ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍‌ ସଙ୍କଟ ବେଳେ ନିଜକୁ କେମିତି ସତର୍କ ଏବଂ ସୁରକ୍ଷିତ ରଖିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ପରାମର୍ଶ ଦିଆଯାଇଛି। ଜାଣନ୍ତୁ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କ’ଣ କୁହାଯାଇଛି?

କୋଭିଡ୍ ୧୯ ସମୟରେ ଦୋକାନରୁ କିପରି ସୁରକ୍ଷିତ ଭାବରେ ସଉଦା କିଣାକିଣି କରିବେ?

  • ସଉଦା ଦୋକାନରୁ କିଣାକିଣି କଲାବେଳେ ଅନ୍ୟମାନଙ୍କଠାରୁ ଅତି କମ୍‌ରେ ୧ ମିଟର ଦୂରତା ବଜାୟ ରଖନ୍ତୁ।
  • ଆପଣଙ୍କ ଆଖି, ମୁହଁ, ପାଟି ଏବଂ ନାକକୁ ଛୁଅଁନ୍ତୁ ନାହିଁ। ଯଦି ସମ୍ଭବ କିଣାକିଣି କରିବା ପୂର୍ବରୁ ସପିଂ ଟ୍ରଲି କିମ୍ବା ବାସ୍କେଟର ହ୍ୟାଣ୍ଡେଲ୍ ସାନିଟାଇଜ୍ କରନ୍ତୁ।
  • ଘରେ ପହଞ୍ଚିବା ପରେ ଭଲ ଭାବରେ ହାତ ଧୁଅନ୍ତୁ ଏବଂ ଆପଣ କିଣିଥିବା ଜିନିଷ ସାଇତି ରଖିବା ପରେ ମଧ୍ୟ ହାତ ଧୁଅନ୍ତୁ।

କୋଭିଡ୍-୧୯ ସମୟରେ ଫଳ ପନିପରିବା କିପରି ଧୋଇବା ଉଚିତ୍?

ଆପଣ ଅନ୍ୟ ସାଧାରଣ ସମୟ ପରି ଫଳ ଓ ପନିପରିବାକୁ ଧୋଇ ଦିଅନ୍ତୁ।

ଫଳ ଓ ପନିପରିବା ବ୍ୟବହାର କରିବା ପୂର୍ବରୁ ସାବୁନ ଲଗାଇ ହାତ ଧୁଅନ୍ତୁ।

ତା’ ପରେ ଫଳ ଓ ପନିପରିବା ପରିଷ୍କାର ପାଣିରେ ଧୋଇ ଦିଅନ୍ତୁ। ଏବେ ଫଳ ଓ ପନିପରିବା କଞ୍ଚା ବା ରାନ୍ଧି ଖାଇବା ନିରାପଦ ହେବ।

corona-virus-testମୁଦ୍ରା ଏବଂ ବ୍ୟାଙ୍କ୍ ନୋଟ୍ ମାଧ୍ୟମରେ କୋଭିଡ୍-୧୯ ବ୍ୟାପିପାରେ କି?

ଏପର୍ଯ୍ୟନ୍ତ ମୁଦ୍ରା ବା ନୋଟ୍ ମାଧ୍ୟମରେ କୋଭିଡ୍-୧୯ ଭୂତାଣୁ ବ୍ୟାପିବା ସୁନିଶ୍ଚିତ ହୋଇନାହିଁ। କିନ୍ତୁ ଏଭଳି ଆଶଙ୍କାକୁ ଏଡ଼ାଇ ମଧ୍ୟ ଦେଇ ହେବନି।

ଅବଶ୍ୟ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରୁ ବାହାରିଥିବା ଭୂତାଣୁ ଏକ ପୃଷ୍ଠରେ ସକ୍ରିୟ ରହିପାରେ ଏବଂ ଏହା ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ସଂକ୍ରମିତ ହୋଇପାରେ।

ତେଣୁ ବାରମ୍ବାର ସ୍ପର୍ଶ କରାଯାଉଥିବା ପୃଷ୍ଠ କିମ୍ବା ବସ୍ତୁ ତଥା ଟଙ୍କା ପଇସା ସ୍ପର୍ଶ କରିବା ପରେ ନିୟମିତ ଭାବରେ ଭଲ ଭାବରେ ହାତ ଧୁଅନ୍ତୁ। ଯଦି ହାତ ପରିଷ୍କାର ନାହିଁ ତେବେ ମୁହଁ, ଆଖି ଏବଂ ନାକକୁ ସ୍ପର୍ଶ କରନ୍ତୁ ନାହିଁ।

ରବର ଗ୍ଲୋଭସ୍ ପିନ୍ଧିଲେ କୋଭିଡ୍-୧୯ରୁ ସୁରକ୍ଷିତ ରହିହେବ କି?

ନା, ରବର ଗ୍ଲୋଭସ୍ ପିନ୍ଧିବା ତୁଳନାରେ ବାରମ୍ବାର ଖାଲି ହାତ ଧୋଇବା ଆପଣଙ୍କୁ କୋଭିଡ୍ ୧୯ରୁ ଅଧିକ ସୁରକ୍ଷା ଦେଇଥାଏ।

ରବର ଗ୍ଲୋଭସ୍ ପ୍ରଦୂଷିତ ହେଲେ ଆପଣ କୋଭିଡ୍ ୧୯ରେ ଆକ୍ରାନ୍ତ ହୋଇପାରନ୍ତି। ଯଦି ଆପଣ ମୁହଁକୁ ସ୍ପର୍ଶ କରନ୍ତି, ଆପଣଙ୍କ ଗ୍ଲୋଭସ୍‌କୁ ଆପଣଙ୍କ ମୁହଁକୁ ସଂକ୍ରମଣ ବ୍ୟାପିପାରେ ଏବଂ ଆପଣ ସଂକ୍ରମିତ ହୋଇପାରନ୍ତି।

କୋଭିଡ୍-୧୯ ପାଇଁ ପୋଷାକ, ବିଛଣା ଚାଦର, ତଉଲିଆ ଦି କିପରି ପରିଷ୍କାର କରିବା ଉଚିତ୍?

ଆପଣଙ୍କ ଲୁଗାପଟା ସାବୁନ୍ ବା ଡିଟରଜେଣ୍ଟ ବ୍ୟବହାର କରି ସାଧାରଣ ଭାବରେ ଧୋଇ ପରିଷ୍କାର କରନ୍ତୁ।

ମେସିନ୍, ଡ୍ରାୟର୍ କିମ୍ବା ଗରମ ପାଣି ବ୍ୟବହାର କରିବାର ଆବଶ୍ୟକତା ନାହିଁ।

କପଡ଼ା ଶୁଖିଯିବା ପରେ ସାଇତି ରଖିବା ପୂର୍ବରୁ ହାତ ଧୋଇ ସାଇତି ରଖନ୍ତୁ।

ଯଦି ଘରେ କେହି କୋଭିଡ୍-୧୯ ସଂକ୍ରମିତ ଥାନ୍ତି ତେବେ ଲୁଗାପଟା, ବିଛଣା ଚାଦର କିପରି ଧୋଇବା ଏବଂ ଶୁଖାଇବା ଉଚିତ୍?

ରୋଗୀଙ୍କର ଲୁଗାପଟା, ତଉଲିଆ ଏବଂ ବିଛଣା ଚାଦର ଅଲଗା ଧୁଅନ୍ତୁ।

ଯଦି ସମ୍ଭବ ସେଗୁଡ଼ିକ ସଫା କରିବା ପୂର୍ବରୁ ହେଭି ଡ୍ୟୁଟି ଗ୍ଲୋଭସ୍ ପିନ୍ଧନ୍ତୁ।

କେବେ ବି ମଇଳା ଲୁଗାପଟା ଆପଣଙ୍କ ଦେହରେ ଲଗାଇ ନିଅନ୍ତୁ ନାହିଁ।

ମଇଳା ଲୁଗାପଟାକୁ ପାଣି ଝରୁନଥିବା ବାଲ୍‌ତି କିମ୍ବା ଡ୍ରମରେ ସ୍ପଷ୍ଟ ଭାବରେ ଚିହ୍ନିତ କରି ରଖନ୍ତୁ। ଏହି ଡ୍ରମ୍ ବା ବାଲ୍‌ତି ଢାଙ୍କୁଣି ବନ୍ଦ କରି ରଖନ୍ତୁ।

କଠିନ ବର୍ଜ୍ୟ ପଦାର୍ଥ (ଯେପରିକି ମଳ କିମ୍ବା ବାନ୍ତି) ଏକ ଟାଣ ଚଟ୍‌କା ବସ୍ତୁରେ ରାମ୍ପି ବାହାର କରି ଦିଅନ୍ତୁ ଏବଂ ରୋଗୀଙ୍କ ପାଇଖାନାରେ ପକାଇ ଦିଅନ୍ତୁ। ଯଦି ଏହା ରୋଗୀଙ୍କ କୋଠରୀ ହୋଇନଥାଏ ତେବେ ବନ୍ଦ ହୋଇଥିବା ବାଲ୍‌ତିରେ ପକାନ୍ତୁ।

ପୋଷାକ ଧୁଅନ୍ତୁ ଏବଂ ଜୀବାଣୁମୁକ୍ତ କରନ୍ତୁ: ମେସିନ୍‌ରେ ୬୦- ୯୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌ରେ ଲଣ୍ଡ୍ରି ଡିଟର୍ଜେଣ୍ଟ ସହିତ ଧୁଅନ୍ତୁ।

ନଚେତ୍ ବଡ଼ ଡ୍ରମ୍ ବା ବାଲ୍‌ତିରେ ଗରମ ପାଣି ଓ ସର୍ଫ ପକାଇ ଭିଜାଇ ଦିଅନ୍ତୁ। ବାହାରେ କାଚନ୍ତୁ ନାହିଁ, କାରଣ ପାଣି ଛିଟ୍‌କି ଏଣେତେଣେ ପଡ଼ିବାର ସମ୍ଭାବନା ରହିଛି।

ଯଦି ଗରମ ପାଣି ଉପଲବ୍ଧ ନାହିଁ ତେବେ ୦.୦୫ କ୍ଲୋରିନ୍‌ରେ ୩୦ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ। ସଫା ପାଣିରେ ଧୋଇ ଦିଅନ୍ତୁ ଏବଂ କପଡ଼ାକୁ ଖରାରେ ଶୁଖାଇ ଦିଅନ୍ତୁ।

ଏହି ଲୁଗାପଟା ସଫା କରିବା ପରେ ନିଜ ପୋଷାକ ବଦଳାଇବା ସହ ନିଜେ ସମ୍ପୂର୍ଣ୍ଣ ଗାଧୋଇ ପଡ଼ିବା ଏବଂ ହାତ ଭଲଭାବରେ ଧୋଇବା ଆବଶ୍ୟକ।

ସଚେତନ ରହନ୍ତୁ, ସୁସ୍ଥ ରହନ୍ତୁ

Comment