ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • ମାର୍ଚ୍ଚ ୪ ସୁଦ୍ଧା ଭାରତ କିମ୍ବା ଓଡ଼ିଶାରେ ପାଦ ଦେଇଥିଲେ ପଞ୍ଜୀକରଣ ବାଧ୍ୟତାମୂଳକ
  • ପଞ୍ଜୀକରଣ ନକଲେ ଆଇନ ଅନୁଯାୟୀ ଦଣ୍ଡ ଦେବେ ସରକାର
  • କରୋନା ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ୱେବସାଇଟ୍‌, ମଙ୍ଗଳବାରଠାରୁ ଚାଲୁ
  • ଟୋଲ ଫ୍ରି ନମ୍ବର ୧୦୪ରେ କଲ କରି କରିପାରିବେ ପଞ୍ଜୀକରଣ
  • ଆଗୁଆ ପଞ୍ଜୀକରଣ କଲେ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି
  • ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଚିବ କଲେ ଘୋଷଣା
  • ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ ପାଇଁ ୧୪ ଦିନର ହୋମ୍‌ କ୍ୱାରାଣ୍ଟାଇନ୍‌

କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ କଡ଼ା ପଦକ୍ଷେପ। ମାର୍ଚ୍ଚ ୪ ସୁଦ୍ଧା ବିଦେଶରୁ ଆସି ଭାରତ କିମ୍ବା ଓଡ଼ିଶାରେ ପାଦ ଦେଇଥିଲେ ଏହି ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ଏ ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଘୋଷଣା କରିଛନ୍ତି।

କୌଣସି ନିର୍ଦ୍ଦିଷ୍ଟ ନୁହେଁ, ବରଂ ଯେକୌଣସି ଦେଶରୁ ଫେରିଥିଲେ ଏହି ନିୟମ କାର୍ଯ୍ୟକାରୀ ହେବ। ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କୁ ନିଜ ଆଡୁ ପଞ୍ଜୀକରଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏହି ନିୟମକୁ ପାଳନ ନକଲେ ଆବଶ୍ୟକ ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟ ସଚିବ ଆଜି ସ୍ପଷ୍ଟ ଭାବେ କହିଛନ୍ତି।

ସରକାରଙ୍କ ପରାମର୍ଶ ଅନୁଯାୟୀ ମାର୍ଚ୍ଚ ୪ ତାରିଖ ପରେ ବିଦେଶରୁ ଆସିଥିବା ବ୍ୟକ୍ତିମାନେ www.covid19.odisha.gov.in ୱେବସାଇଟରେ ଲଗ୍‌ଇନ୍‌ କରି ଆବଶ୍ୟକ ତଥ୍ୟ ପ୍ରଦାନ କରିବେ। ଏହି ୱେବସାଇଟ୍‌ ମଙ୍ଗଳବାର ଅର୍ଥାତ୍‌ ମାର୍ଚ୍ଚ ୧୭ରୁ ଚାଲୁ ହେବ। ତେବେ ଯେଉଁମାନେ ଚାହିଁବେ ଟୋଲ ଫ୍ରି ନମ୍ବର ୧୦୪ରେ କଲ କରି ମଧ୍ୟ କରିପାରିବେ ପଞ୍ଜୀକରଣ।

ସେହିପରି ଏବେ ବିଦେଶରୁ ଓଡ଼ିଶା ଆସିବାକୁ ବାହାରିଥିବା ବା ଯୋଜନା କରିଥିବା ବ୍ୟକ୍ତିମାନେ ମଧ୍ୟ ଆଗୁଆ ପଞ୍ଜୀକରଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

ଏହି ବ୍ୟବସ୍ଥା ମଧ୍ୟରେ ପଞ୍ଜୀକରଣ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ୧୪ ଦିନ ପର୍ଯ୍ୟନ୍ତ ହୋମ୍‌ କ୍ୱାରାଣ୍ଟାଇମ୍‌ କରାଯିବ। ସ୍ୱାସ୍ଥ୍ୟ ବିଭାଗ ବା ସରକାରଙ୍କର ସ୍ୱତନ୍ତ୍ର ସେଲ୍‌ ସେମାନଙ୍କ ସହ ଯୋଗାଯୋଗରେ ରହିବେ। ପଞ୍ଜୀକରଣ କରୁଥିବା ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ ବୋଲି ସରକାର ଘୋଷଣା କରିଛନ୍ତି।

ଯେଉଁମାନେ ଗତ କିଛିଦିନ ଭିତରେ ବିଦେଶରୁ ଓଡ଼ିଶା ଆସିଛନ୍ତି ସେମାନଙ୍କୁ ନିଜ ଆଡୁ କିମ୍ବା ତାଙ୍କ ପରିବାର ମାଧ୍ୟମରେ ପଞ୍ଜୀକରଣ କରିବା ପାଇଁ ସରକାର ୩ ଦିନ ସମୟ ଦେଇଛନ୍ତି। ୧୯ ମାର୍ଚ୍ଚ ସୁଦ୍ଧା ସେମାନଙ୍କୁ ପଞ୍ଜୀକରଣ କରିବାକୁ ହେବ। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଚିବ କହିଥିଲେ ଯେ, ଓଡ଼ିଶାରେ କିଭଳି କରୋନାକୁ ନିୟନ୍ତ୍ରଣ କରାଯିବ ସେଥିପାଇଁ ସରକାର ସବୁପ୍ରକାର ବ୍ୟବସ୍ଥା କରୁଛନ୍ତି।

ଓଡ଼ିଶା ସରକାର କରୋନା ସଚେତନତା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। କରୋନାଠାରୁ କିପରି ଲୋକଙ୍କୁ ସୁରକ୍ଷିତ ରଖାଯିବ ସେଥିପ୍ରତି ସରକାର ସଚେତନ ଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ। ଏଥିପାଇଁ ଲୋକମାନେ ସହଯୋଗ କରିବାକୁ ଶ୍ରୀ ତ୍ରିପାଠୀ ଅନୁରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here