍ଷରୁ କଟକ ବାଲିଯାତ୍ରା ପଡ଼ିଆରେ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା। ଏହି ସମାବେଶରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସେ ଏସସିବି ମେଡିକାଲ କଲେଜର ଦ୍ଵିତୀୟ କ୍ୟାମ୍ପସ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ବିକାଶ ଇତିହାସରେ ଏହା ଏକ ନୂଆ ଫର୍ଦ୍ଦ ଯୋଡ଼ିଛି। ଏସସିବି ମେଡିକାଲ ସାଧାରଣ ଲୋକଙ୍କ ଆଶା ଓ ଭରସାର କେନ୍ଦ୍ର ବୋଲି ନବୀନ ତାଙ୍କର ଭାଷଣରେ କହିଛନ୍ତି। ପ୍ରତିଦିନ ଏସସିବିକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକମାନେ ଚିକିତ୍ସା କରିବାକୁ ଆସୁଛନ୍ତି। ତେଣୁ ଏହାର ଭିତ୍ତିଭୂମିର ବିକାଶ କରିବା ଆବଶ୍ୟକ ହେଉଥିଲା। ସାଧାରଣ ଲୋକଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇଦେବା ଆମର ଏକମାତ୍ର ଲକ୍ଷ୍ୟ ବୋଲି ନବୀନ କହିଛନ୍ତି।

ଏଥିସହିତ ଶେଷରେ ବିଜେଡି ସରକାରର ୨୦ ବର୍ଷ ପୂର୍ତ୍ତି ଅବସରରେ ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ। ସାଢ଼େ ଚାରିକୋଟି ଓଡ଼ିଶାବାସୀ ତାଙ୍କର ପରିବାର ବୋଲି କହିବା ସହିତ ତାଙ୍କ ପାଖରେ ସେ ସବୁବେଳେ ଋଣୀ ବୋଲି ନବୀନ କହିଛନ୍ତି।

କଟକର ଏସସିବି ମେଡିକାଲକୁ ବିଶ୍ଵସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଏସସିବିରେ ୩ ହଜାର ଶଯ୍ୟାବିଶିଷ୍ଟ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ, ଡାକ୍ତର ଛାତ୍ରଛାତ୍ରୀଙ୍କ ପାଇଁ ରହିବା ସୁବିଧା, ରୋଗୀଙ୍କ ସଂପର୍କୀୟ ରହିବା ପାଇଁ ଅନେକ ସୁବିଧା ଆରମ୍ଭ କରାଯିବ ବୋଲି କୁହାଯାଇଛି।

Comment