ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧୋନୀଙ୍କ କ୍ୟାରିଅରର ଏହା ଶେଷ ଆଇପିଏଲ୍ ହେବ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ କହିବା ଆରମ୍ଭ କରିଦେଲେଣି।

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପେଟନ୍ ଏମ୍ଏସ୍ ଧୋନିଙ୍କ ଆଇପିଏଲ୍ କମବ୍ୟାକକୁ ତାଙ୍କର ଫ୍ୟାନମାନେ ଅନେଇ ବସିଛନ୍ତି। ଧୋନି ପୁଣିଥରେ ଆଇପିଏଲରେ ଛକା ଚୌକାର ବର୍ଷା କରନ୍ତୁ ବୋଲି ତାଙ୍କର ପ୍ରଶସଂକମାନେ ଆଶା ବାନ୍ଧି ବସିଛନ୍ତି। ଏପରି ପରିସ୍ଥିତିରେ କେତେକ କ୍ରିକେଟ୍ ବିଶେଷଜ୍ଞ ଏଥର ଆଇପିଏଲକୁ ଧୋନିଙ୍କ ଶେଷ ଆଇପିଏଲ୍ ବୋଲି କହିଛନ୍ତି।ଗତ ଇଂଲଣ୍ଡ ବିଶ୍ୱକପରେ ସେମିଫାଇନାଲରେ ପରାଜିତ ହେବା ପରଠାରୁ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଛନ୍ତି। ଏପରିକି ଧୋନିଙ୍କୁ ଏକପ୍ରକାର କ୍ରିକେଟରୁ ଦୂରେଇ ରଖାଯାଇଛି। ତାଙ୍କ ବଦଳରେ ଚୟନକର୍ତ୍ତାମାନେ ଲଗାତାର ଭାବେ ଯୁବ ୱିକେଟ୍ କିପରମାନଙ୍କୁ ଦଳରେ ରଖୁଛନ୍ତି। ତେଣୁ କ୍ରିକେଟରେ ଧୋନୀଯୁଗ ଏକପ୍ରକାର ଶେଷ ହେଲା ବୋଲି କୁହାଯାଉଛି।

ଧୋନୀ ଭାରତୀୟ ଦଳର ମେରୁଦଣ୍ଡ କିନ୍ତୁ ଦଳ ଏବେ ତାଙ୍କର ବିକଳ୍ପ କଥା ଚିନ୍ତା କରୁଛି। ତେଣୁ ଦଳ ଯୁବ ୱିକେଟ୍ କିପରମାନଙ୍କୁ ସୁଯୋଗ ଦେଉଛି ବୋଲି ଚୟନକର୍ତ୍ତାମାନେ ନିଜର ସଫେଇ ଦେଇ କହୁଛନ୍ତି। ଧୋନୀ ବର୍ତ୍ତମାନ ଦଳ ସହିତ ଅଛନ୍ତି। ସେ ତାଙ୍କର ଇଚ୍ଛା ଅନୁସାରେ ଅବସର ନେବେ ବୋଲି ଚୟନକର୍ତ୍ତାମାନେ କହିସାରିଛନ୍ତି।ସେହିପରି ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ହେବା ଦିନଠାରୁ ଧୋନୀଙ୍କ କ୍ରିକେଟକୁ କମବ୍ୟାକ୍ ଆହୁରି ଜଟିଳ ହୋଇଯାଇଛି ବୋଲି ଧୋନୀଙ୍କ ପ୍ରଶସଂକମାନେ କହିବା ଆରମ୍ଭ କରିଦେଲେଣି। ପୂର୍ବରୁ ଧୋନୀ ଯେଭଳି ଫିଟନେସ୍ କାରଣରୁ ଗାଙ୍ଗୁଲିଙ୍କୁ ଦଳରୁ ବିଶ୍ରାମ ଦେଇଥିଲେ ଗାଙ୍ଗୁଲି ମଧ୍ୟ ସେଇ ନୀତି ଆପଣାଉଛନ୍ତି ବୋଲି ସେମାନେ କହିଛନ୍ତି।

ଆଉ କିଛି ମାସ ପରେ ଅଷ୍ଟ୍ରେଲିଆରେ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆୟୋଜନ ହେବ। ଯଦି ଏଥର ଆଇପିଏଲରେ ଧୋନୀ ଧମାକା କରନ୍ତି। ତେବେ ସେ ଜାତୀୟ ଦଳକୁ ଫେରିବେ ବୋଲି କୁହାଯାଉଛି ଏବଂ ଯଦି ସେ ବିଶ୍ୱକପ୍ ପାଇଁ ଦଳରେ ସାମିଲ ହୁଅନ୍ତି ତେବେ ମଧ୍ୟ ଏହା ତାଙ୍କର ଶେଷ ବିଶ୍ୱକପ୍ ହେବ। ବିଶ୍ୱକପ୍ ଖେଳିବା ସହିତ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିବେ ବୋଲି କ୍ରିକେଟ୍ ପଣ୍ଡିତମାନେ ଭବିଷ୍ୟତବାଣୀ କରୁଛନ୍ତି।

ତେଣୁ ଏଥର ଆଇପିଏଲ୍ ଧୋନୀଙ୍କ କ୍ୟାରିଅର୍ ପାଇଁ ବହୁତ ଗୁରୁତ୍ୱ ବହନ କରୁଛି। ଯଦି ସେ ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି ତେବେ ବିଶ୍ୱକପ୍ ଦଳରେ ସାମିଲ୍ ହେବା ସହିତ ଅବସର ଗ୍ରହଣ କରିପାରନ୍ତି। ନଚେତ୍ ଏଥର ଆଇପିଏଲରେ ଯଦି ସେ ଖରାପ ପ୍ରଦର୍ଶନ କରନ୍ତି ତେବେ ମଧ୍ୟ ସେ ଅବସର ଘୋଷଣା କରିପାରନ୍ତି। ଏହିଭଳି ଭାବେ ଏଥର ଆଇପିଏଲରେ ଧୋନୀଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି।

Comment