ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସ ଏହାର ସଂକ୍ରମଣ, ଚିକିତ୍ସା ଓ ଏଥିରୁ ରକ୍ଷା ପାଇବାର ବାଟ ସଂପର୍କରେ ଆପଣଙ୍କ ମନକୁ ଆସୁଥିବା ବିଭିନ୍ନ ଜଟିଳ ପ୍ରଶ୍ନର ସରଳ ଉତ୍ତର..
କରୋନା ଭାଇରସ କ’ଣ?
କରୋନା ଭାଇରସ୍ ଏକ ଭୂତାଣୁ, ଯାହାକି ଉଭୟ ପ୍ରାଣୀ ମଣିଷଙ୍କଠାରେ ଦେଖାଯାଏ। ଏହା ପ୍ରଥମେ ଚୀନର ଉହାନ ସହରରେ ୨୦୧୯, ଡିସେମ୍ବରରେ ଦେଖାଦେଇଥିଲା। କରୋନା ଭାଇରସ ପରିବାରର ବିଭିନ୍ନ ପ୍ରକାର ଭୂତାଣୁ ରହିଛି। ତେବେ ବର୍ତ୍ତମାନ ସାରା ପୃଥିବୀରେ ଯାହା ମହାମାରୀର ରୂପ ନେଇଛି ତାହାର ନାଁ ପ୍ରଥମେ ଦିଆଯାଇଥିଲା ନୋଭେଲ କରୋନା ଭାଇରସ। ବର୍ତ୍ତମାନ ଏହାକୁ COVID-19 ନାଁ ନାମିତ କରାଯାଇଛି।
ନୋଭେଲ କରୋନା ଭାଇରସ୍ କ’ଣ?
ନୋଭେଲ କରୋନା ଭାଇରସ୍ ହେଉଛି ଏକ ନୂଆ ଭାଇରସ୍ ଯାହା ପୂର୍ବରୁ ଚିହ୍ନଟ ହୋଇନଥିଲା। ଏହାର ପ୍ରଭାବରେ ଥଣ୍ଡା ଜ୍ୱର ଏବଂ ଅତିରିକ୍ତ ହେଲେ ନିମୋନିଆ ଭଳି ସ୍ଥିତି ସୃଷ୍ଟି ହୋଇପାରେ। ଏହା ଖୁବଶୀଘ୍ର ବ୍ୟାପୁଥିବାରୁ ଏହାକୁ ନୋଭେଲ କରୋନା ଭାଇରସ ବୋଲି କୁହାଯାଉଛି। ସାଧାରଣ ଭାବେ ଏଥିର ମୃତ୍ୟୁ ସଂଖ୍ୟା କମ୍ ରହିଥିଲେ ମଧ୍ୟ ସ୍ଥଳ ବିଶେଷରେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇପାରେ।
କରୋନା ଭାଇରସ ପ୍ରଥମେ କେଉଁଠି ଦେଖାଯାଇଥିଲା?
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରିଥିବା ଅନୁଧ୍ୟାନ ଅନୁଯାୟୀ ଚୀନର ଉହାନ ସହରରେ ପ୍ରଥମେ କୋରୋନା ଭାଇରସ ଦେଖା ଦେଇଥିଲା। ପ୍ରାଥମିକ ଅବସ୍ଥାରେ ଚୀନର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏହାକୁ ଗୁରୁତର ଭାବେ ନେଇ ନଥିଲା। ଫଳରେ ଅଳ୍ପ ଦିନ ମଧ୍ୟରେ କରୋନା ଭାଇରସ ଉହାନ ସହରରେ ବ୍ୟାପିବା ସହ ଚୀନର ବିଭିନ୍ନ ଅଞ୍ଚଳକୁ ଖେଳି ଯାଇଥିଲା। ପରବର୍ତ୍ତୀ ସମୟରେ ଚୀନରୁ ଏହା ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିବା ଫଳରେ ଏହା ଏକ ବିଶ୍ୱ ମହାମାରୀର ରୂପ ନେଇଛି।
କୋରୋନା ଭାଇରସର ଲକ୍ଷଣ କ’ଣ?
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ଲକ୍ଷଣ ଦେଖାଯାଇଥାଏ। ଜ୍ୱର ହେବା ବାରମ୍ବାର କାଶିବା ଓ ଛିଙ୍କିବା ସହ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହୋଇପାରେ। ଏହାର ପ୍ରଭାବରେ ଜଣେ ବ୍ୟକ୍ତିଙ୍କଠାରେ ଧଇଁସଇଁ ହେବା ବା ଅମ୍ଳଜାନ ଅଭାବ ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। ତେବେ କରୋନା ଭାଇରସର ପ୍ରଭାବକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଧାରିତ ପରୀକ୍ଷା ନକରିବା ପର୍ଯ୍ୟନ୍ତ କୁହାଯାଇପାରିବ ନାହିଁ ଯେ ସଂପୃକ୍ତ ବ୍ୟକ୍ତି କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି କି ନାହିଁ।

କରୋନା ଭାଇରସ କିପରି ବ୍ୟାପେ?
ଥଣ୍ଡା ରୋଗ ସୃଷ୍ଟି କରୁଥିବା ଅନ୍ୟ ଯେକୌଣସି ଭାଇରସ ପରି କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟମାନଙ୍କ ପାଖକୁ ଡେଇଁଥାଏ। ବିଶେଷ କରି ସଂକ୍ରମିତ ବ୍ୟକ୍ତିଙ୍କ ମୁହଁର ଲାଳ, ଛିଙ୍କ, କାଶ, ବା ସିଂଘାଣୀ ବାଟ ଦେଇ ଏହା ଅନ୍ୟ ଜଣକ ଶରୀରରେ ପ୍ରବେଶ କରିଥାଏ। କାଶ ବା ଛିଙ୍କ ବେଳେ ସଂକ୍ରମିତ ବ୍ୟକ୍ତିଙ୍କ ମୁହଁ ଓ ନାକରୁ ବାହାରୁଥିବା ଡ୍ରପଲେଟ୍ ଦେଇ କରୋନା ଭାଇରସ ବାହାରକୁ ଆସିଥାଏ। ସଂକ୍ରମିତ ବ୍ୟକ୍ତି ଯେଉଁ ସବୁ ଜିନିଷ ବ୍ୟବହାର କରନ୍ତି ବା ଯେଉଁ ଜାଗାରେ ହାତ ଲଗାଇଥାନ୍ତି ଜଣେ ସୁସ୍ଥ ବ୍ୟକ୍ତି ସେହି ଜାଗା ଛଇଁବା ଫଳରେ କରୋନା ଭାଇରସ ଏଭଳି ପରୋକ୍ଷ ମାଧ୍ୟମ ନେଇ ଅନ୍ୟ ଜଣକୁ ପ୍ରବେଶ କରିପାରେ।
ଲକ୍ଷଣ ଦେଖାଯାଉନଥିଲେ ବି ଭାଇରସ ଅନ୍ୟକୁ ଡେଇଁଥାଏ କି?
କରୋନା ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିବାର କିଛି ଦିନ ମଧ୍ୟରେ ବିଭିନ୍ନ ଲକ୍ଷଣ ଦେଖାଯାଏ। ତେବେ ପ୍ରଶ୍ନ ଉଠେ ଯେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ କରୋନାର ପ୍ରଭାବର ଦେଖାଯାଉନଥିଲେ ମଧ୍ୟ ତାଙ୍କଠାରୁ ସଂକ୍ରମଣ ଆଉ ଜଣକ ପାଖକୁ ଡେଇଁପାରେ କି? ଏହାର ଉତ୍ତର ହେଉଛି ହଁ। ଅର୍ଥାତ ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନାର ଗୁରୁତର ଲକ୍ଷଣ ଦେଖାଯିବା ପୂର୍ବରୁ ମଧ୍ୟ ସଂକ୍ରମଣ ଅନ୍ୟକୁ ବ୍ୟାପି ପାରେ। ତେଣୁ ବିଶେଷଜ୍ଞଙ୍କ ପରାମର୍ଶ ହେଉଛି ଯେ କୌଣସି ବ୍ୟକ୍ତିଙ୍କ ପାଖରେ ଥଣ୍ଡା, ଜ୍ୱର ଓ କାଶର ଲକ୍ଷଣ ଦେଖା ଦେଉଥିଲେ ତାଙ୍କଠାରୁ ଦୂରତା ରକ୍ଷା କରନ୍ତୁ।
କରୋନାର ଲକ୍ଷଣ ଦେଖାଗଲେ କ’ଣ କରିବେ?
ଯଦି ଆପଣଙ୍କ ପରିବାରରେ ବା ସୋସାଇଟିରେ କାହାର ଥଣ୍ଡା ଜ୍ୱର ସହ କାଶ ଓ ଛିଙ୍କ ହେଉଥାଏ ତେବେ ତାଙ୍କୁ ପ୍ରଥମେ ଅନ୍ୟମାନଙ୍କ ସହ ମିଶିବାରେ ବାରଣ କରନ୍ତୁ। କାଶିବା ବା ଛିଙ୍କିଲା ବେଳେ ମୁହଁରେ ରୁମାଲ ବା କପଡ଼ା ଦିଅନ୍ତୁ। ସେହିଭଳି ହାତ ବା ମୁଠାରେ ନକାଶି ମୁହଁକୁ କହୁଣି ପାଖକୁ ଆଣି କାଶନ୍ତୁ। ହାତକୁ ନିୟମିତ ବ୍ୟବଧାନରେ ସାବୁନ୍ ବା ସାନିଟାଇଜରରେ ୨୦ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ସଫା କରନ୍ତୁ। ଆଖି, ପାଟି ଓ ମୁହଁରେ ବାରମ୍ବାର ହାତ ଲଗାନ୍ତୁ ନାହିଁ। ଥଣ୍ଡାର ଶିକାର ହୋଇଥିବା ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ କରି ଆବଶ୍ୟକ ଔଷଧ ଦିଅନ୍ତୁ। ତେବେ ରୋଗୀଙ୍କଠାରେ ଯଦି ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ମନେ ରଖନ୍ତୁ ଡାକ୍ତରଙ୍କ ପାଖକୁ ଯିବାକୁ ପ୍ରଥମେ ଫୋନରେ ପରାମର୍ଶ କରନ୍ତୁ।
ବିଶ୍ୱ ମହାମାରୀ ବା ପାନ୍ଡେମିକ୍ କ’ଣ?
ଚୀନରୁ ଆରମ୍ଭ ହୋଇ ପୃଥିବୀର ବିଭିନ୍ନ ସ୍ଥାନକୁ ବ୍ୟାପି ଯାଇଥିବା କରୋନା ଭାଇରସ ସବୁଠି ଏକ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ଗୋଟିଏ ପରେ ଗୋଟିଏ ଦେଶର ହଜାର ହଜାର ସାଧାରଣ ଜନତା କରୋନାରେ ସଂକ୍ରମିତ ହେବା ଫଳରେ ଏହା ଏକ ବ୍ୟାପକ ଜାତୀୟ ବିପତ୍ତିର ରୂପ ନେଇଛି। ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଏହାକୁ ବିଶ୍ୱ ମହମାରୀ ବା ପାନ୍ଡେମିକ୍ ବୋଲି ଘୋଷଣା କରିଛି।
କୋରୋନା ଭାଇରସ ପାଇଁ କ’ଣ ଚିକିତ୍ସା ରହିଛି?
ସାଧାରଣତଃ କରୋନା ଭାଇରସ ଭଳି କୌଣସି ଭାଇରସର ସିଧାସଳଖ କୌଣସି ଚିକିତ୍ସା ଏପର୍ଯ୍ୟନ୍ତ ସମ୍ଭବପର ହୋଇନାହିଁ। ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲରେ କ୍ରିଟିକାଲ କେୟାର ଏବଂ ପଲମୋନୋଲୋଜି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଡାକ୍ତର ସମୀର ସାହୁଙ୍କ କହିବା ଅନୁଯାୟୀ ରୋଗୀଙ୍କ ଲକ୍ଷଣ ଅନୁଯାୟୀ ଚିକିତ୍ସା କରାଯାଇଥାଏ। କରୋନା ପ୍ରଭାବିତ ରୋଗୀଙ୍କ ଅବସ୍ଥା ଜଟିଳ ହେଲେ ଅକ୍ସିଜେନ୍ ଦେବାକୁ ପଡ଼ିପାରେ। ସେହିପରି କେତେକ କ୍ଷେତ୍ରରେ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡ଼ିଥାଏ। ତେବେ କରୋନା ପ୍ରଭାବିତ ରୋଗୀଙ୍କର ଚିକିତ୍ସାର ପ୍ରଥମ ପଦକ୍ଷେପ ହେଉଛି ତାଙ୍କୁ ଆଇସୋଲେନ କରି ରଖିବା ଯାହଫଳରେ ତାଙ୍କଠାରୁ ଭୂତାଣୁ ଅନ୍ୟମାନଙ୍କୁ ବ୍ୟାପିବ ନାହିଁ।
କରୋନା ପ୍ରଭାବରେ ମୃତ୍ୟୁ ଘଟିପାରେ କି?
ଯେ କୌଣସି ରୋଗରେ ଅବସ୍ଥା ଗୁରୁତର ହେଲେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିପାରେ। ତେବେ ଠିକଣା ସମୟରେ ଚିକିତ୍ସା କରାଗଲେ ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ସମ୍ଭବପର ହୋଇଥାଏ। କରୋନା ପ୍ରଭାବରେ ମୃତ୍ୟୁ ସଂଖ୍ୟାକୁ ନେଇ ସେଭଳି କୌଣସି ନିର୍ଦ୍ଦିଷ୍ଟ ପରିସଂଖ୍ୟାନ ନାହିଁ। ତେବେ ବୟସ୍କ ବ୍ୟକ୍ତି ବିଶେଷକରି ଯେଉଁମାନଙ୍କର ବିଭିନ୍ନ ପ୍ରକାରର ଜଟିଳ ରୋଗ ରହିଛି ସେମାନଙ୍କର କରୋନା ସଂକ୍ରମଣ ହେଲେ ମୃତ୍ୟର ଆଶଙ୍କା ରହିଛି।
ଗର୍ଭବତୀ ବା ପିଲାଙ୍କ ଉପରେ କରୋନା ପ୍ରଭାବ ଅଧିକ କି?
ବିଭିନ୍ନ ବୟସ ବା ବର୍ଗର ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇପାରେ। ତେଣୁ ଛୋଟ ପିଲା ବା ଗର୍ଭବତୀ ମହିଳାଙ୍କ ଉପରେ କରୋନା ଭାଇରସର ଯେ ଅଧିକ ପ୍ରଭାବ ରହିଛି ସେଭଳି କୌଣସି ପ୍ରମାଣ ମିଳିନାହିଁ। ତେବେ କରୋନାର ସଂକ୍ରମଣ ଖୁବଶୀଘ୍ର ଓ ବହୁ ବ୍ୟାପକ ଭାବେ ହେଉଥିବାରୁ ଛୋଟ ପିଲା ଓ ଗର୍ଭବତୀ ମହିଳମାନେ କୌଣସି ଥଣ୍ଡା ଜ୍ୱର ଓ କାଶ ହେଉଥିବା ବ୍ୟକ୍ତିଙ୍କଠାରୁ ଦୂରରେ ରହନ୍ତୁ।
କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବେ କେମିତି?
କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ସଚେତନ ହେବାକୁ ପଡ଼ିବ। ଆପଣଙ୍କ ଘରେ , ସୋସାଇଟିରେ ବା ଅଫିସରେ ଲୋକଙ୍କ ସହ ମିଳାମିଶା କଲା ବେଳେ ହାତ ମିଳାନ୍ତୁ ନାହିଁ। କାହାର କାଶ ବା ଛିଙ୍କ ହେଉଥିଲେ ତାଙ୍କଠାରୁ ଅନ୍ତତଃ ୧ ମିଟର ଦୂରତା ରକ୍ଷା କରନ୍ତୁ। ନିୟମିତ ବ୍ୟବଧାନରେ ସାବୁନରେ ବା ହ୍ୟାଣ୍ଡ ଓ୍ୱାସରେ ହାତ ଧୁଅନ୍ତୁ। ହାତକୁ ଆଖି, ପାଟି ଓ ନାକରେ ଲଗାନ୍ତୁ ନାହିଁ। ବାରମ୍ବାର ବ୍ୟବହାର ହେଉଥିବା ଜିନିଷ ଯେପରିକି ମୋବାଇଲ ଫୋନ, ଲାପଟପ୍, କମ୍ପ୍ୟୁଟର କିବୋର୍ଡ ଆଦିକୁ ଅନ୍ୟ ସହ ବ୍ୟବହାର କରନ୍ତୁ ନାହିଁ। ହାଟ, ବଜାର, ମଲ୍ ବା କୌଣସି ସଭାସମିତି ବା ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ। ଘରେ ଏବଂ ଅଫିସରେ ଆପଣ ବ୍ୟବହାର କରୁଥିବା ପରିଷ୍କାର ପରିଚ୍ଛନତାରେ ରଖନ୍ତୁ।

ମାସ୍କ ପିନ୍ଧିଲେ କରୋନା ସଂକ୍ରମଣ ହେବ ନାହିଁ କି?
ଡାକ୍ତରଙ୍କ କହିବା କଥା ହେଲା ଯେ କୌଣସି ସୁସ୍ଥ ବ୍ୟକ୍ତି ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। ତେବେ କରୋନା ସଂକ୍ରମିତ ବା କରୋନା ଆଶଙ୍କା କରାଯାଉଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଦରକାର। ବଜାରରେ ବିଭିନ୍ନ ପ୍ରକାରର ମାସ୍କ ମିଳିଥାଏ। ସାଧାରଣ ସର୍ଜିକାଲ ମାସ୍କ ହେଉ ବା ଏନ୍ ୯୫ ଆବଶ୍ୟକ ହେଲେ ହିଁ ମାସ୍କ ପିନ୍ଧନ୍ତୁ। ତେବେ ଯେଉଁମାନେ ଜରୁରୀ କାରଣରୁ ବସ୍, ଟ୍ରେନ୍ ବା ଫ୍ଲାଇଟରେ ଯାତ୍ରା କରୁଛନ୍ତି ସେମାନେ ନିଜର ତଥା ଅନ୍ୟର ସୁରକ୍ଷା ପାଇଁ ଯାତ୍ରା ସମୟରେ ମାସ୍କ ପିନ୍ଧିପାରନ୍ତି।![]()
ମାସ୍କ କେମିତି ବାନ୍ଧିବେ?
କେବଳ ମାସ୍କ ପିନ୍ଧିଲେ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରି ହେବ ତାହା ଭାବିବା ଭୁଲ। କାରଣ ଠିକ ଭାବେ ମାସ୍କର ବ୍ୟବହାର କରି ନଜାଣିଲେ ଏଥରୁ କୌଣସି ଫାଇଦା ମିଳିନଥାଏ।
- ମାସ୍କ ବାନ୍ଧିବା ପୂର୍ବରୁ ପ୍ରଥମେ ହାତକୁ ଆଲକହଲଯୁକ୍ତ ସାବୁନ୍ରେ ଭଲ ଭାବରେ ଧୁଅନ୍ତୁ।
- ଏହାପରେ ମାସ୍କକୁ ମୁହଁରେ ବାନ୍ଧନ୍ତୁ। ବାନ୍ଧିବା ପରେ ନାକ ପାଖରେ ଥିବା ମେଟାଲ ଷ୍ଟ୍ରିପକୁ ଟାଇଟ୍ କରନ୍ତୁ।
- ମାସ୍କକୁ ଭଲ ଭାବରେ ସାଇଜ୍ କରନ୍ତୁ, ଯେପରି ମାସ୍କ ମୁହଁ ଭିତରେ ଫାଙ୍କା ରହିବ ନାହିଁ।
- ବାରମ୍ବାର ମାସ୍କର ବାହାର ପଟକୁ ଛୁଅନ୍ତୁ ନାହିଁ। ଯଦି ଛୁଇଁବେ ତେବେ ହାତ ସାବୁନରେ ଧୁଅନ୍ତୁ।
- ମାସ୍କକୁ ଖୋଲିବା ବେଳେ ପ୍ରଥମେ କାନରେ ଲାଗିଥିବା ଇଲାଷ୍ଟିକ୍କୁ କାଢ଼ନ୍ତୁ, ତୁରନ୍ତ ଡଷ୍ଟବିନ୍ରେ ପକାନ୍ତୁ, ହାତକୁ ସାବୁନରେ ଧୁଅନ୍ତୁ।

ବାରମ୍ବାର ହାତ ଧୋଇଲେ କାରୋନା ହେବ ନାହିଁ କି?
କରୋନା ଭାଇରସର ମୁକାବିଲା ବେଳେ ପ୍ରଥମ ପଦକ୍ଷେପ ହେଉଛି ନିୟମିତ ବ୍ୟବଧାନରେ ହାତ ଧୋଇବା। କାରଣ ଆମେ ଆବଶ୍ୟକତା ଦୃଷ୍ଟିରୁ ବିଭିନ୍ନ ଜନିଷରେ ହାତ ଲଗାଇଥାଉ। ବିଭିନ୍ନ ଜିନିଷ ବା ସରଫେସ୍ରେ ଯଦି କରୋନା ଭାଇରସ ଭଳି କୌଣସି ଭୂତାଣୁ ଲାଗି ରହିଥାଏ ତେବେ ତାହା ହାତ ଦେଇ ଆମ ଶରୀରରେ ପ୍ରବେଶ କରିଥାଏ। ତେଣୁ ହାତକୁ ଆଲକହଲଯୁକ୍ତ ସାବୁନ ବା ସାନିଟାଇଜରରେ ଧୋଇଲେ ହାତରେ ଲାଗିଥିବା କୌଣସି ଭୂତାଣୁର ମୃତ୍ୟୁ ଘଟିଥାଏ।
କେମିତି ହାତ ଧୋଇବେ?
- ନିୟମିତ ବ୍ୟବଧାନରେ ହାତ ଧୁଅନ୍ତୁ।
- ହାତ ଧୋଇଲା ବେଳେ ଆଲକହଲ ଯୁକ୍ତ ସାବନ, ହ୍ୟାଣ୍ଡ ଓ୍ୱାସ ବା ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରନ୍ତୁ।
- ପ୍ରଥମେ ହାତକୁ ପାଣିରେ ସମ୍ପୂର୍ଣ୍ଣ ଭିଜାଇ ଦିଅନ୍ତୁ। ଏହାପରେ ସାବୁନକୁ ହାତରେ ଘଷନ୍ତୁ। ଯଦି ଆପଣ ହ୍ୟାଣ୍ଡ ଓ୍ୱାସ ବା ସାନିଟାଇଜର ବ୍ୟବହାର କରୁଛନ୍ତି ତେବେ ଆବଶ୍ୟକ ପରିମାଣର ତରଳ ନିଅନ୍ତୁ ଯାହା ଆପଣଙ୍କ ହାତ ପାଇଁ ଯଥେଷ୍ଟ ହେବ।
- ଅନ୍ତତଃ ୨୦ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ସାବନୁରେ ମକଚି, ହାତ ପାପୁଲି, ବିଭିନ୍ନ ଆଙ୍ଗୁଠି, ଆଙ୍ଗୁଠି ସନ୍ଧି, ନଖ, କଚଟିର ତଳ ଉପର ଭଲ ଭାବେ ଧୁଅନ୍ତୁ।
- ସାଧାରଣତଃ ରନିଙ୍ଗ୍ ଓ୍ୱାଟର ବା ପାଇପ ପାଣିରେ କିମ୍ବା ହାତରେ ପାଣି ଢାଳି ହାତ ଧୋଇବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି।
- ହାତ ଧୋଇବା ପରେ ହାତକୁ ଭଲ ଭାବେ ପରିଷ୍କାର କପଡ଼ାରେ ପୋଛି ଶୁଖାଇ ଦିଅନ୍ତୁ।
- ତେଣୁ ଖାଇବା ପୂର୍ବରୁ, ମୁହଁ ଧୋଇବା ପୂର୍ବରୁ ଓ ନିୟମିତ ବ୍ୟବଧାନରେ ହାତ ଧୋଇବା ଧାରା ପ୍ରଣାଳୀ
ଅନୁସରଣ କରି ସୁସ୍ଥ ରହନ୍ତୁ।
ସ୍ୱାସ୍ଥ୍ୟ କର୍ମୀମାନେ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଥାଏ କି?
ହଁ। ଯେହେତୁ ସେମାନେ ରୋଗୀମାନଙ୍କ ସହିତ ସିଧାସଳଖ ସଂପର୍କରେ ଆସନ୍ତି ତେଣୁ ସେମାନଙ୍କୁ କରୋନା ଭାଇରସ ଅଧିକ ସଂକ୍ରମଣର ଆଶଙ୍କା ଥାଏ। ତେଣୁ ଡାକ୍ତର, ନର୍ସ ବା ଅନ୍ୟ ସେବା ପ୍ରଦାନକାରୀ କର୍ମଚାରୀମାନେ କରୋନା ପରିଚାଳନା ବେଳେ କ’ଣ କ’ଣ ପଦକ୍ଷେପ ନେବେ ସରକାର ସ୍ୱତନ୍ତ୍ର ଆଡଭାଇଜରି ଜାରି କରିଛନ୍ତି।

ସେଲଫ୍ କ୍ୱାରେଣ୍ଟାଇନ କ’ଣ?
ସେଲଫ୍ କ୍ୱାରେଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗରୁ ଦୂରେଇ ରଖିବା। ଅର୍ଥାତ୍ ପରିବାର ବା ସୋସାଇଟିର ଅନ୍ୟ କୌଣସି ସଦସ୍ୟଙ୍କ ସହ ମିଳାମିଶା ନକରିବା। ଯଦି ଆପଣ କୌଣସି କରୋନା ସଂକ୍ରମିତ ବା କରୋନା ସନ୍ଦିଗ୍ଧଙ୍କ ସଂପର୍କରେ ଆସିଥାନ୍ତି ଏବଂ ଆପଣ ସୁସ୍ଥ ଅଛନ୍ତି ତେବେ ସେଲଫ୍ କ୍ୱାରେଣ୍ଟାଇନ ଲାଗି ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କରୋନା ଭାଇରସରେ ଆଉ କାହାକୁ ସଂକ୍ରମିତ ହେବାକୁ ନଦେବା। ଅର୍ଥାତ ଯଦି ଆପଣ ଏହି ଭାଇରସ ଦ୍ୱାରା ପ୍ରଭାବିତ ହୋଇଥାନ୍ତି ଏବଂ ଆପଣଙ୍କ ଭିତରେ କରୋନାର ଲକ୍ଷଣ ପ୍ରକାଶ ପାଇନଥାଏ ତେବେ ସେଲଫ୍ କ୍ୱାରେଣ୍ଟାଇନ ହେବା ଫଳରେ ଆପଣଙ୍କ ମାଧ୍ୟମରେ ଏହି ଭାଇରସ ଅନ୍ୟ କାହାକୁ ସଂକ୍ରମଣ କରିପାରେ ନାହିଁ। ତେବେ ସେଲଫ୍ କ୍ୱାରେଣ୍ଟାଇନରେ ରହିଲା ବେଳେ ପ୍ରାତଃ ଭ୍ରମଣ ବା ବ୍ୟାୟମ କରିବା ଉପରେ କୌଣସି କଟକଣା ନାହିଁ।
ସେଲଫ୍ ଆଇସୋଲେସନ କ’ଣ?
ସେଲଫ୍ ଆଇସୋଲେସନ ହେଉଛି ସେଲଫ୍ କ୍ୱାରେଣ୍ଟାଇନର ପରବର୍ତ୍ତୀ ଅବସ୍ଥା। ଅର୍ଥାତ୍ ଏହି ଅବସ୍ଥାରେ ଆପଣ ନିଜକୁ ଗୋଟିଏ ରୁମ୍ ଭିତରେ ଏକ ପ୍ରକାର ଆବଦ୍ଧ ତଥା ଅନ୍ୟମାନଙ୍କଠାରୁ ବିଚ୍ଛିନ୍ନ କରି ରହିବାକୁ ହେବ।
କେଉଁ ପରିସ୍ଥିତିରେ ଆପଣ ସେଲ୍ଫ ଆଇସୋଲେସନ କରିବା ଆବଶ୍ୟକ?
- ଯଦି ଆପଣଙ୍କଠାରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଉଛି।
- ଆପଣ କରୋନା ପରୀକ୍ଷା ପାଇଁ ନମୁନା ପଠାଇଛନ୍ତି ଏବଂ ଫଳାଫଳ ଜାଣିବା ପାଇଁ ଅପେକ୍ଷା କରିଛନ୍ତି।
- ଆପଣଙ୍କଠାରେ କରୋନା ପଜିଟିଭ୍ ବାହାରିଛି।

କରୋନା ପାଇଁ ଟ୍ରାଭେଲ ଆଡଭାଇଜରି?
କରୋନାଠାରୁ ଦୂରେଇ ରହିବା ପାଇଁ ସବୁଠୁ ବଡ଼ ପରାମର୍ଶ ହେଉଛି ସାମଜିକ ଦୂରତା ପାଳନ କରିବା। ଅର୍ଥାତ୍ ସଭା ସମିତି ଓ ସର୍ବସାଧାରଣ ସ୍ଥାନକୁ ନଯିବା। ସେହିପରି କରୋନାକୁ ନେଇ ବିଶ୍ୱ ମହାମାରୀ ପରିସ୍ଥିତି ସୃଷ୍ଟି ହୋଇଥିବାରୁ କୌଣସି ପ୍ରକାର ଯାତ୍ରା ନକରିବାକୁ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି।
ଜରୁରୀ ପଡ଼ିଲେ ଆପଣ ଯଦି ବସ୍, ଟ୍ରେନ ବା ଫ୍ଲାଇଟରେ ଯାତ୍ରା କରୁଥାନ୍ତି ତେବେ ଏହି ଟ୍ରାଭେଲ ଆଡଭାଇଜରି ପାଳନ କରନ୍ତୁ।
- ଆପଣଙ୍କର କୌଣସି ସହଯାତ୍ରୀଙ୍କୁ କାଶ, ଜ୍ୱର, ଥଣ୍ଡା ହୋଇଥିଲେ ତାଙ୍କଠୁ ଦୂରେଇ ରହନ୍ତୁ।
- ଯାତ୍ରା ସମୟରେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ। ମାସ୍କ କିଣିବାବେଳେ ସବୁବେଳେ ସର୍ଜିକାଲ ମାସ୍କ କିଣନ୍ତୁ।
- ଖାଦ୍ୟ, ପାନୀୟ ଆଦିରେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ।
- ବସ, ଟ୍ରେନ୍ର ଝରକା ରେଲିଂ, କବାଟ ଆଦି ଛୁଅନ୍ତୁ ନାହିଁ।
- ମୁହଁରେ, ଆଖିରେ, କାନରେ ହାତ ଲଗାନ୍ତୁ ନାହିଁ।
- ନିୟମିତ ବ୍ୟବଧାନରେ ଆଲକହଲ ଯୁକ୍ତ ସାବୁନରେ ହାତ ଧୁଅନ୍ତୁ।
- କରୋନା ପ୍ରଭାବିତ ଅଞ୍ଚଳ ବା ଦେଶକୁ ଏହି ସମୟରେ ଯାତ୍ରା କରିବା ଉଚିତ ନୁହେଁ।

ଥର୍ମାଲ ଗନ୍ କ’ଣ?
କରୋନାର ସଂକ୍ରମଣ ବିଷୟରେ ଅନୁମାନ କରିବା ପାଇଁ ଏବେ ଥର୍ମାଲ ଗନ୍ର ପ୍ରୟୋଗ କରାଯାଉଛି। ବିଭିନ୍ନ ଏୟାରପୋର୍ଟ ଓ ସର୍ବ ସାଧାରଣ ସ୍ଥାନରେ ଏହା ବ୍ୟବହୃତ ହେଉଛି। ଥର୍ମାଲ ଗନ୍ ହେଉଛି ହାତରେ ଧରିବାକୁ ଥିବା ଏକ ଛୋଟ ଡିଭାଇସ, ଯାହାଦ୍ୱାରା କୌଣସି ବ୍ୟକ୍ତିଙ୍କୁ ନଛୁଇଁ ତାଙ୍କ ଶରୀରର ତାପମାତ୍ରା ମପା ଯାଇପାରେ। ସାଧାରଣତଃ ଶରୀରରେ କୌଣସି ଭୂତାଣୁ ସଂକ୍ରମଣ ଥିଲେ ଶରୀର ତାପମାତ୍ରା ଜଣେ ସୁସ୍ଥ ବ୍ୟକ୍ତିଙ୍କଠାରୁ ଅଧିକ ରହିଥାଏ।
ଥର୍ମାଲ ଗନରୁ ବାହାରୁଥିବା ରଶ୍ମୀ ଜଣେ ବ୍ୟକ୍ତିଙ୍କ କପାଳ ଉପରେ ପଡ଼େ। ଏହି ଡିଜିଟାଲ ଡିଭାଇସରେ ସଂପୃକ୍ତ ବ୍ୟକ୍ତିଙ୍କ ତାପମାତ୍ରା ଜଣାପଡ଼େ। ଅଧିକ ତାପମାତ୍ରା ଥିବା ବ୍ୟକ୍ତି ତଥା କରୋନାର ଅନ୍ୟ ପ୍ରାଥମିକ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କୁ ସ୍କ୍ରିନିଂ କରି କରୋନା ପରିଚାଳନା କରାଯାଇଥାଏ।
କରୋନା ଭାଇରସ କେତେ ସମୟ ସକ୍ରିୟ ରହେ?
କରୋନା ଭାଇରସ ଜଣେ ସଂକ୍ରମିତ ବ୍ୟକ୍ତର ଶରୀରରୁ ଜଣେ ସୁସ୍ଥ ବ୍ୟକ୍ତିର ଶରୀରକୁ ପ୍ରବେଶ କରିଥାଏ। ଏହି ପ୍ରବେଶ ପାଇଁ ଗୋଟିଏ ମାଧ୍ୟମ ଆବଶ୍ୟକ। ସଂକ୍ରମିତ ବ୍ୟକ୍ତିର କାଶ ଓ ଛିଙ୍କ ବା ଛେପ ସଂସ୍ପର୍ଶରେ ଆସୁଥିବା ଜଣେ ସୁସ୍ଥ ବ୍ୟକ୍ତି ଏହି ଭୂତାଣୁର ଶିକାର ହୋଇପାରନ୍ତି।
ଆସନ୍ତୁ ଜାଣିବା କେଉଁ ମାଧ୍ୟମରେ କେତେ ସମୟ ସକ୍ରିୟ ରହିପାରେ:
- ତମ୍ବା ପୃଷ୍ଠରେ ସାଢ଼େ ୩ ଘଣ୍ଟା।
- କାଠ ବା ପ୍ଲାଇ ପୃଷ୍ଠରେ ୯ ଘଣ୍ଟା।
- ଲୁହା ପୃଷ୍ଠରେ ୧୩ ଘଣ୍ଟା।
- ପ୍ଲାଷ୍ଟିକରେ ୧୬ ଘଣ୍ଟା।

ଏଟିଏମ୍, ଟଙ୍କା ପଇସା, ପସ୍ ମେସିନ, ମଲ୍ରେ ବ୍ୟବହୃତ ଟ୍ରଲି ଦେଇ କରୋନା ଭାଇରସ ବ୍ୟାପି ପାରେ କି?
ହଁ। କାରଣ ଏହିସବୁ ସର୍ବସାଧାରଣ ସ୍ଥାନ ବା କାର୍ଯ୍ୟ ବେଳେ ଆମେ ଅନ୍ୟମାନେ ବ୍ୟବହାର କରିଥିବା ଜିନିଷ ସଂସ୍ପର୍ଶରେ ଆସୁ। ତେଣୁ ଜଣେ ସଂକ୍ରମିତ ବ୍ୟକ୍ତି ବ୍ୟବହାର କରିଥିବା ଜିନିଷ ଅନ୍ୟମାନେ ବ୍ୟବହାର କଲେ ପ୍ଲାଷ୍ଟିକ, ଲୁହା, ଆଲୁମିନିୟମ ବା ଯେକୌଣସି ପୃଷ୍ଠ ଦେଇ ଏହି ଭାଇରସ ସୁସ୍ଥ ବ୍ୟକ୍ତିଙ୍କ ପାଖକୁ ଆସିପାରେ।
ଅଫିସରେ କରୋନା ପରିଚାଳନା କରିବା କିପରି?
ବର୍ତ୍ତମାନ କରୋନା ବିଶ୍ୱ ମହାମାରୀର ରୂପ ନେଇଛି। ତେଣୁ କୌଣସି ଛୋଟ ହେଉ କି ବଡ଼ କୌଣସି କାର୍ଯ୍ୟାଳୟରେ କର୍ମଚାରୀମାନେ କିଭଳି ସୁରକ୍ଷିତ ରହିବେ ତାକୁ ନେଇ ଚିନ୍ତା ପ୍ରକାଶ ପାଉଛି।
ଆସନ୍ତୁ ଜାଣିବା ଆପଣ ନିଜ କାର୍ଯ୍ୟାଳୟକୁ ପରିଚାଳନା କଲାବେଳେ କେଉଁ ବିଷୟ ଉପରେ ଧ୍ୟାନ ଦେବେ:
- ଅଫିସର ସମ୍ପୂର୍ଣ୍ଣ ପରିସର ସଫା ସୁତରା ରଖନ୍ତୁ।
- ଅଫିସରେ କାମ କରୁଥିବା ସମସ୍ତ କର୍ମଚାରୀ ବା ଅଫିସକୁ ଆସୁଥିବା ଭିଜିଟରମାନେ ପ୍ରବେଶ ବେଳେ ସାବୁନ ବା ସାନିଟାଇଜରରେ ହାତ ଧୋଇବାକୁ ପରାମର୍ଶ ଦିଅନ୍ତୁ।
- ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ବନ୍ଦ କରନ୍ତୁ।
- ସହକର୍ମୀଙ୍କ ସହ ହାତ ମିଳାନ୍ତୁ ନାହିଁ କି ଆଲିଙ୍ଗନ କରନ୍ତୁ ନାହିଁ।
- କୌଣସି କର୍ମଚାରୀଙ୍କର ଥଣ୍ଡା ଜ୍ୱର ବା କାଶ ହେଉଥିଲେ ଛୁଟିରେ ରହିବା ପାଇଁ ପରାମର୍ଶ ଦିଅନ୍ତୁ କିମ୍ବା ଘରୁ କାମ କରିବାକୁ କହନ୍ତୁ।
- ୪ ବା ୫ ଜଣରୁ ଅଧିକ ଲୋକ ଏକାଠି ବସି ମିଟିଂକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ।
- କରୋନା ପ୍ରଭାବିତ ଦେଶ ବା ଅଞ୍ଚଳକୁ କୌଣସି ଟୁର୍ରେ ଯିବା ବନ୍ଦ କରନ୍ତୁ।
- ଅଫିସରେ ପରସ୍ପରଠାରୁ ଅନ୍ତତଃ ୧ ମିଟର ଦୂରତା ରଖି କାମ କରିବାକୁ ପରାମର୍ଶ ଦିଅନ୍ତୁ।
- ଲାପ୍ଟପ୍, କିବୋର୍ଡ ବା ମୋବାଇଲ ଫୋନ୍ ପରସ୍ପର ସହ ସେୟାର କରନ୍ତୁ ନାହିଁ।

ଗରମ ପାଣିରେ ଗାଧୋଇଲେ କୋରୋନା ସଂକ୍ରମଣରୁ ରକ୍ଷା ମିଳେ?
ଆପଣ ଭାବୁଛନ୍ତି କି ଗରମ ପାଣିରେ ଗାଧୋଇଲେ କରୋନା ସଂକ୍ରମଣରୁ ରକ୍ଷା ମିଳିପାରିବ? ଏହା ଭୁଲ। କାରଣ ସାଧାରଣତଃ ଆମ ଶରୀରର ତାପମାତ୍ରା ପ୍ରାୟ ୩୬.୫ରୁ ୩୭ ଡିଗ୍ରୀ ସେଲସିୟସ ରହିଥାଏ। ତେଣୁ ଗରମ କିମ୍ବା ଥଣ୍ଡା ପାଣିରେ ଗାଧୋଇଲେ ଶରୀରର ତାପମାତ୍ରାରେ କୌଣବି ବିଶେଷ ପରିବର୍ତ୍ତନ ହୁଏନାହିଁ। ବରଂ ଆପଣ ଅଧିକ ଗରମ ପାଣିରେ ଗାଧୋଇଲେ ତାହା ଶରୀର ପାଇଁ କ୍ଷତିକାରକ ହୋଇପାରେ। କରୋନା ଭାଇରସରୁ ବଞ୍ଚିବା ପାଇଁ ଗରମ ପାଣିରେ ଗାଧୋଇବା ଅପେକ୍ଷା ନିୟମିତ ସାବୁନରେ ହାତ ଧୁଅନ୍ତୁ। ଏହା କଲେ ଆପଣଙ୍କ ହାତରେ ଯଦି କୌଣସି ଭୂତାଣୁ ରହିଥାଏ ତାହା ମରିଯିବ। ତେଣୁ ଆପଣଙ୍କ ସଂକ୍ରମିତ ହାତ ଭୁଲରେ ସୁଦ୍ଧା ପାଟି, ନାକ ବା ଆଖିରେ ବାଜିଲେ କୌଣସି ସଂକ୍ରମଣର ଆଶଙ୍କା ରହିବ ନାହିଁ।
ରସୁଣ କରୋନା ଭାଇରସ୍ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରେ?
ଭୁଲ କଥା। ରସୁଣ ହେଉଛି ଏପରି ଏକ ଖାଦ୍ୟ ଉପାଦାନ ଯେଉଁଥିରେ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ରହିଥାଏ। ତେବେ ଏହା ଖାଇଲେ ଯେ କରୋନା ଭାଇରସ ପ୍ରଭାବରୁ ରକ୍ଷା ମିଳିଥାଏ ତାହା ଭାବିବା ଭୁଲ। ରସୁଣର ବିଭିନ୍ନ ଔଷଧୀୟ ଗୁଣ ରହିଛି। କିନ୍ତୁ କରୋନା ଭୂତାଣୁ ସହ ରସୁଣର କିଛି ସଂପର୍କ ଥିବାର ଡାକ୍ତରୀ ପ୍ରମାଣ ନାହିଁ।
ଗରମ ଜଳବାୟୁରେ କରୋନା ଭାଇରସ୍ର ପ୍ରଭାବ ପଡ଼େ ନାହିଁ?
ଗରମ ଜଳବାୟୁରେ କୋରୋନା ଭାଇରସ୍ର ପ୍ରଭାବ ପଡ଼େନି ବୋଲି କେହି କେହି ଭାବନ୍ତି। କିନ୍ତୁ ଏହା ଏକ ଭୁଲ ଧାରଣା। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଗରମ ଏବଂ ଥଣ୍ଡା ଉଭୟ ଜଳବାୟୁରେ COVID-19 ଭୂତାଣୁ ସଂକ୍ରମିତ ହୋଇପାରେ|
ତେଣୁ ଭାରତରେ ଏବେ ଗ୍ରୀଷ୍ମୠତୁ ହୋଇଥିବାରୁ କରୋନାର ପ୍ରଭାବ ପଡ଼ିବ ନାହିଁ ବୋଲି ଯଦି କେହି କହୁଛନ୍ତି ତାଙ୍କ କଥାରେ ବିଶ୍ୱାସ କରନ୍ତୁ ନାହିଁ।
ମଶାଙ୍କ ମାଧ୍ୟମରେ କରୋନା ସଂକ୍ରମଣ ବ୍ୟାପିଥାଏ କି?
ମଶା ମାଧ୍ୟମରେ ମ୍ୟାଲେରିଆ ଓ ଫାଇଲେରିଆ ଭଳି ରୋଗ ବ୍ୟାପି ଥାଏ। ତେବେ ପ୍ରଶ୍ନ ଉଠୁଛି ଯେ ମଶା ମାଧ୍ୟମରେ କରୋନା ଭାଇରସ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି କି? ହଁ। କାରଣ, ଯଦି ମଶା କରୋନା ଆକ୍ରାନ୍ତଙ୍କୁ କାମୁଡ଼ି ଜଣେ ସୁସ୍ଥ ବ୍ୟକ୍ତିଙ୍କୁ କାମୁଡ଼େ ତାହେଲେ ଏହାଦ୍ୱାରା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି।
ମାଂସ ଖାଇଲେ କ’ଣ କୋରୋନା ବ୍ୟାପିବ?
କରୋନା ବ୍ୟାପିବା ପରେ ଅନେକ ଲୋକ ମାଛ, ମାଂସ ଓ ଅଣ୍ଡା ଖାଇବା ନେଇ ପ୍ରଶ୍ନ କରୁଛନ୍ତି। କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ସବୁ ଖାଦ୍ୟ ମାଧ୍ୟମରେ ସିଧାସଳଖ ଭାବେ କରୋନା ଭୂତାଣୁ ବ୍ୟାପିବାର ସେପରି କିଛି ପ୍ରମାଣ ନାହିଁ। ତେବେ ଆମ ଦେଶରେ ଅନେକ ସମୟରେ ଯେପରି ଅପରିଷ୍କାର ପରିବେଶ ଭିତରେ ମାଛ, ମାଂସ ବିକ୍ରି ହୋଇଥାଏ। ସେହି ପ୍ରକ୍ରିୟାରେ କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ସୁସ୍ଥ ବ୍ୟକ୍ତିଙ୍କୁ ଡେଇଁବାର ସମ୍ଭାବନା ରହିଛି। ତେଣୁ ଏହି ସବୁ ଖାଦ୍ୟ ବଜାରରୁ କିଣି ଆଣିବା ବେଳେ ତଥା ଘରେ ପ୍ରସ୍ତୁତ କଲା ବେଳେ ପରିଚ୍ଛନତା ଉପରେ ଗୁରୁତ୍ୱ ଦେବା ଦରକାର।
ଗୃହ ପାଳିତ ପଶୁଙ୍କ ମାଧ୍ୟମରେ କରୋନା ବ୍ୟାପିଥାଏ କି?
ଗୃହପାଳିତ ପଶୁ ଯେପରିକି ବିଲେଇ ଏବଂ କୁକୁରଙ୍କଠାରୁ କରୋନା ଭୂତାଣୁ ସଂକ୍ରମଣ ହେଉଥିବାର କିଛି ପ୍ରମାଣ ନାହିଁ।


















