ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଆର୍ଏମ୍ଆର୍ସିରେ ରବିବାରଠୁ ଆରମ୍ଭ ହୋଇଛି କୋରୋନା ଭାଇରସ ବା କୋଭିଡ୍-୧୯ର ପରୀକ୍ଷଣ। କିଛି ଦିନ ପୁର୍ବରୁ ଭୁବନେଶ୍ୱରର ଏକ ହୋଟେଲରୁ ଜଣେ କୋରୋନା ସନ୍ଦିଗ୍ଧ ଧରାପଡ଼ିଥିଲେ। ତାଙ୍କର ଏବଂ ତାଙ୍କ ସହ ଥିବା ଆଉ ଜଣେ ବ୍ୟକ୍ତିଙ୍କ ରକ୍ତ ନମୁନା ଆର୍ଏମ୍ଆର୍ସିରେ ପରୀକ୍ଷା କରାଯାଇଥିଲା। କୋରୋନା ପରୀକ୍ଷାରେ ଦୁଇଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ସୂଚନା ମିଳିଛି। ତେବେ ଏହି ରିପୋର୍ଟ ସହ ରକ୍ତ ନମୁନାକୁ ପୁଣେସ୍ଥିତ ଏନବିଆଇକୁ ପଠାଯାଇଛି। ସେଠାରୁ ଚୂଡ଼ାନ୍ତ ରିପୋର୍ଟ ଆସିବ।
ରବିବାର ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ।
ସୂଚନା ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ପୂର୍ବରୁ କୋରୋନା ଭାଇରସ ସନ୍ଦିଗ୍ଧଙ୍କ ଲାଳ ଓ ସ୍ୱାବର ନମୁନା ପରୀକ୍ଷା ପାଇଁ ପୁଣେ ଓ କୋଲକାତା ପଠାଯାଉଥିଲା। ବର୍ତ୍ତମାନ ଭୁବନେଶ୍ୱରରେ ହିଁ କୋରୋନା ଭାଇରସ ପରୀକ୍ଷା ହୋଇପାରିବ। ଆବଶ୍ୟକ ହେଲେ କଟକ ବଡ଼ ମେଡ଼ିକାଲରେ କୋରୋନା ପରୀକ୍ଷା କରାଯିବାକୁ ବ୍ୟବସ୍ଥା କରାଯିବ।
କାୟା ବିସ୍ତାର କରିଥିବା କୋରୋନାକୁ ନେଇ ରାଜ୍ୟ ସରକାର ସଜାଗ ରହିଛନ୍ତି। ସମସ୍ତ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋରୋନା ସ୍କ୍ରିନିଂ ସହ ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଛି।













