ପଣ୍ଡିତ ରାମକୃଷ୍ଣ ମିଶ୍ର

ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍‌।

ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନବିଦ୍ୟତେ।

ଦୋଳରେ ବା ବିମାନରେ ଦୋଳଗୋବିନ୍ଦଙ୍କୁ, ଚାପରେ ମଧୁସୂଦନ ଶ୍ରୀହରିଙ୍କୁ ଓ ରଥରେ ବାମନ ରୂପୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ମନୁଷ୍ୟର ଆଉ ପୁନର୍ଜନ୍ମ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ଫାଲ୍‌ଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଫଗୁଦଶମୀ ନାମରେ ଖ୍ୟାତ। ଫଗୁ ଦର୍ଶମୀରେ ମଧ୍ୟାହ୍ନ ଧୂପ ସରିଲା ପରେ ତିନି ବାଡ଼ରେ ମଇଲମ ହୋଇ ନାଲି ପାଟବସ୍ତ୍ର ଠାକୁରମାନଙ୍କୁ ଲାଗି ହୁଏ। ଏହା ପରେ ପାଳିଆ ମେକାପ ଭଣ୍ଡାର ଘରୁ ଚନ୍ଦନ ଆଣିବାରେ ତିନି ବାଡ଼ରେ ପାଳିଆ ପୁଷ୍ପାଳକମାନେ ସର୍ବାଙ୍ଗ ଚନ୍ଦନ ଲାଗି ନୀତି କରନ୍ତି। ରତ୍ନସିଂହାସନରେ ତିନି ବାଡ଼ରେ ଚାଚେରୀ ବେଶ ଆରମ୍ଭ ପୂର୍ବରୁ ମହାଜନଙ୍କ ଦ୍ୱାରା ଶ୍ରୀଦେବୀ, ଭୂଦେବୀ ଦକ୍ଷିଣ ଘରକୁ ବିଜେ ହୋଇ ବେଶ ହୁଅନ୍ତି। ବେଶ ପରେ ପାଣି ପଡ଼ି ଚାଚେରୀ ଭୋଗ ଛାମୁକୁ ଆସେ। ଏହା ପରେ ଶ୍ରୀଦେବୀ, ଭୂଦେବୀ ଏବଂ ଦୋଳଗୋବିନ୍ଦ ସିଂହାସନକୁ ବିଜେ ହେଲା ପରେ ପଞ୍ଚୋପଚାରରେ ଚାଚେରୀ ଭୋଗ ହୁଏ। ପାଣି ପଡ଼ିଲା ପରେ ପୂଜାପଣ୍ଡା, ପତି ମହାପାତ୍ର, ମୁଦିରସ୍ତଙ୍କ ଦ୍ୱାରା ଫଗୁ ଲାଗି ସହ ବନ୍ଦାପନା ହୁଏ। ଚାଚେରୀ ବେଶ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ହୁଏ ଓ ଦୋଳ ପୂର୍ଣ୍ଣିମୀରେ ଠାକୁରମାନଙ୍କ ସୁନାବେଶ ହୁଏ।

ଏହା ପରେ ଆଜ୍ଞାମାଳ ପାଇବା ପରେ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ (ମହାଲକ୍ଷ୍ମୀ), ଭୂଦେବୀ (ସରସ୍ୱତୀ) ବିମାନରେ ରୁନ୍ଧା ହୋଇ ବିଜେ ହୋଇ ସିଂହଦ୍ୱାର ଦେଇ ଘଣ୍ଟ, ଛତା, ଚାମର, କାହାଳୀ ପଟୁଆରରେ ଜଗନ୍ନାଥବଲ୍ଲଭ ମଠକୁ ବିଜେ କରନ୍ତି। ଠାକୁରମାନଙ୍କ ବିଜେ ପରେ ଶ୍ରୀମନ୍ଦିରେ ସନ୍ଧ୍ୟା ଆଳତି ହୋଇ ସନ୍ଧ୍ୟା ଧୂପ ହୁଏ। ଜଗନ୍ନାଥବଲ୍ଲଭ ମଠରେ ଭୋଗ, ଜଉଡ଼ାବ ଖେଳ, ଫଗୁ ଲାଗି ଓ ବନ୍ଦାପନା, ଶୀତଳ ଭୋଗ ସରିବା ପରେ ବିଜେ ପ୍ରତିମାମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରି ରୁନ୍ଧାଫିଟି ଜଳଲାଗି ପରେ ଶ୍ରୀଦେବୀ, ଭୂଦେବୀ ରତ୍ନସିଂହାସନକୁ ଏବଂ ଦୋଳଗୋବିନ୍ଦ ଦକ୍ଷିଣ ଘରକୁ ବିଜେ ହୁଅନ୍ତି।

ଫାଲ୍‌ଗୁନ ଶୁକ୍ଳ ପାପନାଶିନୀ ଏକାଦଶୀ ତିଥିରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ। ପୂର୍ବ ଏକାଦଶୀମାନଙ୍କରେ ଶ୍ରୀ ମଦନମୋହନ ଏକାଦଶୀ ନୀତିରେ ବିଜେ ହୁଅନ୍ତି। କିନ୍ତୁ ଫଗୁ ଦଶମୀଠାରୁ ହୋଲି ପର୍ଯ୍ୟନ୍ତ ଶ୍ରୀଦୋଳଗୋବିନ୍ଦ ସମସ୍ତ ନୀତିକୁ ବିଜେ ହୁଅନ୍ତି। ଉକ୍ତ ଦିନ ଶ୍ରୀଜଗନ୍ନାଥଙ୍କ ଦକ୍ଷିଣ ଭୂଜରୁ ଜାତ ଶ୍ରୀଦୋଳଗୋବିନ୍ଦଙ୍କ ଜୟବିଜୟ ଦ୍ୱାରଠାରେ ଏକାଦଶୀ ବନ୍ଦାପନା, ଶୀତଳ ଭୋଗ ପରେ ବାମ ଭୂଜରୁ ଜାତ ଶ୍ରୀଦେବୀ, ଭୂଦେବୀ ଜୟବିଜୟ ଦ୍ୱାରକୁ ବିଜେ ହୁଅନ୍ତି ଓ ସେଠାରେ ଫଗୁ ବନ୍ଦାପନା ହୋଇ ଆଜ୍ଞାମାଳ ପାଇବା ପରେ ବିମାନକୁ ବିଜେ କରନ୍ତି ଏବଂ ପଞ୍ଚୁପାଣ୍ଡବଙ୍କ ସହିତ ଜଗନ୍ନାଥବଲ୍ଲଭ ମଠଠାରେ ନୀତି ସାରି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରନ୍ତି।

ଫାଲ୍‌ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମଧ୍ୟାହ୍ନ ଧୂପ ପରେ ମଇଲମ ହୋଇ ଶ୍ରୀମନ୍ଦିରେ ଅଗ୍ନି ଉତ୍ସବ ବା ମେଣ୍ଢାପୋଡ଼ି ନୀତି ସ୍ୱତନ୍ତ୍ର ଭାବେ ପାଳନ ହୁଏ। ପାଳିଆ ମେକାପ ଭଣ୍ଡାର ଘରୁ ଚନ୍ଦନ ବିଜେ କରିବା ପରେ ପାଳିଆ ପୁଷ୍ପାଳକମାନେ ସର୍ବାଙ୍ଗ ଚନ୍ଦନ ଲାଗି କରାନ୍ତି। ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ଘଣ୍ଟ, ଛତା, କାହାଳୀ ପଟୁଆରରେ ଯାଇ ଘଟୁଆରୀ  ଘରୁ ଚନ୍ଦନ, ଫଗୁ ବିଜେ ହୋଇ ସିଂହାସନକୁ ଆସେ। ଶ୍ରୀଅଙ୍ଗରେ ଫଗୁ, ଚନ୍ଦନ ଲାଗି ହୋଇ ବନ୍ଦାପନା ହୁଏ। ସିଂହାସନ ତଳେ ମୁଦିରସ୍ତ ତିନି ବାଡ଼ରେ ଝିମିରି ଫଗୁ ଅଞ୍ଜଳି କରି ଶ୍ରୀଅଙ୍ଗରେ ଚନ୍ଦନ ଫଗୁ ମୁଣି ଲାଗି କରନ୍ତି। ଶ୍ରୀଦେବୀ, ଭୂଦେବୀ ଦକ୍ଷିଣ ଘରକୁ ଚାଚେରୀ ବେଶ ନିମନ୍ତେ ବିଜେ ହୁଅନ୍ତି। ଭିତରେ ବେଶ ଓ ଶ୍ରୀଜୀଉମାନଙ୍କୁ ମାଳ ଫୁଲ କର୍ପୂର ଲାଗି ପରେ ପାଣି ପଡ଼ି ଚାଚେରୀ ଭୋଗ ଆସିଲା ପରେ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ସିଂହାସନକୁ ବିଜେ ହୁଅନ୍ତି। ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ତିନି ବାଡ଼ରେ ତିନିଜଣ ପୂଜାପଣ୍ଡା ପଞ୍ଚୋପଚାରରେ ଭୋଗ ମଣୋହି କରାନ୍ତି। ପୂଜାପଣ୍ଡାଙ୍କଠାରୁ ଆଜ୍ଞାମାଳ ପାଇ ବିଜେ ପ୍ରତିମାମାନେ ଚାମର ଆଲଟ ହୋଇ ବିମାନକୁ ବିଜେ କରି ମହାଲକ୍ଷ୍ମୀଙ୍କ ମନ୍ଦିରର ଜଗମୋହନରେ ପୂର୍ବରୁ ପଡ଼ିଥିବା ଖଟ ଉପରେ ହାତରେ ବିଜେ ହୁଅନ୍ତି। ସେଠାରେ ଲକ୍ଷ୍ମୀନାରାୟଣଙ୍କ ଫଗୁଖେଳ ସରିଲା ପରେ ପ୍ରସାଦ ଲାଗି, ଶୀତଳ ଭୋଗ, ବନ୍ଦାପନା ହୋଇ ବିମାନକୁ ବିଜେ କରି ସିଂହଦ୍ୱାର ଓ ଲାଙ୍ଗୁଳି ମଠ ଦେଇ ଦୋଳବେଦୀର ଅଗ୍ନି ଉତ୍ସବ ଘରକୁ ବିଜେ କରନ୍ତି। ସେଠାରେ ପୂଜାପଣ୍ଡାଙ୍କ ଦ୍ୱାରା ହୋମ ହୁଏ। ହୋମ ସରିଲା ପରେ ପ୍ରସାଦ ଲାଗି ହୋଇ ଶୀତଳ ଭୋଗ ମଣୋହି ହୁଏ। ଚାମର, ଆଲଟ ଲାଗି ପରେ ବିଜେ ପ୍ରତିମାମାନେ ଅଗ୍ନି ସଂଯୋଗ ପରେ ମେଣ୍ଢାକୁଡ଼ିଆ ବା ଅଗ୍ନି ଉତ୍ସବ ଘରକୁ ବିମାନରେ ୭ ଘେରା ପରିକ୍ରମା କରି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରନ୍ତି।

ଦୋଳ ପୂର୍ଣ୍ଣମୀରେ ସକାଳ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ମଇଲମ, ସର୍ବାଙ୍ଗ ଚନ୍ଦନ ଲାଗି, ନୂଆ ବୋଇରାଣୀ ଶାଢ଼ୀ (ଏକ ପ୍ରକାର ଆକାଶୀ ବା ଶାଗୁଆ ରଙ୍ଗର ସୂତା ଲୁଗା) ଓ ଲାଲ ପାଟବସ୍ତ୍ର ଖଣ୍ଡୁଆ ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ତ୍ରିମୁଣ୍ଡରେ ଗଭା ଲାଗି ହୁଏ। ବିଶେଷ ନୀତିରେ ଲାଗୁଥିବା ୧୦/୧୨ ହାତ ଲମ୍ବ ଦେଢ଼ ହାତ ଓସାର ଏହି ବୋଇରାଣୀ ଲୁଗା ଗଞ୍ଜାମର ବୋଇରାଣୀରୁ ବୁଣାହୋଇ ଅଣାଯାଉଥିବାରୁ ଏହା ବୋଇରାଣୀ ଶାଢ଼ୀ ନାମରେ ପରିଚିତ। ଯାତ୍ରା ଦିନମାନଙ୍କରେ ବୋଇରାଣୀ ଲୁଗା ଲାଗିହୁଏ। ତାରାବଳୀ ସଜ (ତାରାଫୁଲ ପଡ଼ିଥିବା) ଖଣ୍ଡୁଆ ଓ ଗୀତଗୋବିନ୍ଦ ଖଣ୍ଡୁଆ (ଗୀତଗୋବିନ୍ଦ ବା ରାସପଞ୍ଚାଧ୍ୟାୟୀ ମୁଦ୍ରିତ ଖଣ୍ଡୁଆ) ନାମରେ ଦୁଇ ପ୍ରକାର ଖଣ୍ଡୁଆ ଠାକୁର ପରିଧାନ କରନ୍ତି। ଏହା ପରେ ରୋଷ ହୋମ, ସୂର୍ଯ୍ୟ ପୂଜା ଓ ଦ୍ୱାରପାଳ ପୂଜା ସମାହିତ ହୁଏ। ମେକାପ ସରଘରୁ ଖଇକୋରା ଭୋଗ ଛାମୁକୁ ଆଣିବା ପରେ ଦକ୍ଷିଣ ଘରୁ ଦୋଳଗୋବିନ୍ଦ ମହାଜନ ସେବକଙ୍କ ହାତରେ ରତ୍ନସିଂହାସନକୁ ବିଜେ କରନ୍ତି। ଭୋଗ ସରିବା ପରେ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରାପ୍ତ ହୋଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ମହାଜନ, ଅଖଣ୍ଡ ମେକାପ, ଗରାବଡ଼ୁ ଓ ପାଳିଆ ଖୁଣ୍ଟିଆ ହାତରେ ବିଜେ କରାଇ ସିଂହାସନ ଚତୁଃପାର୍ଶ୍ୱରେ ୭ ଥର ପରିକ୍ରମା କରାଇ ଜୟବିଜୟ ଦ୍ୱାର ଦେଇ ଶ୍ରୀମନ୍ଦିର ଉତ୍ତର ପାର୍ଶ୍ୱରେ ଥିବା ନାଭିକଟା ମଣ୍ଡପରେ ପ୍ରସ୍ତୁତ ହୋଇଥିବା ଖଟ ଉପରେ ବିଜେ କରାନ୍ତି। ଏଠାରେ ମହାସ୍ନାନ, ମାଜଣା, ମୁଦିରସ୍ତ ପ୍ରସାଦଲାଗି, ଶୀତଳଭୋଗ ଏବଂ ବନ୍ଦାପନା ନୀତି ଅନୁଷ୍ଠିତ ହେବା ପରେ ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ସାତ ପାହାଚ ନିକଟରେ ପ୍ରସ୍ତୁତ ହୋଇ ରହିଥିବା ମଣି ବିମାନରେ ବିଜେ କରାନ୍ତି। ବିମାନ ବଡ଼ୁ ସେବକମାନେ ବିମାନ ବହନ କରି ଘଣ୍ଟ, ଛତା, କାହାଳୀ ପଟୁଆରରେ ମୁଖ୍ୟ ଶ୍ରୀମନ୍ଦିରକୁ ୭ ଥର ପରିକ୍ରମା କରି ବାହାରେ ଶ୍ରୀମନ୍ଦିର ନିକଟସ୍ଥ ଦୋଳବେଦୀକୁ ଆସି ବେଦୀ ଚତୁଃପାର୍ଶ୍ୱରେ ୭ ଥର ପରିକ୍ରମା କରି ବିମାନ ରଖିବା ପରେ ରୁନ୍ଧାଫିଟି ମହାଜନ ସେବକମାନେ ଠାକୁର ଠାକୁରାଣୀମାନଙ୍କୁ ହାତରେ ବିଜେ କରାଇ ଦେବୀ ଉପରେ ୭ ଥର ଓ ଦୋଳିବନ୍ଧା ଯାଇଥିବା ସିଂହାସନର ଚତୁଃପାର୍ଶ୍ୱରେ ୭ ଥର ପରିକ୍ରମା ପରେ ଦୋଳି ଉପରେ ବିଜେ କରାନ୍ତି। ଏଠାରେ ଘଣ୍ଟ, ଛତା କାହାଳୀ ସହ ତଳୁଚ୍ଛ ସେବକ ଦ୍ୱାରା ପଟୁଆର ହୋଇ ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ପୂଜା ଷୋଡ଼ଶ ଉପଚାରରେ ଅନୁଷ୍ଠିତ ହେବା ପରେ ଓ ସାଧାରଣ ଦର୍ଶନ ପରେ ମହାସ୍ନାନ ଓ ବେଶ ହୋଇ ଠାକୁର ଠାକୁରାଣୀମାନେ ଦୋଳିରୁ ଓହ୍ଲାଇ ମୁଦିରସ୍ତ ନିଉଛାଳି ପରେ ଦୋଳିଯୁକ୍ତ ସିଂହାସନ ଚତୁଃପାର୍ଶ୍ୱ ୭ ଥର ପରିକ୍ରମା କରନ୍ତି। ପ୍ରସାଦଲାଗି ଓ ବନ୍ଦାପନା ହୋଇ ସିଂହାସନ ତଳମଣ୍ଡପରେ ଚତୁଃପାର୍ଶ୍ୱରେ ୭ ଥର ପରିକ୍ରମା ପରେ ବିମାନକୁ ବିଜେ କରି ଦୋଳଦେବୀକୁ ୭ ଥର ପରିକ୍ରମା ପରେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରନ୍ତି। ପୁନଃ ମୁଖ୍ୟ ଶ୍ରୀମନ୍ଦିରକୁ ୭ ଥର ପରିକ୍ରମା ପରେ ସରସ୍ୱତୀଙ୍କ ମନ୍ଦିର ସମ୍ମୁଖରେ ବିମାନ ରଖାଯାଇ ଶୀଳତ ଭୋଗ ଓ ବନ୍ଦାପନା ହୁଏ। ଏହାପରେ ସାତପାହାଚ ଦେଇ ଭିତରକାଠ ଭଣ୍ଡାର ଦ୍ୱାରଠାରେ ବିଜେ କରି ସେଠାରେ ବନ୍ଦାପନା ଓ ଜଳଲାଗି ନୀତି ଅନୁଷ୍ଠିତ ହେବା ପରେ ଦୋଳଗୋବିନ୍ଦ ଦକ୍ଷିଣ ଘରକୁ ଏବଂ ଶ୍ରୀଦେବୀ ଓ ଭୂଦେବୀ ରତ୍ନସିଂହାସନକୁ ବିଜେ କରନ୍ତି। ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀରେ ଦୋଳବେଦୀରେ ବହ୍ନି ଉତ୍ସବ ‘ରାଜାଗ୍ନି’ ଓ ‘ବରାହ ଦୋଳ’ ଅନୁଷ୍ଠିତ ହୁଏ।

ପୂର୍ବୋକ୍ତ ବର୍ଣ୍ଣନା ଅନୁଯାୟୀ ବିଜେ ପ୍ରତିମାମାନେ ନାଭିକଟା ମଣ୍ଡପକୁ ବିଜେ କରିବା ପରେ ରତ୍ନସିଂହାସନସ୍ଥ ଶ୍ରୀବିଗ୍ରହମାନଙ୍କର ମଇଲମ ହୋଇ ରାଜାବେଶ ବା ସୁନାବେଶ ଓ କର୍ପୂର ଲାଗି ଅନୁଷ୍ଠିତ ହୁଏ। ଏହା ପରେ ଶ୍ରୀମନ୍ଦିରରେ ଗୋପାଳବଲ୍ଲଭ ଓ ସକାଳ ଧୂପ ଏବଂ ଭୋଗମଣ୍ଡପ ନୀତି ଶେଷ ହୋଇ ସର୍ବସାଧାରଣ ଦର୍ଶନ ବା ସାହାଣମେଲା ଦର୍ଶନ ଅନୁଷ୍ଠିତ ହୁଏ। ଶ୍ରୀବିଗ୍ରହମାନେ ସୁନା ବେଶରେ ଥିବାବେଳେ ଶ୍ରୀଦେବୀ ଓ ଭୂଦେବୀ ଦୋଳବେଦୀରୁ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ ପରେ ରତ୍ନସିଂହାସନରେ ଶ୍ରୀଅଙ୍ଗଲାଗି ହୁଅନ୍ତି। ସାହାଣମେଲା ଦର୍ଶନ ପରେ ସୁନାବେଶ ଓଲାଗି କରାଯାଏ। ଏହାପରେ ଅନ୍ୟାନ୍ୟ ନୀତି ହୋଇ ପହୁଡ଼ ହୁଏ। ଶ୍ରୀମନ୍ଦିରରେ ଠାକୁରମାନଙ୍କର ଦୋଳତ୍ସବ ପରେ ଶ୍ରୀମନ୍ଦିର ଭିତର ବେଢ଼ାର ପଶ୍ଚିମରେ ଯମୁନା ସ୍ନାନ ହୋଇ ଶ୍ରୀମନ୍ଦିରକୁ ବିଜେ ହୋଇଥାନ୍ତି।

ମାଦଳାପାଞ୍ଜି ଅନୁସାରେ ୧୨୩୦ ଖ୍ରୀଷ୍ଟାବ୍ଦରେ ଅନଙ୍ଗଭୀମ ଦେବ ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ବଡ଼ ଦେଉଳର ଦକ୍ଷିଣ-ପୂର୍ବ ପାର୍ଶ୍ୱରେ ଦୋଳମଣ୍ଡପ ନିର୍ମାଣ କରାଇଥିଲେ। ଶ୍ରୀଜଗନ୍ନାଥଙ୍କୁ ସେଠାକୁ ନିଆଯାଇ ଦୋଳଯାତ୍ରା ପର୍ବ ପାଳିତ ହେଉଥିଲା। କିଛି ବର୍ଷ ପରେ ତାହା ଭାଙ୍ଗିଯିବାରୁ ଦୋଳମଣ୍ଡପ ଉପରେ ଶ୍ରୀଜୀଉଙ୍କ ଦୋଳିଖେଳ ବନ୍ଦ ରହିଥିଲା। ୧୫୬୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ମୁକୁନ୍ଦ ଦେବ ଦୋଳବେଦୀ ପୁନଃ ନିର୍ମାଣ କରାଇଥିଲେ। ବର୍ତ୍ତମାନ ଶ୍ରୀମନ୍ଦିର ଉତ୍ତର-ପୂର୍ବ କୋଣରେ ଦୋଳମଣ୍ଡପ ଅବସ୍ଥିତ। ଓଡ଼ିଶାରେ ସର୍ବତ୍ର ଦୋଳ ସମୟରେ ଠାକୁରମାନେ ଭୋଗ ଖାଆନ୍ତି ଓ ଫଗୁ ଖେଳନ୍ତି। ଓଳକଣା ବିଦୁର ମନ୍ଦିରରେ ଚତୁର୍ଦ୍ଦଶୀ ଦିନ ହରିହର ମିଳନ ହୁଏ ଓ ଶାଗଭଜା ଭୋଗ ହୁଏ। ହୋଲିଦିନ ଠାକୁରମାନଙ୍କର ରଙ୍ଗଖେଳ ହୋଇଥାଏ।

ହୋଲି ପର୍ବର ଅନେକ ପୌରାଣିକ ଆଖ୍ୟାୟିକା ରହିଛି। ଦୈତ୍ୟରାଜ ହିରଣ୍ୟକଶିପୁର ଭଗ୍ନୀ ହୋଲିକା ପରମପିତା ବ୍ରହ୍ମାଙ୍କଠାରୁ ଅଗ୍ନିରେ ଭସ୍ମ ନ ହେବାର ବରପ୍ରାପ୍ତି ହୋଇଥିଲା। ହିରଣ୍ୟକଶିପୁର ପୁତ୍ର ପ୍ରହ୍ଲାଦ ବିଷ୍ଣୁ ଭକ୍ତ  ଥିବାରୁ ହିରଣ୍ୟକଶିପୁ ପ୍ରହ୍ଲାଦକୁ ବଧ କରିବା ପାଇଁ ନାନା ଉପାୟ କରି ନ ହେବାରୁ ଶେଷରେ ଭଗ୍ନୀ ହୋଲିକାର ସାହାଯ୍ୟ ନେଇଥିଲା। ହୋଲିକା ବ୍ରହ୍ମାଙ୍କ ବରକୁ ଅପ୍ରୟୋଗ କରି ପୁତୁରା ପ୍ରହ୍ଲାଦକୁ ଧରି ଅଗ୍ନିରେ ପଶିବାରୁ ନିଜେ ଭସ୍ମ ହୋଇଗଲା। ହୋଲିକାର ଦହନ ଓ ପ୍ରହ୍ଲାଦର ବିଜୟ ସ୍ମାରକୀ ରୂପେ ହୋଲି ପର୍ବ ପାଳିତ ହେଉଅଛି।

ଅନ୍ୟପକ୍ଷେ ପୌରାଣିକ ମତରେ ହୁଲି ନାମକ ଏକ ଅସୁରକନ୍ୟା ବିଷ୍ଣୁଙ୍କଠାରୁ ବରପ୍ରାପ୍ତ ହୋଇ ମେଷାସୁର ନାମକ ଏକ ପୁତ୍ରକୁ ଜନ୍ମ ଦେଇଥିଲା। ମେଷାସୁର ଗୋପୀମାନଙ୍କୁ ହଇରାଣ କରିବାରୁ ଶ୍ରୀକୃଷ୍ଣଙ୍କ ପରାମର୍ଶରେ ଗୋପୀମାନେ ତାକୁ ଅଗ୍ନିରେ ଭସ୍ମ କରିଦେଲେ ଓ ଆସୁରୀ ହୁଲିକୁ ସାନ୍ତ୍ୱନା ଦେବା ପାଇଁ ହୋଲି ପର୍ବ ପ୍ରଚଳନ କରିଥିଲେ। ସେଥିପାଇଁ ଏହିଦିନ ମେଣ୍ଢାର ଏକ ମୂର୍ତ୍ତି ଏକ ନଡ଼ା କୁଡ଼ିଆରେ ରଖାଯାଇ ଦାହ କରାଯାଏ ଓ ରାଧାକୃଷ୍ଣ ବିମାନରେ କୁଡ଼ିଆ ଚାରିପଟେ ୭ ଥର ପରିକ୍ରମା କରନ୍ତି। ଅନ୍ୟ ଏକ କାହାଣୀ ଅନୁଯାୟୀ ମେଷାସୁରକୁ ମାରିବା ପାଇଁ ଶ୍ରୀକୃଷ୍ଣ ତା’ର ମୁଖଗହ୍ୱର ମଧ୍ୟକୁ ପ୍ରବେଶ କରି ତା’କୁ ବଧ କଲେ। ମେଷାସୁର ବରପ୍ରାପ୍ତ ହୋଇଥିଲା ଯେ, ତା’ର ଦେହର ରକ୍ତ ଭୂମିରେ ପଡ଼ିଲେ ରକ୍ତବୀଜ ରୂପେ ସେ ପୁନଶ୍ଚ ଜନ୍ମଲାଭ କରିବ। ତେଣୁ ଶ୍ରୀକୃଷ୍ଣଙ୍କ ଦେହରେ ଲାଗିଥିବା ରକ୍ତ ଭୂମିରେ ନ ପଡ଼ିବା ପାଇଁ ଗୋପୀମାନେ ଶ୍ରୀକୃଷ୍ଣଙ୍କ ଦେହରେ ଫଗୁ ବୋଳି ଦେଇଥିଲେ। ଏହି ଜନଶ୍ରୁତି ରୂପେ ‘ବସନ୍ତ ଉତ୍ସବ’ ଓ ‘ଦୋଳ ଉତ୍ସବ’ ସମୟରେ ରାଧାମାଧବଙ୍କ ଅର୍ଚ୍ଚନା ଓ ଫଗୁ ଅର୍ପଣ ସହ ରଙ୍ଗ ଖେଳର ଉତ୍ସବ ପାଳିତ ହେଉଛି।

ଏହି ହୋଲିଦିନ ଭଗବାନ ଶଙ୍କର କନ୍ଦର୍ପକୁ ଦହନ କରିଥିବାର ଦକ୍ଷିଣ ଭାରତର ଲୋକମାନେ ବିଶ୍ୱାସ କରନ୍ତି ଏବଂ ସେହି ସ୍ମାରକୀ ରୂପେ ଏହା ପାଳନ କରାଯାଉଛି। ଏହି ଶୁକ୍ଳ ଚତୁର୍ଦ୍ଦଶୀ ଉତ୍ସବରେ ମାରୱାଡ଼ି ସମ୍ପ୍ରଦାୟର ମହିଳାମାନେ ପରମ୍ପରା ଅନୁସାରେ ପୂଜା ବନ୍ଦାପନା କରି ଘଷିମାଳମାନ ଲଟକାଇ ସୂତାରେ ବାନ୍ଧିଥାନ୍ତି ଓ ପୋଡ଼ିଥାନ୍ତି। ଓଡ଼ିଶାରେ ମେଲଣ ଯାତ୍ରା ପରେ ଠାକୁରମାନଙ୍କର ଯମୁନାସ୍ନାନ ହୋଇ ଯଥାରୀତି ମନ୍ଦିରମାନଙ୍କୁ ବିଜେ କରନ୍ତି।

(ସୌଜନ୍ୟ: ଉତ୍କଳ ପ୍ରସଂଗ)

Comment