ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନର ଦ୍ୱିତୀୟ ଲହର ସଂକ୍ରମଣରେ ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲା ରେଡ ଜୋନ ଭିତରେ ରହିଛି। ସରକାରୀ ତଥ୍ୟ ଅନୁସାରେ ୨୧ଟି ଜିଲ୍ଲା ଏବେ ରେଡ ଜୋନ ପରିସରରେ ରହିଛି। ସେମାନଙ୍କ ମଧ୍ୟରୁ ୟେଲୋ ଜୋନରେ ୫ଟି ଜିଲ୍ଲା ରହିଥିବାବେଳେ, ଗ୍ରୀନ ଜୋନରେ ୩ଟି ଜିଲ୍ଲା ରହିଛି।

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏପ୍ରିଲ ମାସର ପ୍ରଥମ ସପ୍ତାହରୁ ଦୈନିକ ସଂକ୍ରମଣ ୫ହଜାର ତଳେ ରହୁଥିବାବେଳେ, ଏବେ ଏହା ୮ ହଜାରରୁ ୧୦ହଜାର ଛୁଇଁଲାଣି। ଗତ କିଛିଦିନ ହେବ ଦୈନିକ ସଂକ୍ରମଣ ୬ରୁ ୭ହଜାର ଭିତରେ ରହୁଥିବାବେଳେ, ଏବେ ୮ରୁ ୯ହଜାର ଭିତରେ ରହୁଛି। ଅନ୍ୟପଟେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ପରିବର୍ତ୍ତ ହେଉଛି। ଆଜି ୧୫ଜଣଙ୍କ ଜୀବନ ନେଇଛି କରୋନା।

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ପ୍ରତିଦିନ ଖୋର୍ଦ୍ଧାରୁ ୧ହଜାରରୁ ଊର୍ଦ୍ଧ୍ୱ ପଜିଟିଭ୍ ଚିହ୍ନଟ ହେଉଛନ୍ତି। କରୋନା ନିୟନ୍ତ୍ରଣ ପାଇଁ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଏଥିସହ କରୋନା କଟକଣାକୁ କଡ଼ାକଡ଼ି କରାଯାଇ, ନାଇଟ କର୍ଫ୍ୟୁ ବଳବତ୍ତର ରହିଛି। ରାଜ୍ୟରେ ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଏପ୍ରିଲ ୫ରୁ ଲାଗୁହେବ ଲକ୍‌ଡାଉନ।

କେମିତି ଜୋନ୍ ନିର୍ଦ୍ଧାରିତ କରାଯାଏ?

ରାଜ୍ୟ ସରକାରଙ୍କ ପକ୍ଷରୁ ଦୈନିକ ଦିଆଯାଉଥିବା କରୋନା ତଥ୍ୟ ଅନୁସାରେ ଜୋନ ନିର୍ଦ୍ଧାରିତ କରାଯାଇଥାଏ। ଏହି ଜୋନ୍କୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି। ରେଡ, ୟେଲୋ, ଗ୍ରୀନ । ୧ରୁ ୫ଶହ ଭିତରେ ଥିବା ସକ୍ରିୟ ଆକ୍ରାନ୍ତକୁ ନେଇ ଗ୍ରୀନ ଜୋନ ଗଠିତ ହୋଇଥାଏ। ୫ଶହରୁ ୧ହଜାର ସକ୍ରିୟ ଆକ୍ରାନ୍ତ ଥିଲେ ୟେଲୋ ଜୋନ ଏବଂ ଯେଉଁ ଜିଲ୍ଲାରେ ୧ହଜାରରୁ ଅଧିକ ଆକ୍ରାନ୍ତ ସକ୍ରିୟ ରହିଥାନ୍ତି, ସେହି ଜିଲ୍ଲା ରେଡ ଜୋନ ପରିସରରେ ଯାଏ।

Comment